ମୋଦିଙ୍କ କ୍ୟାବିନେଟ୍‌ରେ ଓଡ଼ିଶା ଗୌଣ

ଭୁବନେଶ୍ଵର, (ଓଟି): ମୋଦିଙ୍କ ୫୮ ଜଣିଆ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶା ଗୌଣ ହୋଇଛି। ଦଳ ଏଥର ଓଡ଼ିଶାରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ରାଜ୍ୟର କୌଣସି ନିର୍ବାଚିତ ସାଂସଦଙ୍କୁ ଏଥର କ୍ୟାବିନେଟ୍‌ ପାହ୍ୟା ମିଳିପାରି ନାହିଁ। ୨୦୧୪ ନିର୍ବାଚନରେ କେବଳ ଜଣେ ପ୍ରାର୍ଥୀ ସୁନ୍ଦରଗଡ଼ରୁ ଜିତିଥିଲେ। ଅତି ନଗଣ୍ୟ ତାରତମ୍ୟରେ ସେ ବିଜେତା ହୋଇଥିଲେ ମଧ୍ୟ ଓଡ଼ିଶାର ଟେକ ରଖିବା ଲାଗି ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିଲା। ଏବେ ସେ ଯଥେଷ୍ଟ ଭୋଟରେ ବିଜୟୀ ହୋଇଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର କ୍ୟାବିନେଟ୍‌ରୁ ଦୂରରେ ରଖାଯାଇଛି। ସେହିପରି ୮ଜଣ ସାଂସଦଙ୍କ ଭିତରୁ ମାତ୍ର ଜଣଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀପଦ ମିଳିଥିବାରୁ ଅନ୍ୟମାନେ ନିରାଶ ହୋଇଛନ୍ତି।

ରାଷ୍ଟ୍ରପତି ଭବନର ଭବ୍ୟ ସମାବେଶରେ ଗୁରୁବାର ଯେଉଁ ଶପଥଗ୍ରହଣ ସମାବେଶ ଆୟୋଜନ ହୋଇଥିଲା ତାହା ଥିଲା ଆଡ଼ମ୍ବରପୂଣ୍ଣ ଏବଂ ଐତିହାସିକ। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶ ବିଦେଶର ପ୍ରତିଷ୍ଠିତ ରାନେତାଙ୍କ ଗହଣରେ ଦ୍ଵିତୀୟ ଥର ପାଇଁ ପୃଥିବୀର ବଡ଼ ଗଣତନ୍ତ୍ରର ମୁଖ୍ୟ ଶାସନ କର୍ତ୍ତା ଭାବେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ଯେଉଁ ୫୮ ଜଣ ବିଭିନ୍ନ ମନ୍ତ୍ରୀପଦ ଲାଗି ଶପଥ ଗ୍ରହଣ କରିଥିଲେ ସେମାନଙ୍କ ଭିତରେ ଥିରେ ୨୫ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ। ୨୪ ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ଏବଂ ୯ ଜଣ ସ୍ଵାଧୀନ ରାଷ୍ଟ୍ରପାହ୍ୟା ମନ୍ତ୍ରୀ। ଏ ଭିତରେ ଓଡ଼ିଶାରୁ କେବଳ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ମଣ୍ଡଳରେ ଜଣେ ରାଷ୍ଟ୍ରପାହ୍ୟା ବା ଜୁନିୟର ମନ୍ତ୍ରୀ ଭାବେ ସାମିଲ୍‌ କରାଯାଇଛି। ବିଗତ କିଛିଦିନ ହେଲା ସେ ମିଡିଆରେ ଚର୍ଚାର ପରିସରରେ ଥିଲେ। ଆଉ ଏହାକୁ ନଜରରେ ରଖି ଶ୍ରୀ ମୋଦି ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।

