ଲୋକଙ୍କ ମଙ୍ଗଳ ପାଇଁ ବଢ଼ିପାରେ #ଲକ୍ଡାଉନ୍
- ଆଉ ମାସେ ଅବଧି ବଢ଼ାଇବାକୁ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅପିଲ
- ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଦେଇଛନ୍ତି ପ୍ରସ୍ତାବ
- ଏପ୍ରିଲ୍ ୨୭ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୧୧୧କୁ ବୃଦ୍ଧି
ଭୁବନେଶ୍ୱର(ଓଡ଼ିଶା ଟାଇମ୍): ରାଜ୍ୟରେ ଧୀରେଧୀରେ ମହାମାରୀ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଆଜି ସନ୍ଧ୍ୟା ସୁଦ୍ଧା ୮ଟି ପଜିଟିଭ୍ ଚିହ୍ନଟ ହୋଇଥିବାବଳେ ଗ୍ରୀନ୍ ଜୋନ୍ରେ ରହିଥିବା କୋରାପୁଟ ଜିଲ୍ଲାରେ ସେ ମଧ୍ୟରୁ ଜଣେ ରହିଛନ୍ତି। ଫଳରେ କୋରାପୁଟ ପାଇଁ ସତର୍କ ଘଣ୍ଟି ବାଜିଛି। ସେହିପରି ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଆଶଙ୍କା ବଢୁଛି। ଏଭଳି ସ୍ଥିତିରେ ରାଜ୍ୟର ମୋଟ ପଜିଟିଭ୍ ସଂଖ୍ୟା ୧୧୧ରେ ପହଞ୍ଚି ଗଲାଣି। ଅନ୍ୟପକ୍ଷରେ କେନ୍ଦ୍ରର ହଟ୍ସ୍ପଟ୍ ଜୋନ୍ ତାଲିକାରେ ରାଜ୍ୟର ରାଜଧାନୀ ଭୁବନେଶ୍ଵର ରହିଆସିଛି। ଏସବୁ ଦୃଷ୍ଟିରୁ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଆସନ୍ତା ମେ ୩ରେ ଦେଶରେ ଲକ୍ଡାଉନ୍ ଅବଧି ସରିବାକୁ ଥିଲେ ମଧ୍ୟ ସ୍ଥାନ ବିଶେଷରେ ଏହା ବଢ଼ିପାରେ ବୋଲି ଆକଳନ କରାଯାଉଛି। ଏପରିକି ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଆଉ ମାସେ ଅବଧି ବଢ଼ାଇବାକୁ ଅପିଲ୍ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କାଳରେ ଅନୁରୂପ ପ୍ରସ୍ତାବ ରଖିଛନ୍ତି।
ସୂଚନାଯୋଗ୍ୟଯେ ଆଜି ଭିଡିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ। ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ନିୟନ୍ତ୍ରଣରେ ରହିଛି। ସେହିପରି ସମସ୍ତ ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ଖୋଲି ଯାଇଛି। କିନ୍ତୁ ଲକ୍ଡାଉନ୍ ଅବଧିକୁ ଆଉ ମାସେ ବଢ଼ାଯିବା ପାଇଁ ସେ କହିଛନ୍ତି। ଅନୁରୂପ ଭାବେ ମାରାତ୍ମକ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଡାଉନ୍ ବଳବତ୍ତର ରଖିବାକୁ ଅନେକ ରାଜ୍ୟ ସରକାର ଚାହୁଥିବାବଳେ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଖାଲି ସେତିକି ନୁହେଁ ପ୍ରବାସୀ ଓଡ଼ିଆମାନେ ଯେଉଁଠାରେ ଅଟକି ରହିଛନ୍ତି ସେହି ରାଜ୍ୟରେ ସେମାନଙ୍କ କରୋନା ପରୀକ୍ଷା କରାଯାଉ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ପ୍ରସ୍ତବା ଦେଇଥିବା ସୂଚନା ମିଳିଛି।
ପ୍ରଧାନମନ୍ତ୍ରୀଙ୍କୁ ଆଉକଣ ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ?
ବାହାର ରାଜ୍ୟରେ ଫସିଥିବା ଓଡ଼ିଶାର ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀଙ୍କ ଯତ୍ନ ନେବାକୁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସେହିପରି ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ଅନ୍ୟମାନଙ୍କୁ ଫେରାଇଆଣିବାକୁ ଏସ୍ଓପି ଲାଗି ପ୍ରସ୍ତାବ ରଖିଛନ୍ତି। ଏଥିସହ ନମୁନା ପରୀକ୍ଷଣ ବ୍ୟବସ୍ଥା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।