ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତ
ଭୁବନେଶ୍ଵର(ଓଟି): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିବା ସହରାଇ ଓରାମଙ୍କ ୯୦ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ ଓ କେନ୍ଦୁଝର ଜିଲ୍ଲା ବଡ଼ବିଲ ଭଦ୍ରାସାହି ସ୍ଥିତ ଘରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାଜନୀତିକ ଦଳଗୁଡ଼ିକ ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ସୂଚନା ଅନୁସାରେ ସହରାଇ ଓରାମ ଚମ୍ପୁଆ ବିଧାନସଭା ମଣ୍ଡଳୀରୁ ଜନତା ଦଳରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ବିଜୁବାବୁଙ୍କ ସରକାରରେ ୩ ଥର ମନ୍ତ୍ରୀ ହୋଇଥିଲେ ଓ ବିଜୁବାବୁଙ୍କ ଅତି ପାଖଲୋକ ଭାବେ ଜଣାଶୁଣା ଥିଲେ। ଏପରିକି ବିଜୁ ଜନତା ଦଳ ଗଠନରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।