ରାଜ୍ୟ ଲଢ଼ୁଛି କରୋନା ସଙ୍ଗେ ହେଲେ ବିଜୁ ଯୁବବାହିନୀ ଉଭାନ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟ ଓ ରାଜ୍ୟର ଶାସନକଳ ଏବେ କରୋନା ସଙ୍ଗେ ଲଢ଼ୁଛି। ମହିଳାମାନେ ମଧ୍ୟ ଏସ୍ଏଚ୍ଜି ମାଧ୍ୟମରେ କରୋନା ଲଢ଼େଇରେ ସାମିଲ୍ ହୋଇଛନ୍ତି ବୋଲି ସରକାର କହୁଛନ୍ତି। କିନ୍ତୁ ଏହି ବିପତ୍ତି ସମୟରେ ସାମାଜିକ ସଦ୍ଭାବ, ସଚେତନା ସୃଷ୍ଟି ପାଇଁ ସୃଷ୍ଟି ହୋଇଥିବା ବିଜୁ ଯୁବ ବାହିନୀ ଅନେକ ପ୍ରଭାବିତ ସ୍ଥାନରେ ଉଭାନ ହୋଇଯାଇଛି। ନିର୍ବାଚନର କିଛି ମାସ ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ଦ୍ଵାରା ସୃଷ୍ଟି ହୋଇଥିବା ବିଜୁ ଯୁବ ବାହିନୀ ବିପତ୍ତି ସମୟରେ ଉଭାନ ହେବା ଏବେ ସରକାରୀ ଦଳର କିଛି ଭିତିରି ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି। କାରଣ ଯେଉଁ ସମୟରେ ପ୍ରମୁଖ ଗଣମାଧ୍ୟମ ସବୁ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ, ଗାଁ ଗାଁରେ ସଚେତନତା ଜରୁରୀ ହୋଇପଡ଼ିଛି ଆଉ ସନ୍ଦିଗ୍ଧ ରୋଗୀଙ୍କ ବାବଦରେ ତଥ୍ୟ ସଂଗ୍ରହ ଅତ୍ୟାବଶ୍ୟକ ହୋଇଛି ସେଠାରେ ଯୁବ ବାହିନୀର ପ୍ରାୟ ୩ ଲକ୍ଷ ସ୍ଵେଚ୍ଛାସେବୀ ଦିଶୁ ନାହାନ୍ତି। ପ୍ରଶ୍ନ ଉଠୁଛି ଯୁବ ବାହିନୀ ସରକାରଙ୍କ ଏକ ମିଛ ସଂଗଠନ ନୁହେଁତ?
ମାର୍ଚ ୧୪, ୨୦୧୮ ମସିହାରେ ରାଜ୍ୟ କ୍ୟାବିନେଟ୍ ବିଜୁ ଯୁବବାହିନୀର ଗଠନକୁ ସ୍ଵିକୃତୀ ଦେଲା। ରାଜ୍ୟର ୬୭୯୯ଟି ଗ୍ରାମ ପଞ୍ଚାୟତ, ୧୧୪ ମ୍ୟୁନିସିପାଲିଟିରେ ୮୦୦୦ରୁ ଅଧିକ ବିଜୁ ଯୁବବାହିନୀ ଗଠନ କରାଯାଇଥିଲା। ଏଥିରେ ୧୫ରୁ ୩୫ ବର୍ଷ ଯାଏ ଯୁବକଙ୍କୁ ସାମିଲ୍ କରାଯାଇଥିଲା। ସେତେବଳେ ଅନ୍ଲାଇନ୍ ପ୍ଲାଟଫର୍ମ, ଆଣ୍ଡଏଡ୍ ଆପ୍ ଜରିଆରେ ଏକ ବିଶାଳ ଯୁବ ପ୍ଲାଟଫର୍ମ ଗଢ଼ିବା ପାଇଁ ଏହି ବାହିନୀ କାର୍ଯ୍ୟ କରୁଥିଲା। ମିଳିଥିବା ସରକାରୀ ତଥ୍ୟ ଅନୁସାରେ ଏଥିରେ ୨ ଲକ୍ଷ ୬୬ ହଜାର ସ୍ଵେଚ୍ଛାସେବୀ ପଞ୍ଜିକୃତ ହୋଇଥିଲେ। ପୂର୍ବରୁ ବିଜେଡିର ସାଂସଦ ପ୍ରାର୍ଥୀ ଥିବା ଅରୂପ ପଟ୍ଟନାୟକ ଏହାର ମୁଖ୍ୟ ଥିଲେ ଏବେ ସେହି ଦାୟତ୍ଵରେ ଅଛନ୍ତି ବିଜୟ ନାୟକ।
