ଆଜି ଓଡ଼ିଶା ଦିବସ ନା ଉତ୍କଳ ଦିବସ!

ଏହା ଏକ ଜଟିଳ ପ୍ରଶ୍ନ- ଆଜି ଉତ୍କଳ ଦିବସ ନା ଓଡ଼ିଶା ଦିବସ? ଏ ପ୍ରଶ୍ନ ଆଜିକାଲିର ଯୁବାବର୍ଗଙ୍କୁ ପଚାରିଲେ ତାହାର କିଛି ଉତ୍ତର ନମିଳିପାରେ କିନ୍ତୁ ପୁରୁଣା ବର୍ଗଙ୍କୁ ପଚାରିଲେ ସେମାନଙ୍କ ମନରେ ଦ୍ଵନ୍ଦ୍ଵ ଆସିବା ସ୍ଵଭାବିକ। କେହି ଏଥିଲାଗି ଏକ ଠିକଣା ଯଥାର୍ଥ ଉତ୍ତର ଦେବାରେ ସକ୍ଷମ ହେବେ ବୋଲି ଏଠି ଦାବି କରାଯାଇ ନପାରେ। ଦେଶର ବଡ଼ବଡ଼ ବିଜ୍ଞ ରାଜନେତା ଏବଂ ପଦାଧିକାରୀମାନେ ମଧ୍ୟ ଏଥିରେ ହଡ଼ବଡ଼ାଇ ଯାଆନ୍ତି। ଆଜି ବି ତାହା ଦେଖିବାକୁ ମିଳିଛି। ଭାରତର ମହାମହୀମ ରାଷ୍ଟ୍ରପତି ଆଜିର ଦିନକୁ ଉତ୍କଳ ଦିବସ ବୋଲି ଅଭିହିତ କରି ଆମେ ଓଡ଼ିଆ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ରାଜ୍ୟପାଳଙ୍କଠାରୁ ମୁଖ୍ୟମନ୍ତ୍ରୀମାନେ ଏହାକୁ ଓଡ଼ିଶା ଦିବସ ବୋଲି ଅଭିହିତ କରିଛନ୍ତି। ଏକ ରିପୋର୍ଟ। 

ଭୁବନେଶ୍ଵର, (ଓଟି): ନିଜକୁ ନିଜେ ଅଭିବାଦନ ଜଣାଇ ଆମର ଅତୀତ ଓ ଗୌରବକୁ ମନେ ପକାଇବାର ଆଜି ଏକ ଉତ୍ତମ ଅବସର। କାରଣ ଆଜିକୁ ଠିକ ୮୪ ବର୍ଷ ପୂର୍ବେ ଆମେ ଆମର ହଜି ଯାଇଥିବା ଇତିହାସରୁ କିଛି ଅଂଶକୁ ଭାଷା ଭିତ୍ତିରେ ଏକାଠି କରି ପରାଧୀନ ଭାରତରେ ଏକ ନୂଆ ପରମ୍ପରା ଆରମ୍ଭ କରିଥିଲୁ। ଆମ ରାଜ୍ୟକୁ ଆମେ ଗଢ଼ିଲା ପରି ଓଡ଼ିଆମାନେ ପ୍ରଥମେ ନିଜ ମାତୃଭାଷା ଆଧାରରେ ବଙ୍ଗଳା, ହିନ୍ଦି ଭାଷାଭାଷୀ ଅଞ୍ଚଳରୁ ଆମ ରାଜ୍ୟର ଅନେକ ଅଂଶକୁ ଉଦ୍ଧାର କଲେ ଆଉ ଏହାକୁ ଏକ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଲାଗି ବାଧ୍ୟ କରିଥିଲେ । ଏହିକ୍ରମରେ ଓଡ଼ିଶା ଗଠନ ହେଲା। ଏଥିରେ ୨୬ଟି ଗଡ଼ଜାତ ବି ରହିଲା। ଅବଶ୍ୟ ସେ ଗଡ଼ଜାତ ଗୁଡ଼ିକ ଗୋଟିଏ ଗୋଟିଏ ରାଜ୍ୟ ବୋଲି ନିଜକୁ କହୁଥିଲେ କିନ୍ତୁ ସମସ୍ତେ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଜୟପୁର ରଜାଙ୍କଠାରୁ ଆରମ୍ଭ କରି ପାରଳା ରଜା ଏବଂ ମୟୁରଭଞ୍ଜ ରଜାଙ୍କଠାରୁ ବାମଣ୍ଡା ରଜା ଯାଏ ସବୁ ରଜା ଓ ଜମିଦାର ଓଡ଼ିଆ ଭାଷାର ସୁରକ୍ଷା ବଜାୟ ରଖିବା ଲାଗି ଯାହାସବୁ ଅବଦାନ କରିଛନ୍ତି ତାହା ଚିର ସ୍ମରଣୀୟ। ଏହି ରିପୋର୍ଟରେ ସେସବୁ ଉଲ୍ଲେଖ କରିବା ସମ୍ଭବ ନୁହେଁ। ଏଠି ମୋ ମାତୃଭାଷା ପାଇଁ ଗର୍ବ କରିବାର ମୁହୂର୍ତ୍ତଟିଏ ତିଆରି କରିବା ଏବଂ ଭାଷା ପାଇଁ କିଛି ସମୟ ଚିନ୍ତା କରିବାକୁ ଏକ ସୁଯୋଗ ଦେବାର ସମୟ।

