ଦୁବାଇରୁ ଫେରିଲା ଦୁଃଶାସନଙ୍କ ମରଶରୀର: ବୈଜୟନ୍ତ ପଣ୍ଡାଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର, (ଓଟି): ଦୁବାଇରେ ପାଇପ୍‌ ମିସ୍ତ୍ରୀ ଭାବେ କାମ କରୁଥିବା ଓଡ଼ିଆ ପୁଅ ଦୁଃଶାସନଙ୍କ ପାତ୍ରଙ୍କ ମରଶରୀର ଶନିବାର ତାଙ୍କ ଗାଁକୁ ଫେରିଛି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଫଳରେ ତାଙ୍କ ମରଶରୀର ମର୍ଯ୍ୟାଦା ସହକାରେ ଫେରିବା ସହଜ ହୋଇଥିଲା। ଭୁବନେଶ୍ଵର ବିମାନବନ୍ଦରେ ତାଙ୍କ ମରଶରୀରରେ ଶ୍ରଦ୍ଧା ପୁଷ୍ପ ଅର୍ପଣ କରି ଶ୍ରୀ ପଣ୍ଡା ସମ୍ପୃକ୍ତ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ଦୁଃଶାସନ ଗତ ୫ ବର୍ଷ ହେଲାଣି ଦୁବାଇରେ ପାଣିପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ। ଦୁଃଶାସନ ୮ ମାସ ତଳେ ଘରକୁ ଆସିଥିଲେ ଏବଂ ଅନ୍ୟ ଏକ ନୂଆ କମ୍ପାନୀରେ କାମ କରିବା ପାଇଁ ଚୁକ୍ତିବଦ୍ଧ ହେବା ପରେ ସେ ପୁଣି ଦୁବାଇ ଯାଇଥିଲେ। ଦୁବାଇରେ ରହୁଥିବା ଅନ୍ୟ ପିଲାମାନେ ଦୁଃଶାସନଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଗତ ଡିସେମ୍ବର ୩୧ ତାରିଖରେ ଜଣାଇଥିଲେ। ନିଃସହାୟ ପରିବାର ଦୁଃଶାସନଙ୍କ ମରଶରୀର ଫେରାଇ ଆଣିବା ପାଇଁ କୌଣସି ଉପାୟ ନପାଇ ପ୍ରଶାସନ ଏବଂ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରିଥିଲେ।

ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଓଡିଶାର ବେକାର ଯୁବକ ରାଜ୍ୟରେ କାମଧନ୍ଦା ନପାଇ ଦାଦନ ଖଟିବାକୁ ରାଜ୍ୟ ତଥା ଦେଶ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ବିମାନ ବନ୍ଦରରେ ଦୁଃଶାସନଙ୍କ ମରଶରୀରକୁ ଶ୍ରୀ ପଣ୍ଡାଙ୍କ ଉପସ୍ଥିତିରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Leave a Reply

Your email address will not be published.