ଶହଶହ ଓଡ଼ିଆ ଶ୍ରମିକ #ସୁରାଟରେ ଡହଳବିକଳ
ଭୁବନେଶ୍ଵର (ଓଟି): ଗୁଜରାଟର ସୁରାଟରେ ଓଡ଼ିଶାର ଶହଶହ ଶ୍ରମିକ ଫସି ଯାଇଛନ୍ତି। ପାଖରେ କିଛି ବି ପଇସା ନାହିଁ କି ଭୋକରେ ପେଟ ଜଳିଯାଉଥିବାବେଳେ ମିଳୁନି ମୁଠେ ଖାଦ୍ୟ। ଲକ୍ଡାଉନ୍ ପରଠାରୁ କାମ କରୁଥିବା କମ୍ପାନୀ ସେମାନଙ୍କ ଖାଇବା ପିଇବା ସବୁ ବନ୍ଦ କରିଦେଇଛି। ଯାହା କିଛି ରାସନ ସାମଗ୍ରୀ ଓ ପଇସା ଥିଲା ସେସବୁ କେବେଠୁ ସରିଲାଣି। ଫଳରେ ଜୀବନ ଅସହ୍ୟ ହୋଇଗଲାଣି। କେହି ଶୁଣୁନାହାନ୍ତି ଦୁଃଖ। ଏଭଳି ସାଂଘାତିକ ସ୍ଥିତିରେ #ଲକ୍ଡାଉନ୍ ଜାରି ରହିଥିବାରୁ ସେମାନେ ସ୍ଵଗୃହକୁ ଫେରି ପାରୁନାହାନ୍ତି। ତେଣୁ ଚାଲିଚାଲି ଫେରିବାକୁ ବ୍ୟାକୁଳ ହୋଇ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ିଛନ୍ତି।
ଅନ୍ୟପକ୍ଷରେ ସମସ୍ୟାରେ ଘାଣ୍ଟି ହେଉଥିବା ଶହଶହ ଶ୍ରମିକ ଦୁଃଖ ଅସହ୍ୟ ହେବା ପରେ ନିଆଁ ଜାଳି ପ୍ରତିବାଦର ସ୍ଵର ଉଠାଇଛନ୍ତି ଓ ଘରକୁ ଫେରିବାକୁ ନିବେଦନ କରିଛନ୍ତି। ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ଖାଇବା-ପିଇବାକୁ ଦେବା ବନ୍ଦ କରିଦେଇଛି। ପାଖରେ କିଛି ବି ରାସନ ସାମଗ୍ରୀ ନାହିଁ। ପଇସାପତ୍ର ମଧ୍ୟ ନାହିଁ କିଛି କିଣିବାକୁ। ତେଣୁ ସେମାନେ ଭୋକକଷ୍ଟ ସହିନପାରି ବିଳମ୍ବିତ ରାତିରେ ରାସ୍ତାରେ ନିଆଁ ଜାଳି ସମସ୍ୟା ଜଣାଇବା ସହ ଚାଲିଚାଲି ଘରକୁ ଫେରିଯିବେ ବୋଲି ଗୁହାରୀ ଜଣାଇଛନ୍ତି।
ଗୁଜରାଟ-ସୁରାଟର ଡାଇମଣ୍ଡ ନଗର ଓ ଏହି ଅଞ୍ଚଳ ଅନ୍ତର୍ଗତ ବିପୁଲ ନଗରରେ ଓଡ଼ିଆ ଶ୍ରମିକଙ୍କ ଏଭଳି ଅସହ୍ୟ ଅବସ୍ଥା ହୋଇଥିବା ଜଣାପଡ଼ିଛି। ତେବେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବା ଅନେକ ଶ୍ରମିକମାନଙ୍କୁ ଗୁଜରାଟ ପୁଲିସ୍ ଗିରଫ କରିନେଇଥିବା ମଧ୍ୟ ସୂଚନା ମିଳିଛି। ପୁଲିସ୍ ଗିରଫ କରିଥିବା ୧୦୦ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ସାନଖେମୁଣ୍ଡି ଅଞ୍ଚଳର ଅନେକ ରହିଥିବା