ଓଡ଼ିଆ ମାତୃଭାଷା ପାଇଁ ପ୍ରଥମେ ଅଭିନନ୍ଦନ

ଓଡ଼ିଆ ଭାବେ ଏକାଠି ହେବା ନିଶ୍ଚିତଭାବେ ଅଭିନନ୍ଦନୀୟ। ଏହା ଏକ ଆତ୍ମବଳ ବୋଲି ଚେତାଇ ପ୍ରତିବର୍ଷ ଆମ ଶାସନ କଳ ଆମକୁ ସମ୍ମାନ ଜଣାଉଛି। ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଜ୍ୟ ମନ୍ତ୍ରିମଣ୍ଡଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏଥିଲାଗି ଆମକୁ ବାର୍ତ୍ତା ପଠାଉଛନ୍ତି।  ଏଥର ବି ତାହା ହୋଇଛି।  କିନ୍ତୁ ଦ୍ଵନ୍ଦ୍ଵ ଯେ,  ରାଷ୍ଟ୍ରପତି ଆଜିର ଦିନକୁ ‘ଉତ୍କଳ ଦିବସ’ କହୁଥିବା ବେଳେ ଓଡ଼ିଶା ସରକାର ଏହାକୁ ‘ଓଡ଼ିଶା ଦିବସ’ ବୋଲି କାହିଁକି କହନ୍ତି।

ନଜର ପକାନ୍ତୁ ରାଷ୍ଟ୍ରପତିଙ୍କ ଟ୍ବିଟ୍‌ ଉପରେ। ସେ ସ୍ପଷ୍ଟ ଭାବେ ଉତ୍କଳ ଦିବସରେ ଆମକୁ ଅଭିନନ୍ଦନ ଜଣାଇଛନ୍ତି। ଆମେ ମଧ୍ୟ ଏହି ଦିବସକୁ ଉତ୍କଳ ଦିବସ ଭାବେ ପାଳନ କରି ଆସୁଛୁ, ଅନେକ ଦିନରୁ। ଏହି ଦିବସରେ ଆମେ ଭୌଗୋଳିକ ଓଡ଼ିଶା ନୁହେଁ ବରଂ ଭାରତର ସମସ୍ତ ଓଡ଼ିଆଙ୍କୁ ଉତ୍କଳୀୟ ବୋଲି କହି ତାହାଙ୍କ ଗୌବରକୁ ବଢ଼ାଇବାକୁ  ତଥା ବିଶ୍ଵର ସବୁ ପ୍ରାନ୍ତରେ ଏକାଠି ରହିବାକୁ ବାର୍ତ୍ତା ଦେଇଛୁ। ଏହା ଆମ ଭାଇଚାରା, ଆମ ବିଶ୍ଵୀକରଣ, ଉଦାର ଭାବନାକୁ ବୟାନ କରେ। ଫଳରେ ପ୍ରତିବର୍ଷ ସାହି, ଗଳି, କନ୍ଦି ଓ ବିଦେଶ ମାଟିରେ ଏକ ଲୋକ ଦିବସ ଭାବେ ଓଡ଼ିଆଙ୍କ ଦ୍ଵାରା ପାଳିତ ହୁଏ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଏପ୍ରିଲ୍‌ ପହିଲାକୁ ଉତ୍କଳ ଦିବସ ଦର୍ଶାଇ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ବାର୍ତ୍ତା

 