ଓଡ଼ିଶାରୁ ଅନ୍ୟ ଯେଉଁ ୭ ଜଣ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସେମାନେ ହେଲେ, ଭୁବନେଶ୍ଵରରୁ ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ, ସମ୍ବଲପୁରରୁ ନିତେଶ ଗଙ୍ଗଦେବ, ବରଗଡ଼ରୁ ସୁରେଶ ପୂଜାରୀ, କଳାହାଣ୍ଡିରୁ ବସନ୍ତ ପଣ୍ଡା, ମୟୁରଭଞ୍ଜରୁ ବିଶ୍ଵେଶ୍ଵର ଟୁଡୁ, ବଲାଙ୍ଗୀରରୁ ସଙ୍ଗୀତା ସିଂଦେଓ ଏବଂ ସୁନ୍ଦରଗଡ଼ରୁ ଜୁଏଲ୍‌ ଓରାମ।

ଜୁଏଲ୍‌ ପୂର୍ବଥା ମାତ୍ର ୧୮୮୨୯ ଭୋଟ୍‌ରେ ଜିତିଥିଲେ। କେନ୍ଦ୍ରରେ ଆଦିବାସୀ ବିକାଶ ବ୍ୟାପାର ମନ୍ତ୍ରୀ ହୋଇଥିଲେ। ଏଥର ସେ ୨ଲକ୍ଷ ୨୩ହଜାର ୬୫ ଭୋଟ୍‌ରେ ଜିତିଛନ୍ତି। କିନ୍ତୁ ତାଙ୍କୁ ମନ୍ତ୍ରୀପଦ ମିଳିପାରି ନାହିଁ।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ରଣନୀତି ରୂପାନ୍ତରକ ଧର୍ମେନ୍ଦ୍ର ପ୍ରଧାନ ଯିଏ କି ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ତାଙ୍କୁ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ଦିଆଯାଇଛି। ଯେମିତି ଓଡ଼ିଶାରେ ବିଜୟର ଶ୍ରେ କେବଳ ତାଙ୍କୁ ହିଁ ମିଳିପାରିଛି ବୋଲି ଆଲୋଚନା ହେଉଛି।

ଏନ୍‌ଡିଏ ସରକାର ସମୟରେ ଓଡ଼ିଶାକୁ ପଆଧାନ୍ୟ ଦିଆଯାଇଥାଏ ବୋଲି ସଗର୍ବେ କହୁଥିବା ବିଜେପି ଏବେ ଓଡ଼ିଶାକୁ ଗୌଣ ମନେକରିବା ପଛରେ ଅନେକ କାରଣ ରହିଛି। ସେ ଭିତରେ ଓଡ଼ିଶାରେ ବିଜେପିର ଭବିଷ୍ୟତ ବି ସାମିଲ୍‌ ରହିଛି। ଏହିକ୍ରମରେ ଏବେ ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ ମୁଖ୍ୟ ଟାର୍ଗେଟ୍‌ ବୋଲି ଗଣନା କରିଛନ୍ତି ବିଜେପି ନେତୃମଣ୍ଡଳୀ। ଯେହେତୁ ଓଡ଼ିଶାରେ ନିର୍ବାଚନ ନାହିଁ ଏବଂ ଓଡ଼ିଶାରେ ନବୀନଙ୍କୁ ହରାଇବାରେ ବିଜେପି ବିଫଳ ହୋଇଛି ସେଥିଲାଗି ଓଡ଼ିଶାକୁ ପରବର୍ତ୍ତୀ ଟାର୍ଗେଟ କରାଯାଇ ନାହିଁ। ଏଣୁ ଦୁଇଜଣ ମହିଳା ନିର୍ବାଚିତ ହୋଇଥିଲେ ମଧ୍ୟ ସେମାନଙ୍କୁ ସାମିଲ୍‌ କରାଯାଇ ନାହିଁ।

ଏପରି ପରିପ୍ରେକ୍ଷୀରେ ଶଶସନର ପ୍ରଥମ ଦିନରୁ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉପେକ୍ଷା କରାଯାଇଥିବା ନେଇ ରାଜନୀତିକ ମହଲ ଆଲୋଚନା କରୁଛି।

Leave a Reply

Your email address will not be published. Required fields are marked *