ସୁଲଗ୍ନା ମହାନ୍ତି: ସି ଇନ୍‌ସ୍ପାୟର୍ସ ଅଜ୍

ଭୁବନେଶ୍ୱର(ଓଟି): ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରହିଥିବା ତଥା ପ୍ରେରଣାଦାୟୀ ମହିଳାଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା କ୍ୟାମ୍ପେନ୍ ‘ସି ଇନ୍‌ସ୍ପାୟର୍ସ ଅଜ୍’ ( #SheInspiresUs)ରେ ସ୍ଥାନ ପାଇଛନ୍ତି ସୁଲେଖିକା ସୁଲଗ୍ନା ମହାନ୍ତି। ସୋସିଆଲ୍‌ ମିଡିଆରେ ମଧ୍ୟ ଖୁବ୍‌ ଜଣାଶୁଣା ଏହି ଓଡ଼ିଆ ଲେଖିକାଙ୍କ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ‘ସି ଇନ୍‌ସ୍ପାୟର୍ସ ଅଜ୍‌’ରେ ଏନେଇ ଟ୍ୱିଟ୍ କରାଯାଇଛି। ଏଥିସହ ଲେଖିକା ସୁଲଗ୍ନା ମଧ୍ୟ ନିଜ ସୋସିଆଲ୍‌ ଆକାଉଣ୍ଟ୍‌ରେ ଏ ସମ୍ପର୍କରେ ପୋଷ୍ଟ ସେୟାର୍‌ କରି ବନ୍ଧୁବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ପ୍ରେରଣାପ୍ରଦ ଖବର ପାଇବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି।

ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ ସୁଲଗ୍ନା ମହାନ୍ତିଙ୍କୁ ଓଡ଼ିଆ ଭାଷା-ସାହିତ୍ୟକୁ ସୋସିଆଲ ମିଡିଆରେ ପ୍ରୋତ୍ସାହିତ କରୁଥିବା ଦର୍ଶାଯାଇଛି। ଏଥିସହ ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଉଲ୍ଲେଖ କରାଯାଇଛି। ଖାଲି ସେତିକି ନୁହେଁ ଏଚଆଇଭି ପଜିଟିଭ୍ ପିଲାମାନଙ୍କ ପାଇଁ ସେ କରୁଥିବା ସାମାଜିକ କାର୍ଯ୍ୟ ଓ ଭୂମିକାକୁ ମଧ୍ୟ ପ୍ରଶଂସା କରାଯାଇଛି ।

ଏହିପରିପ୍ରେକ୍ଷୀରେ ଏଭଳି ପ୍ରେରଣା ତାଙ୍କୁ ଆହୁରି ଆଗକୁ ଯିବାକୁ ଇନ୍ଧନ ଯୋଗାଇବ ବୋଲି ଲେଖିକା ସୁଲଗ୍ନା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ସୁଲଗ୍ନା ସମ୍ପ୍ରତି ଓଡ଼ିଶା ବାହାରେ କାର୍ଯ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ସେ ଖୁବ୍‌ ଚର୍ଚ୍ଚିତ ଓ ଲୋକପ୍ରିୟ। ତାଙ୍କ ଗଳ୍ପ ପୁସ୍ତକ ନାଲିଚୁଡ଼ା ବେଶ୍‌ ପାଠକୀୟ ଆଦୃତି ଓ ସ୍ଵୀକୃତି ଲାଭ କରିପାରିଛି।

Leave a Reply

Your email address will not be published. Required fields are marked *