ରାଜ୍ୟରେ ପାଳିତ ହେଲା ବିଜୁ ଜୟନ୍ତୀ

ଭୁବନେଶ୍ୱର,କଟକ,ପୁରୀ(ଓଟି): ପୂର୍ବତନ ମୁଖ୍ୟମନ୍ତ୍ରୀ, ଅନନ୍ୟ ରାଜନେତା ତଥା ସାହସୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ତାଙ୍କରି ନାଁରେ ପ୍ରତିଷ୍ଠିତ ବିଜୁ ଜନତା ଦଳ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବାବେଳେ ସାରା ରାଜ୍ୟରେ ଦଳୀୟ ନେତା-କର୍ମୀ ପ୍ରମୁଖ ବିଜୁବାବୁଙ୍କ ପ୍ରତି ଗଭୀର ସମ୍ମାନ ପ୍ରଦର୍ଶନ କରିଛନ୍ତି। ଖାଲି ସେତିକି ନୁହେଁ, ଦଳୀୟ ବାଦ୍‌ ବିଭିନ୍ନ ମହଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କୁ ଅସୀମ ସମ୍ମାନ ପ୍ରଦର୍ଶନ ପୂର୍ବକ ଜୟନ୍ତୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯାଇଛି।

ଏହି ପରିପ୍ରେକ୍ଷୀରେ କଟକ-ଓଏମପିସ୍ଥିତ ବିଜୁ ଶିଳାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଓଏମପି ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟଙ୍କ ସମେତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ଵର୍ଗତ ନେତାଙ୍କୁ ସମ୍ମାନ ପ୍ରଦର୍ଶନ ପୂର୍ବକ ସ୍ମୃତିଚାରଣ କରିଥିଲେ।

ଅନୁରୂପ ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ନିଆରା କୃତିରେ ବିଜୁବାବୁଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି।

ସମ୍ମାନ ପ୍ରଦର୍ଶନ କଲେ ପ୍ରଧାନମନ୍ତ୍ରୀ

ବିଜୁ ବାବୁ ଭାରତର ଅଗ୍ରଗତି ତଥା ଓଡ଼ିଶାର ବିକାଶ ପାଇଁ ନିରନ୍ତର ପରିଶ୍ରମ କରିଛନ୍ତି। ଏଭଳି ଟୁଇଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ମରଣ ପୂର୍ବକ ଇତିହାସର କିଛି ପୃଷ୍ଠା ଟ୍ୱିଟ୍ କରିଛନ୍ତି। ସେଥିରେ ବିଜୁବାବୁଙ୍କ ଅସୀମ ବୀରତ୍ଵ ସ୍ପଷ୍ଟ ପ୍ରତିପାଦିତ ହେଉଛି।

ନିଆରା ନବୀନ, ଦୁଇ ଦଶନ୍ଧିର ଶାସନ

ସମଗ୍ର ଦେଶରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି ନବୀନ ପଟ୍ଟନାୟକ। କ୍ରମାଗତ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ ହେବା ଓ ରାଜ୍ୟ ଭାର ଗ୍ରହଣ କରିବାରେ ନବୀନ ହେଉଛନ୍ତି ପ୍ରଥମ ବ୍ୟକ୍ତି ତଥା ନିଆରା ରାଜନେତା। ବିଜୁ ଜନତା ଦଳକୁ ନେତୃତ୍ୱ ଦେବା ସହ ଦଳର ସଭାପତି ଭାବେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଉଥିବାବେଳେ ସେ ସଫଳତାର ସହ ୨୦ ବର୍ଷ ପୂରଣ କରିସାରିଲେଣି।

୨୦୦୦ ମାର୍ଚ୍ଚ ୫ ତାରିଖରେ ନବୀନ ପ୍ରଥମଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ଅବସର ଥିଲା ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ। ଅନ୍ୟ କୌଣସି ରାଜନେତା ନବୀନଙ୍କ ଭଳି ପୂର୍ବରୁ ରେକର୍ଡ କରିନଥିଲେ ଏବଂ ଆଗକୁ ମଧ୍ୟ ହେବା ସମ୍ଭାବନା କମ୍‌ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବିଜୁ ବାବୁଙ୍କ ଜୟନ୍ତୀ, ରାଜ୍ୟର ପଞ୍ଚାୟତିରାଜ ଦିବସ, ନବୀନଙ୍କ କ୍ରମାଗତ ଶାସନ ଡୋରିର ୨୦ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ପସରା ଛୁଟିଥିବା ଜଣାପଡ଼ିଛି।

Leave a Reply

Your email address will not be published.