ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ
ଭୁବନେଶ୍ଵର(ଓଡ଼ିଶା ଟାଇମ୍): ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକମାନେ ଅଖିମଠି ଅନୁକୂଳ କରି କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି । ତେବେ ମହାମାରୀ କରୋନା ଭାଇରସ ଆତଙ୍କ ଯୋଗୁଁ ଏହାକୁ ସରକାରୀ ଭାବେ ପାଳନ ନକରି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଔପଚାରିକ ଭାବେ ଆଜି ନୟାଗଡ ଦଳୀୟ କାର୍ଯ୍ୟାଳୟ ନିକଟସ୍ଥ ଜଣେ କୃଷକଙ୍କ ଜମିରେ ଅଖିମୁଠି ଅନୁକୂଳ କରିଛନ୍ତି। ସମସ୍ତ ପୂଜାପାଠ ସରିବା ପରେ ମନ୍ତ୍ରୀ ବିହନ ବୁଣିବା ସହ ହଳ ଲଙ୍ଗଳ ଧରି ଚାଷ କାର୍ଯ୍ୟ କରିଛନ୍ତି।
ପ୍ରକାଶଯୋଗ୍ୟ ଯେ କୃଷକମାନେ ଅକ୍ଷୟ ତୃତୀୟାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଚାଷୀଙ୍କ ପାଇଁ ଏହା ହେଉଛି ଏକ ବଡ଼ ଶୁଭର ଦିନ। ଖାଲି ସେତିକି ନୁହେଁ ଏହି ଦିନରେ ଓଡ଼ିଶାର ପୂରପଲ୍ଲୀର ଚାଷୀମାନେ ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଏପରିକି ଆଜିର ଦିନରେ ଯେଉଁ କାର୍ଯ୍ୟ ଆରମ୍ଭ କରାଯାଏ ତାହା ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ମହାମାରୀ କରୋନା ମୁକାବିଲା କରିବା ପାଇଁ ଲକଡାଉନ ଜାରି ରହିଥିବାବେଳେ କୃଷି କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର କରାଯାଇଥିବା ନିୟମ କୋହଳ କରିଛନ୍ତି। କୃଷକମାନେ ବିନା ଦ୍ୱିଧାରେ ସାମାଜିକ ଦୂରତା ରକ୍ଷା କରି କୃଷି କାମ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।