ଅନ୍ୟପକ୍ଷରେ ଭାଷାଭିତ୍ତିରେ  ଓଡ଼ିଶାର ଗଠନ ଦିନଟିକୁ ସରକାର ‘ଓଡ଼ିଶା ଦିବସ’ ଭାବେ ଗ୍ରହଣ କରିଛନ୍ତି। ଏଣୁ ଓଡ଼ିଶା ଦିବସଭାବେ ଆମକୁ ଅଭିନନ୍ଦନ ଜଣାଉଛନ୍ତି। ହେଲେ ଏଠାରେ ଥିବା ଓଡ଼ିଆ ପ୍ରାଣଟିକୁ ଏଠାରେ ଉଲ୍ଲେଖ କରାଯାଉ ନାହିଁ। ଯଦିଓ ଭାଷା ଭିତ୍ତିରେ ଆମର ଏକତ୍ରୀକରଣ  ଓ ରାଜ୍ୟ ଗଠନର ଦିନ ଗୋଟିଏ କିନ୍ତୁ ସରକାରୀ ସ୍ତରରୁ ମିଳୁଥିବା ଅଭିନନ୍ଦନରେ ଦୁଇଟି ଭାବନା ଓ ଚିନ୍ତନ ଜଡ଼ିତ। ସେଥିରୁ ଗୋଟିଏ ସଙ୍କୀଣ୍ଣତା ଆଉ ଗୋଟିଏ ସ୍ଥୂଳ ଭାବନାକୁ ବୟାନ କରେ। ପୁଣି ଏହି ଭାବନା ରାଜ୍ୟ ଭିତରେ ଭାଷା ଭିତ୍ତିରେ ଅସାମଞ୍ଜସ୍ୟ ଆଣିବା ଅଥବା କୌଣସି ମାତୃଭାଷାକୁ ନ୍ୟୁନ ଦେଖାଇବାର ବିଚାରଧାରାକୁ ପରୋକ୍ଷ ବା ପ୍ରତ୍ୟକ୍ଷରେ ପ୍ରୋତ୍ସାହିତ କରିଥାଏ। ଶାସନ କଳର ଏହି ବାର୍ତ୍ତା ହେତୁ ରାଜ୍ୟର କିଛି ପ୍ରାନ୍ତରେ ଏହି ଦିବସ ଏକ ଲୋକ ଦିବସ ଭାବେ ଗ୍ରହଣ କରାଯାଉ ନାହିଁ ବରଂ ଏହା ଏକ ସରକାରୀ ଦିନ ଭାବେ କିଛି ସରକାରୀ କର୍ମଚାରୀଙ୍କ ଦ୍ଵାରା ସରକାରୀ ଅଫିସ ଭିତରେ ସୀମିତ ରହୁଛି।

ଓଡ଼ିଶା ନା ଉତ୍କଳ

ଏଠି ଆମେ ମୂଳ ପ୍ରଶ୍ନକଥା ଆଲୋଚନା କରିବା। ଆମେ ଓଡ଼ିଶା କହିବା ନା ଉତ୍କଳ କହିବା। ଆମ ରାଜ୍ୟକୁ ଆମେ ସମ୍ବିଧାନିକ ମର୍ଯ୍ୟାଦା ଅନୁସାରେ ଓଡ଼ିଶା କହିବାକୁ ବାଧ୍ୟ। ଇଂରେଜଙ୍କ ପ୍ରସ୍ଥାନ ପରେ ଆମେ ନିଜ ଶାସନ ନିଜ ହାତକୁ ନେବା ପରେ ମଧ୍ୟ କେବେ ରାଜ୍ୟର ନାମକୁ ବଦଳାଇବାକୁ ଚିନ୍ତା କରି ନାହୁଁ। ଏଣୁ ଓଡ଼ିଶା ଏକ ମର୍ଯ୍ୟାଦା ହୋଇଥିବା ବେଳେ ଉତ୍କଳ ଏକ ଚିନ୍ତନ ବୋଲି ଗ୍ରହଣ କରାଯାଉଛି।  ଏଠାରେ ଏହି ଘଟଣାର ଏକ ପୃଷ୍ଠଭୂମିକୁ  ସଂକ୍ଷେପରେ ଉଲ୍ଲେଖ କରାଯାଇପାରେ।