ଯେଉଁ ସବୁ ଲକ୍ଷ୍ୟ ଏଥିରେ ରଖାଗଲା ସେଥିରୁ ଏ ମୁହୂର୍ତ୍ତରେ ସବୁଠାରୁ ଗୁରୁତ୍ଵପୂଣ୍ଣ ହେଲା ସ୍ଥାନୀୟ ଅଞ୍ଚଳରେ ସ୍ଵାସ୍ଥ୍ୟ ସଚେତନତା ସୃଷ୍ଟି କରିବା। ହେଲେ ଯେଉଁ ମୁହୂର୍ତ୍ତରେ ରାଜ୍ୟ ସ୍ଵାସ୍ଥ୍ୟ ସଙ୍କଟରେ ଗତି କରୁଛି ସେମାନେ ଘରେ ରହିଛନ୍ତି। କାରଣ ହେଲା ଫେବୃ୍ରାରୀ ୨୯ ତାରିଖରୁ ଏହି ସଂଗଠନ ଅଲିଖିତ ଭାବେ ଭାଙ୍ଗିଯାଇଛି। ଯେଉଁ କ୍ଲଷ୍ଟର ମାଧ୍ୟମରେ ଯୁବବାହିନୀକୁ ପରିଚାଳନା କରିବା ପାଇଁ ସଂଯୋଜକ ମାନଙ୍କୁ ଜିଲ୍ଲା, ମ୍ୟୁନିସିପାଲିଟି ଏବଂ ପଞ୍ଚାୟତ ସ୍ତରରେ ନିଯୁକ୍ତ କରାଯାଇଥିଲା ସେମାନେ ଆଉ ନାହାନ୍ତି। ଯଦିଓ ସେମାନଙ୍କ ସରକାରୀ ଭାବେ କାର୍ଯ୍ୟରୁ କଢ଼ାଯାଇଛି ବୋଲି କିଛି କୁହାଯାଇ ନାହିଁ ହେଲେ ସେମାନଙ୍କୁ ଯେଉଁ ଦରମା ମିଳୁଥିଲା ତାହା ମିଳୁ ନାହିଁ ବୋଲି ଜଣେ ସଂଯୋଜକ କହିଛନ୍ତି।
ଏ ବିଷୟରେ ଯୁବବାହିନୀ ମୁଖ୍ୟଙ୍କ କହିବା କଥା ହେଲା, ବିଜୁ ଯୁବବାହିନୀ ପୂର୍ବପରି କାର୍ଯ୍ୟ କରୁଛି। ବିଭିନ୍ନ ଗଣମାଧ୍ୟମରେ ଏନେଇ ମଧ୍ୟ ତଥ୍ୟ ପ୍ରକାଶ ପାଇଛି। ଖୋର୍ଦ୍ଧା, କଳାହାଣ୍ଡି ପରି ଜିଲ୍ଲାରେ ଯୁବବାହିନୀ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟ ଉଲ୍ଲେଖନୀୟ ହୋଇଛି। କିଛି ସଂଯୋଜକଙ୍କ ସମୟକାଳ ସରିଛି ସତ କିନ୍ତୁ ପ୍ରଶାସନ ଚାହିଁଛି ସେମାନଙ୍କୁ ବ୍ୟବହାର କରୁଛନ୍ତି। ଯେଉଁମାନଙ୍କ ଇଚ୍ଛା ଓ ଆଗ୍ରହ ନାହିଁ ସେମାନେ ବ୍ୟସ୍ତ ହେଉଛନ୍ତି। କିନ୍ତୁ ଯେଉଁ ସ୍ଵେଚ୍ଛାସେବୀ ଇଚ୍ଛା ଅନୁସାରେ ତାଙ୍କ କାର୍ଯ୍ୟ ପାଇଁ ଆଗକୁ ବାହାରୁଛନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ତୃଣମୂଳ ସ୍ତରରେ ବ୍ୟବହାର କରୁଛନ୍ତି। ସେମାନେ ଖାଦ୍ୟ ବଣ୍ଟନଠାରୁ ଆରମ୍ଭ କରି ଆକ୍ଟିଭ୍ ସର୍ଭିଲାନ୍ସରେ ବ୍ୟସ୍ତ ଥିବା ଶ୍ରୀ ନାୟକ କହିଛନ୍ତି।
କ୍ଲଷ୍ଟର ପରିଚାଳନା ଢାଞ୍ଚା ଭାଙ୍ଗିବା ବାବଦରେ ମତ ଦେଇ ଶ୍ରୀ ନାୟକ କହିଛନ୍ତି ଏହା ସରକାର ଜାଣିଛନ୍ତି। ଏଥିଲାଗି ନୂଆ ନିୟମାବଳୀ ପ୍ରସ୍ତୁତି ଯୋଜନା ରହିଛି। କିନ୍ତୁ ରାଜ୍ୟ ଏମିତି ଏକ ବିପତ୍ତିରେ ଯେତେବଳେ ପଡ଼ିଛି ସେତେବଳେ ସେବା ଗୁରୁତ୍ଵପୂଣ୍ଣ।
