ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏ ସବୁ ବନ୍ଦ, ଘରୁ ବାହାରିଲେ ପୁଲିସ ଟେକିନେବ

ଭୁବନେଶ୍ଵର, (ଓଟି): ଆଜି ରାତି ଆଠଟାରୁ ଭୁବନେଶ୍ଵର ଓ ଭଦ୍ରକରେ ସମ୍ପୂଣ୍ଣ ବନ୍ଦ ଘୋଷଣା କରାଯାଇଛି। ଏହି ସମୟରେ ଗ୍ରେସେରୀ ଦୋକାନଠୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ ବନ୍ଦ ରହିବ। ମେଡିସିନ୍‌ ଦୋକାନକୁ ଜିଲ୍ଲା ପ୍ରଶାସନ ଚାହିଁଲେ ଖୋଲିବାକୁ ଅନୁମତି ଦେଇପାରନ୍ତି। କମ୍ୟୁନିଟି ଟ୍ରାନ୍ସମିଶନ୍‌ ଭୟ ଥିବାରୁ ସରକାର ଏହିପରି ପଦକ୍ଷେପ ନେଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଘୋଷଣା କରିଛନ୍ତି।

ଶୁକ୍ରବାର ରାତି ଆଠଟାରୁ ଏହି କର୍ଫ୍ୟୁ ବା ଶଟ୍‌ଡାଉନ୍‌ ଆଦେଶ ପାଳନ କରାଯିବ। ରବିବାର ରାତି ଆଠଟାରେ ମୁକ୍ତ ହେବ। ଏହି ସମୟରେ କାହାକୁ ଘରୁ ବାହାରକୁ ବାହାରିବାର ଅନୁମତି ନାହିଁ। ଯେଉଁମାନେ ବାହାରିବେ ସେମାନଙ୍କୁ ପୁଲିସ ଚାହିଁଲେ ଗିରଫ କରିପାରିବ। ଏବଂ ତାଙ୍କୁ ୧୪ ଦିନିଆ ପ୍ରଶାସନିକ ବ୍ୟବସ୍ଥାରେ ରଖିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ଏହି ସମୟ ଭିତରେ ବୈଜ୍ଞାନିକ ଓ ଟେକ୍ନୋଲୋଜି ଭିତ୍ତିକ ପ୍ରଦକ୍ଷଣ କରାଯିବ। ସ୍ଵାସ୍ଥ୍ୟକର୍ମୀ ଓ ବିଶେଷଜ୍ଞଙ୍କୁ ପରିସ୍ଥିତି ବିଷୟରେ ଯାଞ୍ଚ ପାଇଁ ସମୟ ମିଳିବ। ଏହା ପରେ ଯେଉଁ ରିପୋର୍ଟ ଆସିବ ସେହି ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ପଞ୍ଚମ ରୋଗୀ ଚିହ୍ନଟ ପରେ ରାଜ୍ୟ ସରକାର ଏହିସବୁ ନିଷ୍ପତ୍ତି ନେଇଛନ୍ତି। ଏହି କଡ଼ା ଆଭିମୁଖ୍ୟ ଭବିଷ୍ୟତରେ ଏକ ଆଶଙ୍କିତ ଭୟକୁ ଦୂର କରିବା ପାଇଁ ଉଦ୍ଦିଷ୍ଟ। ଏଣୁ ଜନସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

 

Leave a Reply

Your email address will not be published.