ଓଡ଼ିଶା ବନ୍ଦ: ବିଭିନ୍ନ ସ୍ଥାନରେ ପ୍ରଭାବ
ଭୁବନେଶ୍ଵର, (ଓଟି): ନବ ନିର୍ମାଣ କୃଷକ ସମିତି ଡାକରାରେ ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୬ଟାରୁ ଚାଷୀ ଓ ଚାଷୀ ସଂଗଠନର କର୍ମକର୍ତ୍ତାମାନେ ରାଜରାସ୍ତା ଅବରୋଧ କରିଥିବା ଦେଖାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଇ ପୁଲିସ ପକ୍ଷରୁ କୃଷକ ନେତାଙ୍କୁ ଗିରଫ କରାଯାଇଛି।

ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ଦାବିକୁ ସମର୍ଥନ କରାଯାଇଛି। ବାରମ୍ବାର ସରକାରଙ୍କୁ ଚେତାବନୀ ଦେଇ ମଧ୍ୟ ଦାବି ପୂରଣ ହେଉ ନଥିବାରୁ ଚାଷୀ ସଂଗଠନ ଏହି ଭୂମିକା ନେଇଛନ୍ତି। ସକାଳୁ ପଟିଆ-ନନ୍ଦନକାନନ ରୋଡ୍ରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡି ଚଳାଚଳରେ ଅସୁବିଧା ହୋଇଥିଲା।

ଭଦ୍ରକରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ ହୋଇଛି। ସଂଗଠନର କର୍ମକର୍ତ୍ତା ଓ ଚାଷୀମାନେ ଭଦ୍ରକ ସହରର ନୂଆ ବସ୍ଷ୍ଟାଣ୍ଡ ନିକଟରେ ବନ୍ଦ ପାଳନ କରିଛନ୍ତି। ଚାଷୀମାନେ ବସ୍ଷ୍ଟାଣ୍ଡ ସାମ୍ନାରେ ଥିବା ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଭଦ୍ରକରୁ କଟକ, ଭୁବନେଶ୍ୱର ଓ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ ପାଇଁ ଯେତେଥର ଆହ୍ୱାନ ଦିଆଯାଇଛି, ରାଜ୍ୟ ସରକାର ତାକୁ ଭଣ୍ଡୁର କରୁଛନ୍ତି। ପୁଲିସ୍ ଲଗାଇ ଚାଷୀଙ୍କୁ ଅଟକ, ଗିରଫ କରାଯାଇଛି। ଚାଷୀଙ୍କଠାରୁ ମତବ୍ୟକ୍ତ ଓ ଆନ୍ଦୋଳନ କରିବାର ଅଧିକାର ସରକାର ଛଡ଼ାଇ ନେଇଛନ୍ତି।

ଚାଷୀ ଆନ୍ଦୋଳନ ଓ ବନ୍ଦ ଡାକରାକୁ ନେଇ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲଳିତ ଦାସ ଚିଠି କରିଛନ୍ତି। ଆଇନଶୃଙ୍ଖଳା ବଜାୟ ପାଇଁ ସମସ୍ତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କୌଣସି ଅତ୍ୟାବଶ୍ୟକ ସେବା ଯେମିତି ବ୍ୟାଘାତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି। ସକାଳ ୯ଟା ୩୦ ମଧ୍ୟରେ ସବୁ କର୍ମଚାରୀଙ୍କୁ ଅଫିସ୍ରେ ପହଞ୍ଚିବାକୁ ବି ନିର୍ଦ୍ଦେଶ ଦିଆଯାଇଛି।











