ଆଜିଠୁ ଘରେ ରହିପାରିବେ ସ୍ଵଳ୍ପ ଲକ୍ଷଣ ଥିବା କରୋନା ରୋଗୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ ଏଣିକି ସ୍ଵଳ୍ପ ବା ଲକ୍ଷଣ ବିହୀନ କରୋନା ପଜିଟିଭ୍ ବା କୋଭିଡ୍-୧୯ ରୋଗୀଙ୍କୁ ଘରେ ରହିବାକୁ ଅନୁମତି ମିଳିବ। ସେମାନେ ଘରେ ରହି ଚିକିତ୍ସିତ ହେବେ। ସରକାରୀ ସ୍ତରରେ ସେମାନଙ୍କର ନିୟମିତ ଭାବେ ସ୍ଵାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ। ରାଜ୍ୟ ସରକାରକରୋନା ରୋଗୀଙ୍କ ଚିକିତ୍ସା ଓ କ୍ଵାରେଣ୍ଟୀନ୍ ନିୟମାବଳୀରେ ସଂଶୋଧନ ଆଣି ଏହା ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଏପ୍ରିଲ୍ ୨୭ ତାରିଖ ନିର୍ଦେଶାବଳୀ ଆଧାରରେ ଏହି ସଂଶୋଧନ କରାଯାଇଥିବା ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି।
ଏହି ନୂଆ ନିୟମାବଳୀ ଆଧାରରେ ଯଦି କୌଣସି ବ୍ୟକ୍ତି କରୋନା ଭୁତାଣୁ ସଂକ୍ରମିତ ବୋଲି ପରୀକ୍ଷଣ ପରେ ଜଣାପଡ଼ନ୍ତି କିନ୍ତୁ ତାଙ୍କର ଲକ୍ଷଣ ନଥାଏ ବା ସ୍ଵଳ୍ପ ଲକ୍ଷଣ ଥାଏ ତେବେ ତାଙ୍କୁ ଡାକ୍ତରଖଶନା ନିଆଯିବ ନାହିଁ। ସେ ଘରେ ରହି ଆବଶ୍ୟକ ଯତ୍ନ ଓ ସତର୍କତା ରକ୍ଷା କରିବେ। କିନ୍ତୁ ସେଥିପାଇଁ ତାଙ୍କୁ ବିଶେଷ ଧ୍ୟାନ ନେବାକୁ ହେବ। କେଉଁ କେଉଁ କ୍ଷେତ୍ରରେ ଧ୍ୟାନ ଦେବାକୁ ହେବ ସେ ନେଇ ନିୟମାବଳୀ ପ୍ରସ୍ତୁତ ହୋଇଛଇ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।
ଏହି ନିର୍ଦେଶାବଳୀ ଅନୁସାରେ, ସମ୍ପୃକ୍ତ ଚିହ୍ନିତ ଲକ୍ଷଣ ବିହୀନ ବା ସ୍ଵଳ୍ପ ଲକ୍ଷଣର ବ୍ୟକ୍ତିଙ୍କ ଘରେ ସ୍ଵତନ୍ତ୍ର ପ୍ରକୋଷ୍ଠ ଏବଂ ସ୍ଵାତନ୍ତ୍ର ଗାଧୁଆଘର ରହିଥିବା ଆବଶ୍ୟକ।
ଦ୍ଵିତୀୟରେ ସମ୍ପୃକ୍ତ ରୋଗୀ ଏକାନ୍ତରେ ସେଠାରେ ରହିବେ ଏବଂ କୌଣସି ଭାବେ ବାହାରକୁ ଆସିବେ ନାହିଁ। ଏଥିନେଇ ଏକ ଅଣ୍ଡରଟେକିଂ ଗ୍ରହଣ କରିବାକୁ ସେ ବାଧ୍ୟ।
ଏଥିଲାଗି ସରକାରଙ୍କ ପକ୍ଷରୁ ଅଲିଭା କାଳିରେ ତାଙ୍କ ହାତରେ ଏକ ଷ୍ଟାମ୍ପ ଲାଗିବ। ଘର ଦୁଆର ମୁହଁରେ ଏକ ଷ୍ଟିକର ଲଗାଯିବ।
ଏହି ନିୟମାବଳୀ ସହ ରାଜ୍ୟ ସରକାର ସ୍ଵଳ୍ପ ଲକ୍ଷଣ ବା ଲକ୍ଷଣ ବିହୀନ କୋଭିଡ୍ ରୋଗୀଙ୍କୁ ହସ୍ପିଟାଲ୍ରୁ ଘରକୁ ଛାଡ଼ିବା କ୍ଷେତ୍ରରେ ମଧ୍ୟ ନୂଆ ନିୟମାବଳୀ ଲାଗୁ କରିଛନ୍ତି। ଏହି ନିୟମାବଳୀ ଆଧାରରେ ଡାକ୍ତରଖଶନାରେ ଥିବା ଏହି ବର୍ଗର କୋଭିଡ-୧୯ ରୋଗୀ ଯଦି ୧୦ ଦିନ ଧରି ହସ୍ପିଟାଲ୍ରେ ରହିବା ପରେ ଯଦି ୩ ଦିନ ଲଗାତାର ଜ୍ବର ନଥାଏ ତେବେ ତାଙ୍କୁ ହସ୍ପିଟାଲ୍ରୁ ମୁକ୍ତି ମିଳିବ ବୋଲଇ ଶ୍ରୀ ମହାପାତ୍ର କହିଛନ୍ତି।
ଏହି ନିୟମାବଳୀକୁ ବିଭିନ୍ନ ଜିଲ୍ଲାକୁ ଆଜି ପଠାଯିବ। ସେହି ଅନୁସାରେ କାର୍ଯ୍ୟ ପାଇଁ ନିର୍ଦେଶ ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବିଶେଷ କରି ସହରାଞ୍ଚୂରେ ଏହା ଲାଗୁ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।