‘କରୋନା’କୁ ରାଜ୍ୟ ବିପତ୍ତି ଘୋଷଣା: ୩୧ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ୨୦୦ କୋଟି ଟଙ୍କାର ପ୍ୟାକେଜ୍‌

ଭୁବନେଶ୍ଵର, (ଓଟି): ମହାମାରୀ କରୋନାକୁ ରାଜ୍ୟରେ ବିପତ୍ତି ବୋଲଇ ଘୋଷଣା କରାଯାଇଛି। ଏହିକ୍ରମରେ ରାଜ୍ୟ ସରକାର ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ଆଇନ ୨୦୦୫କୁ ଲାଗୁ କରିଛନ୍ତି। ଏହାଦ୍ଵାରା ରାଜ୍ୟର ଅଧିକାରୀମାନେ କରୋନାର ମୁକାବିଲା ଓ ପ୍ରତିଶେଧକ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କ୍ଷମତାପନ୍ନ ହୋଇପାରିଛନ୍ତି। ଏଥିଲାଗି ସରକାର ୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ଖର୍ଚ ବ୍ୟବସ୍ଥା କରିଛନ୍ତି। ଏହି ମହାମାରୀର ଭୟଙ୍କର ପ୍ରକୋପକୁ ଆଖିରେ ରଖି ସରକାର ମ୍ୟୁନିସିପାଲିଟି, ଜିଲ୍ଲାପାଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟଣ ବିଭାଗ ଏବଂ ଏହାର ବିଭିନ୍ନ ନିର୍ଦେଶାଳୟକୁ ବିଭିନ୍ନ ଜରୁରୀକାଳୀନ ପଦକ୍ଷେପ ନେବା ଏବଂ ଆବଶ୍ୟକ ଔଷଧ ଓ ଯନ୍ତ୍ରାଂଶ କିଣିବା ଲାଗି ଖର୍ଚ କ୍ଷମତା ପ୍ରଦାନ କରାଯାଇଛି। 

୩୧ଯାଏ ସ୍କୁଲ୍‌, ଜିମ୍‌ ବନ୍ଦ

ରାଜ୍ୟର ସମସ୍ତ ସ୍କୁଲ୍‌, କଲେଜ ଓ ଶିକ୍ଷାନୁଷ୍ଠାନକୁ ମାର୍ଚ ୩୧ ତାରିଖ ଯାଏ ବନ୍ଦ ଘେଶଷଣା କରାଯାଇଛି। ପରୀକ୍ଷା ଚାଲିଥିବା ସ୍ଥାନରେ ଏହି ନିୟମ ଲାଗୁ ହେବ ନାହିଁ। ସେହିପରି ସରକାରଙ୍କ ପକ୍ଷରୁ ଲୋକଙ୍କୁ ଯଥା ସମ୍ଭବ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ତଥା ଜନସମାଗମଠାରୁ ଦୂରରେ ରହିବାକୁ କୁହାଯାଇଛି। ଧର୍ମୀୟ ସଭା, ବିବାହ ଉତ୍ସବକୁ ମଧ୍ୟ ନିୟନ୍ତ୍ରଣ ପରିଧି ଭିତରକୁ ଅଣାଯାଇଛି। ସିନେମା ହଲ, ସନ୍ତରଣାଗା, ଜିମ୍‌ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି। କେବଳ ଘରେ ରହିବା ଏବଂ ଅତ୍ୟାବଶ୍ୟକ ଭ୍ରମଣ ପାଇଁ ଆହ୍ବାନ ଦିଆଯାଇଛି। ରାଜ୍ୟ ସରକାର କରୋନାର ଭୟଙ୍କର ପ୍ରଭାବକୁ ନାଶ କରିବା ଲାଗି ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି। ଅନାବଶ୍ୟକ ବୈଠକ, ସେମିନାରକୁ ବାତିଲ୍‌ କରାଯାଇଛି। 

ଚୀନ ଓ ସିଙ୍ଗାପୁରଠାରୁ ଶିକ୍ଷା 

ରାଜ୍ୟ ସରକାର ଚୀନ, ଇଟାଲୀ ଓ ସିଙ୍ଗାପୁରଠାରୁ କରୋନା ମୁକାବିଲା ବାବଦରେ ଅନେକ ଶିକ୍ଷା କରିଛନ୍ତି। ଏହି ଅନୁସାରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅନୁସାରେ କୋଭିଡ୍‌-୧୯ ଓଡ଼ିଶା ନିୟମାବଳୀକୁ ଲାଗୁ କରାଯାଇଛି। ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ଵପୂଣ୍ଣ ବୈଠକ ଏନେଇ ସମସ୍ତ ପଦକ୍ଷେପକୁ ମଞ୍ଜୁର ପ୍ରଦାନ କରିଥିବା ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଜିଲ୍ଲା ସ୍ତରରେ ଆବଶ୍ୟକ ଅଧିକାରୀଙ୍କୁ ବିଭିନ୍ନ ସଭା ସମିତି ବାବଦରେ ନିଷ୍ପତ୍ତି ନେବାକୁ କ୍ଷମତାପନ୍ନ କରିଛନ୍ତି। ଏହିକ୍ରମରେ ମହାମାରୀ ରୋଗ ଆଇନ ୧୮୯୭ ଏବଂ ଅପରାଧିକ କୋଡ୍‌ ୧୯୭୩କୁ ପୁଣିଥରେ ଲାଗୁ କରାଯାଇଥିବା ରାଜ୍ୟ ସରକାର କହିଛନ୍ତି। 

ବିଧାୟକଙ୍କୁ ନେତୃତ୍ଵ ନେବାକୁ ଅନୁରୋଧ

ବିଧା୍ରକମାନଙ୍କୁ ସେମାନଙ୍କ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଆବଶ୍ୟକ ସଚେତନତା ସୃଷ୍ଟି ପାଇଁ ନେତୃତ୍ଵ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁଜବ, ଭୁଲ୍‌ ତଥ୍ୟ ଏବଂ ଦାୟିତ୍ଵହୀନତାକୁ ଶକ୍ତ ଭାବେ ବିଚାର କରିବାକୁ ସରକାର ନିର୍ଦେଶ ଦେଇଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା କରୋନା ଭୟରୁ ମୁକ୍ତି ପାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। 

 

 

 

 

Leave a Reply

Your email address will not be published.