#କୋବିଡ୍-୧୯: ବିଧାନସଭା ମେଡିକାଲ୍ ଅଫିସର୍ ନିଲମ୍ବିତ
ଭୁବନେଶ୍ୱର (ଓଟି): ରାଜ୍ୟ ବିଧାନସଭା ମେଡିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ସରକାର। ଏହାସହ ସେ ନିଲମ୍ବନ ଅବଧିରେ କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ କରିବେ ବୋଲି ଆଦେଶ ଦିଆଯାଇଛି। ଏଥିସହ ବିନା ଅନୁମତିରେ ଭୁବନେଶ୍ୱର ଛାଡ଼ି ସେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଛି ।
ସୂଚନା ଅନୁସାରେ ଗତ ଗୁରୁବାର ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ଆକ୍ରାନ୍ତ ବିଧାନସଭା ଡିସପେନସାରି ଆସିଥିଲେ। ସେ ୧୬ତାରିଖ ବିଧାନସଭା ଆସିଥିବା ଜଣାପଡ଼ିଛି। ସେହିପରି ତାଙ୍କୁ ଚିକିତ୍ସା କରିଥିଲେ ଡାକ୍ତର ଲଳିତ। କିନ୍ତୁ ସମ୍ପୃକ୍ତ ଡାକ୍ତର ଏନେଇ ପରବର୍ତ୍ତୀ ପଦକ୍ଷେପ ନେଇନଥିଲେ। ଏହି ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।