ଶ୍ରୀ ନାୟକ ଆମକୁ ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାପାଳ ବିଜୁ ଯୁବବାହିନୀ ସ୍ଵେଚ୍ଛାସେବୀଙ୍କୁ ବିଭିନ୍ନ କାର୍ଯ୍ୟରେ ଲଗାଇଥିବା କହିଛନ୍ତି। ପ୍ରଶ୍ନ ଉଠୁଛି, ଯଦି ସ୍ଵେଚ୍ଛାସେବୀ କାର୍ଯ୍ୟରେ ଲାଗୁଛନ୍ତି ତେବେ ଗାଁ, ସାହିରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ କାହିଁକି ପହଞ୍ଚିପାରୁ ନାହିଁ? ଭୁବନେଶ୍ଵରର ସିଲ୍ ହୋଇଥିବା ଅଞ୍ଚଳରେ ବି ସେମାନଙ୍କୁ ଦେଖିବାକୁ ମିଳୁ ନାହିଁ। ଆଜିବି ଭୁବନେଶ୍ଵରର ଯଦୁପୁର ହେଉ ବା ବେଗୁନିଆରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିପାରୁ ନଥିବା ଅଭିଯୋଗ ହୋଇଛି।
ସଚେତନତା ସୃଷ୍ଟିରେ ସେମାନଙ୍କ ଅସ୍ତିତ୍ଵ କାହିଁକି ଜଣାପଡ଼ୁନି। କେବଳ କିଛି ସଦସ୍ୟ ଯଦି ସେବା କରିବାକୁ ଆସିବେ ତେବେ ଏତେ ବଡ଼ ଯୁବା ବାହିନୀର ନେଟ୍ବୱର୍କ ଗଠନ କରିବା ଅଦରକାରୀ ନୁହେଁକି?
ପୁଣି କରୋନା ଗତିବିଧି ଜାଣିବା ଲାଗି ସବୁଠାରୁ ଗୁରୁତ୍ଵପୂଣ୍ଣ ଆବଶ୍ୟକତା ହେଉଛି ଟେକ୍ନୋଲୋଜି ବ୍ୟବହାର। ଏହି ଯୁବାବର୍ଗ ଟେକ୍ନୋଲୋଜିରେ ମାହିର। ଏମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ଡେଟା ସଂକ୍ରମହରେ ନିୟୋଜିତ କରାଯାଇପାରନ୍ତି। ଯାହାଫଳରେ ସର୍ଭିଲାନ୍ସ କାର୍ଯ୍ୟ ଆଗକୁ ବଢ଼ି ନାରନ୍ତା ହେଲେ ତାହା ହେଉ ନାହିଁ।
ଇଣ୍ଟରନେଟ୍ରୁ ମିଳିଥିବା ତଥ୍ୟ ଅନୁସାରେ ଚୀନର ସରକାରୀ ଦଳ ତଥା କମ୍ୟୁନିଷ୍ଟ ପାର୍ଟି କର୍ମକର୍ତ୍ତା ଓ ସ୍ଵେଚ୍ଛାସେବୀମାନେ ଅନେକ ମାତ୍ରାରେ ଲକ୍ଡାଉନ୍ ସମୟରେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା, ତଥ୍ୟ ସଂଗ୍ରହ କରିବା, ଔଷଧ ପହଞ୍ଚାଇବା ଆଦି କାର୍ଯ୍ୟରେ ନିୟୋଜିତ ଥିଲେ। ହେଲେ ଏପରି ପରିସ୍ଥିତିରେ ଏହି ୨ଲକ୍ଷ ୬୬ ହଜାର ସ୍ଵେଚ୍ଛାସେବୀଙ୍କ ଅନୁପସ୍ଥିତି ଏହି ସଂଗଠନକୁ ଏକ ପ୍ରହେଳିକା ରେ ପରିଣତ କରିଛି। ପୂର୍ବରୁ ଯେଉଁ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଏ ସଂଗଠନ ବାବଦରେ ଅଭିଯୋଗ କରାଯାଉଥିଲା ତାହା ଏକ ପ୍ରକାର ପ୍ରମାଣିତ ହୋଇଛି।