୧୯୩୬ ମସିହା କଥା। ଯେତେବେଳେ ପଶ୍ଚିମୀ ବିଶ୍ଵରେ ଏପ୍ରିଲ୍‌ ପହିଲାକୁ ବୋକା ଦିନ ଭାବେ ପାଳନ କରାଯାଉଥିଲା ସେତେବେଳେ ଆମ ଗୌରବ ଆମକୁ ଦିଆଯାଇ ଏକାଠି ହେବାର ବାର୍ତ୍ତା ପ୍ରଦାନ କରାଯାଇଥିଲା। ତାହା ଥିଲା ଏପ୍ରିଲ୧ ତାରିଖ। ଭାଷାଭିତ୍ତିରେ ଆମେ ଭାରତର ପ୍ରଥମ ରାଜ୍ୟ ଗଠନ କରିଲୁ। ଏକତା ରକ୍ଷା ପାଇଁ ମାତୃଭାଷା ଯେ ଅତ୍ୟାବଶ୍ୟକ ତାହା ସେତେବେଳର ନେତାମାନେ ପ୍ରତିପାଦନ କଲେ। ଆଉ ଆଜି ବି ତାହାର ମହତ୍ତ୍ଵ ଯଥେଷ୍ଟ। ଆମେ ଯେତେ ବିଜ୍ଞ ହେଲେ , ଯେତେ ପାଶ୍ଚାତ୍ୟ ଶିକ୍ଷା ପାଇଲେ ବା ବିଦେଶରେ ପାଠ ପଢ଼ିଲେ ଅଥବା ସରକାରୀ ଅମଲାତନ୍ତ୍ରର ଚକ୍ରବ୍ୟୁହରେ ପଡ଼ିଲେ ବି ଆମେ ଯେମିତି ଓଡ଼ିଆ ଭାଷାରେ ଯୋଗାଯୋଗ କରିପାରିବା ତାହା ଅନ୍ୟ କୌଣସି ଭାଷାରେ ସମ୍ଭବ ନୁହେଁ।  ସ୍ଵାଧୀନତା ପୂର୍ବରୁ ଏହା ପ୍ରମାଣିତ ହୋଇଛି ଏବଂ  ଗତ କିଛି ଦଶନ୍ଧି ହେଲା ଏହା ନିରନ୍ତରଭାବେ ପ୍ରମାଣିତ ହୋଇଚାଲିଛି।  ସେଥିଲାଗି ଭାଷାକୁ ଶାସନ କଳରେ ଧ୍ୟାନ ଦେବା ଲାଗି ସରକାର ନୀତି ନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇଛନ୍ତି। ଯଦିଓ ଏହା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାାରି ନାହିଁ କିନ୍ତୁ ସେଥିଲାଗି ଉଦ୍ୟମ ଚାଲିଛି।   ଏବେ ଯେତେବେଳେ ବିପର୍ଯ୍ୟୟ ଆସିଛି ସେତେବେଳେ ସରକାରୀ ଯୋଗାଯୋଗକୁ ଶକ୍ତ କରିବା ଲାଗି ଓଡ଼ିଆ ଭାଷାକୁ ମାଧ୍ୟମ କରିଛନ୍ତି ଓଡ଼ିଶା ସରକାର।

ଶେଷକଥା

ବିଶ୍ଵରେ ଯେତେବେଳେ ମାତୃଭାଷା ଏବଂ ଅନେକ ଆଞ୍ଚଳିକ ଭାଷା ପ୍ରତି ବିପଦ ଆସିଛି ବୋଲି ଭାଷାବିତ୍‌ମାନେ ବୟାନ ଦେଉଛନ୍ତି ସେତେବେଳେ ଶାସନ କଳରେ ଭାଷାକୁ ବହୁଳ ଭାବେ ବ୍ୟବହାର କରିବା ଲାଗି ଯେଉଁ ଉଦ୍ୟମ ଓଡ଼ିଶାରେ ହେଉଛି ତାହା ନିଶ୍ଚିତଭାବେ ପ୍ରଶଂସନୀୟ। ଏହା ଭାଷା ଭିତ୍ତିରେ ସଙ୍କୀଣ୍ଣତାକୁ ଦୂର କରିବାରେ ସହାୟକ ହେବ। ଅପରପକ୍ଷେ ଯେଉଁ ରାଜନୀତିକ ଏବଂ ନ୍ୟସ୍ତସ୍ଵାର୍ଥ ବ୍ୟକ୍ତିମାନେ ନିଜର କିଛି କ୍ଷଣିକ ସ୍ଵାର୍ଥ ହାସଲ ପାଇଁ ଭାଷାକୁ ଅଶ୍ରାବ୍ୟ କରିବା ସହ ଅପବ୍ୟବହାର କରୁଛନ୍ତି ଏବଂ ଭାଷା ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ସେମାନେ ଏବେ ସତର୍କ ହେବା ଉଚିତ ଯେ, ଭାଷା ବଞ୍ଚିଲେ ହିଁ ଆମେ ବଞ୍ଚିବା…।

Leave a Reply

Your email address will not be published. Required fields are marked *