ଫନି ଚିନ୍ତା: ଗୁରୁବାର ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ଅନୁରୋଧ କଲେ ସରକାର

ଭୁବନେଶ୍ଵର, (ଓଟି): ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶା ଭୁହାଁ ହେଉଛି। ଓଡ଼ିଶା ସରକାରଙ୍କ ସ୍ଵତନ୍ତ୍ର ରିଲିଫ୍‌ କମିଶନଙ୍କ ସୂଚନା ଅନୁସାରେ ବୁଧବାର ପାହାନ୍ତି ସୁଦ୍ଧା ‘ଫନି’ର କେନ୍ଦ୍ରବିନ୍ଦୁ ପୁରୀଠାରୁ ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ ଥିଲା। ଏହା କ୍ରମଶଃ ଉପକୂଳ ମୁହାଁ ହେଉଥିବାରୁ ୨ ତାରିଖରୁ ବିଭିନ୍ନ ଉପକୂଳ ଜିଲ୍ଲାରେ ଘୂଣ୍ଣି ଝଡ଼, ଲଗାଣ ବର୍ଷା ଦେଖିବାକୁ ମିଳିବା ଆଶଙ୍କା ରହିଛି। ଏଣୁ ବିଭିନ୍ନ କ୍ଷେତ୍ରରେ ସତର୍କ ରହି କ୍ଷୟକ୍ଷତିକୁ ସୀମିତ କରିବା ସକାଶେ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଏହିକ୍ରମରେ ସ୍ଵତନ୍ତ୍ର ରିଲିଫ୍‌ କମିଶନର ଦୁଇ ତାରିଖ ସନ୍ଧା ସୁଦ୍ଧା ପୁରୀରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ଅନୁରୋଧ କରିଛନ୍ତି। ଏହାଦ୍ଵାରା ସେମାନଙ୍କ ଧନ ଜୀବନ ସୁରକ୍ଷିତ ରହିବ ଏବଂ ସମ୍ଭାବ୍ୟ ଆଶଙ୍କାକୁ ଦୂରେଇ ଦିଆଯାଇ ପାରିବ। ସେହିପରି ବାତ୍ୟା ପ୍ରଭାବିତ ହେବରକୁ ଥିବା ୧୧ଟି ଜିଲ୍ଲାକୁ ଆବଶ୍ୟକ ନଥିଲେ ପ୍ରସ୍ତାବିତ ଗନ୍ତବ୍ୟ ବାତିଲ କରିବାକୁ ନିର୍ଦେଶ ଦିଆଯାଇଛି।

ବାତ୍ୟା ପ୍ରଭାବରେ ଏହି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା, ଘୂଣ୍ଣି ଝଡ଼ ଓ ବନ୍ୟା ଆଶଙ୍କା ରହିଛି। ୩ ଓ ୪ ମେ ଯାଏ ହି ବାତ୍ୟାର ପ୍ରଭାବ ଓଡ଼ିଶାରେ ରହିପାରେ ବୋଲି ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published.