#କୋଭିଡ୍-୧୯: ଓଡ଼ିଆ ଡାକ୍ତରଙ୍କ ଲଣ୍ଡନରେ ମୃତ୍ୟୁ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନାରେ ଆଉଜଣେ ପ୍ରବାସୀ ଓଡ଼ିଆଙ୍କ ପ୍ରାଣ ଚାଲିଯାଇଛି। ଲଣ୍ଡନରେ ରହିଥିବା ୭୦ବର୍ଷ ବୟସ୍କ ଓଡ଼ିଆ ଡାକ୍ତର ରାଧାରମଣ ଶର୍ମା ପ୍ରାଣ ହରାଇଛନ୍ତି। ଲଣ୍ଡନ ଓଡ଼ିଆ ସୋସାଇଟିର ସଦସ୍ୟ ଥିଲେ ଡାକ୍ତର ଶର୍ମା। ଫଳରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ଏଠାରେ ସ୍ମରଣଯୋଗ୍ୟ ଯେ ଏହା ପୂର୍ବରୁ ନିକଟରେ ଆଉଜଣେ ପ୍ରବାସୀ ଓଡ଼ିଆଙ୍କ କରୋନା ଜନିତ ମୃତ୍ୟୁ ଘଟିଥିଲା। ସେ ହେଉଛନ୍ତି ସୁନନ୍ଦା ପଣ୍ଡା। ୫୦ ବର୍ଷ ବୟସ୍କା ସୁନନ୍ଦା ଆମେରିକାରେ ରହୁଥିଲେ ଓ ସେଠାରେ ହିଁ କରୋନା ସଂକ୍ରମିତରେ ପ୍ରାଣ ହରାଇଥିବା ଜଣାପଡ଼ିଥିଲା।

ସୂଚନା ଅନୁସାରେ ରାଧାରମଣ କଟକ ଷ୍ଟୁଆର୍ଟ ସ୍କୁଲ ଏବଂ ଏସ୍‌ସିବି ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ। ପରେ ସେ ବ୍ରିଟେନ୍‌ ଚାଲିଯାଇଥିଲେ। ଉତ୍ତମ ଗୁଣ ଓ ସେବା ମନୋବୃତ୍ତି ପାଇଁ ସେ ସବୁରି ପ୍ରିୟ ହୋଇପାରିଥିଲେ। ଏଥିସହ ବିଦେଶରେ ଓଡ଼ିଆ ସୋସାଇଟିର ସକ୍ରିୟ ସଦସ୍ୟ ଭାବେ ବେଶ୍‌ ସୁନାମ ରହିଥିଲା ଡାକ୍ତର ଶର୍ମାଙ୍କର। ଏଠାରେ ପ୍ରକାଶ ଥାଉକି ସାରା ବିଶ୍ୱରେ କୋଭିଡ୍‌-୧୯ ତଥା କରୋନା ଭୂତାଣୁ ଆତଙ୍କ ଖେଳାଇ ଚାଲିଛି। ବିଶ୍ୱର ୨୦୮ ଦେଶକୁ ବ୍ୟାପିଥିବା ଏହି ଭୂତାଣୁ ଲାଗି ଚାରିଆଡ଼େ ତ୍ରାହି ତ୍ରାହି ଡାକ ପଡ଼ିଛି।

Leave a Reply

Your email address will not be published.