ଜଣାପଡ଼ିଛି। ଘଟଣା ଜଟିଳ ଆଡ଼କୁ ଯାଉଥିବାବେଳେ ଅନ୍ୟ ଶ୍ରମିକମାନେ ଥାନା ଘେରାଉ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଏପଟେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ନିବେଦନ ଜଣାଇଛନ୍ତି।
ଦୁଃଖ ବଖାଣିଲେ ଜଣେ ସମ୍ପର୍କୀୟ…
ସୁରାଟର ଅମରୋଲୀରେ ରହୁଥିବା ଜଣେ ଓଡ଼ିଆ ଦୁଃଖ ଜଣାଇବା ସହ ଉକ୍ତ ଘଟଣା ସମ୍ପର୍କରେ କିଛି ସୂଚନା ଦେଇଛନ୍ତି। ସେ ହେଉଛନ୍ତି ଗଞ୍ଜାମର ସୁରେଶ ଖୁଣ୍ଟିଆ। ସେ ଦୀର୍ଘଦିନ ହେଲା ଗୁଜରାଟରେ କାମ କରୁଛନ୍ତି। ସୁରେଶଙ୍କ କହିବା ହେଲା- ସମ୍ପ୍ରତି ଏଠାରେ ଓଡ଼ିଆ ଶ୍ରମିକଙ୍କୁ ଭଲ ଦୃଷ୍ଟିରେ ବ୍ୟବହାର କରାଯାଉନି। କରୋନା ମହାମାରୀର ଭୟ ଓ ସେଥିପାଇଁ ଲକ୍ଡାଉନ୍ ଚାଲିଥିବାବେଳେ ଓଡ଼ିଆମାନେ ଖୁବ୍ ହଇରାଣ ହେଉଛନ୍ତି। ଏପରିକି କେତେକ ସ୍ଥାନରେ ବିନା କାରଣରେ ପୁଲିସ୍ ଜୁଲମ୍ କରୁଥିବା ଅନେକ ଅଭିଯୋଗ କରିଛନ୍ତି। ତେବେ ଡାଇମଣ୍ଡ ନଗରରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ରହୁଛନ୍ତି। ଏପରିକି ଗଞ୍ଜାମ ଜିଲ୍ଲା ଭଞ୍ଜନଗର-ଆସିକା ମଧ୍ୟ ଭାଗରେ ରହିଥିବା ଗାଙ୍ଗପୁର ଅଞ୍ଚଳର ଅନେକ ଡାଇମଣ୍ଡ ନଗରରେ କାମ କରୁଥିବାବେଳେ ଖାଇବାକୁ ନପାଇ ଭୋକ-ଉପାସରେ ରହିଛନ୍ତି। ଶୁକ୍ରବାର ସକାଳୁ ସେ ତାଙ୍କ ଭାଇକୁ ଫୋନ୍ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ କାହିଁକି ସେ ରିସିଭ୍ କରୁନି ବୋଲି ସୁରେଶ ବ୍ୟସ୍ତ ହୋଇପଡ଼ିଛନ୍ତି। ତେବେ ଅନ୍ୟ ଜଣେ ପିଲାଙ୍କ ସହ ସେ କଥାବାର୍ତ୍ତା ହୋଇଥିବାବେଳେ ତାଙ୍କ କମ୍ପାନୀ କିଛି ରନ୍ଧାଖାଦ୍ୟ ଦେଉଥିଲେ ମଧ୍ୟ ପେଟପୂରା ନୁହେଁ ବୋଲି ସୁରେଶ ଜାଣିବାକୁ ପାଇଲେ ବୋଲି ଆମକୁ କହିଛନ୍ତି।
ଭୋକ ଉପାସରେ ଫସି ରହିଥିବା ସମସ୍ତ ଓଡ଼ିଆ ଶ୍ରମିକଙ୍କ ଦୁଃଖ ଦୂର କରିବା ପାଇଁ ଓଡ଼ିଶା ସରକାରଙ୍କୁ ସୁରେଶ ବିନମ୍ର ନିବେଦନ ଜଣାଇଛନ୍ତି।
——————————————————————
ରିପୋର୍ଟ: ଏସ୍ପି