ସବୁଦିନ ଚଳାଚଳ କରିବ ରାଉରକେଲା-ଗୁଣୁପୁର ରାଜ୍ୟରଣୀ ଏକ୍ସପ୍ରେସ
ଭୁବନେଶ୍ଵର, (ଓଟି): ଶନିବାରଠାରୁ ସବୁଦିନ ଚାଲିବ ରାଉରକେଲଶ-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍। ରେଳଯାତ୍ରୀଙ୍କର ସୁବିଧା ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ଵାରା ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ସପ୍ତାହକୁ ୬ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।
ଏହି ଟ୍ରେନ ପାଇଁ ବିଭିନ୍ନ ସ୍ଥାନରେ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ I
ପୂର୍ବରୁ ରାଜ୍ୟରଣୀ ଏକ୍ସପ୍ରେସ ସପ୍ତାହକୁ ୩ ଦିନ ଭାବେ ଝାରସୁଗୁଡା ଓ ଭୁବନେଶ୍ୱର ମଧ୍ୟରେ ନଭେମ୍ବର ୨୦୧୧ ଠାରୁ ପ୍ରଚଳନ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଏହାକୁ ୨୦୧୨ ଜୁଲାଇ ମାସ ଠାରୁ ରାଉରକେଲାକୁ ସମ୍ପ୍ରସାରିତ କରାଯାଇଥିଲା I ଏହି ଟ୍ରେନକୁ ପୁନର୍ବାର ୨୦୧୭ ମାର୍ଚ୍ଚ ମାସ ଠାରୁ ଗୁଣୁପୁରକୁ ସମ୍ପ୍ରସାରଣ କରାଗଲା ଯାହା ଫଳରେ ଏହା ରାଉରକେଲା ଓ ଭୁବନେଶ୍ୱର ସହିତ ଗଜପତି ଓ ରାୟଗଡା ଜିଲ୍ଲାର ବିଭିନ୍ନ ସହରକୁ ସିଧାସଳଖ ଭାବେ ଟ୍ରେନ ଦ୍ୱାରା ସଂଯୋଗ କରାଯାଇ ପାରିଲା I ଯାତ୍ରୀ ମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ୨୦୧୯ ମାର୍ଚ୍ଚ ମାସ ଠାରୁ ଏହି ଟ୍ରେନ କୁ ସପ୍ତାହରେ ୩ ଦିନ ପରିବର୍ତ୍ତେ ୬ ଦିନ ଚଳାଚଳ କରାଗଲା I ଏବଂ ଏହାର ସେବାକୁ ପୁନର୍ବାର ଚଳିତ ମାସ ୨୮ ତାରିଖ ଠାରୁ ରାଉରକେଲାରୁ ଏବଂ ୨୯ ତାରିଖ ଠାରୁ ଗୁଣୁପୁରରୁ ସପ୍ତାହରେ ସବୁଦିନ ଚଳାଚଳ କରାଯିବ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି I
ଏହି ଟ୍ରେନ ରାଉରକେଲା ଠାରୁ ରାତ୍ର ୯ଘ.୨୦ମି.ରେ ଛାଡି ତା’ପରଦିନ ଅପରାହ୍ନ ୧ଘ.୩୫ମି.ରେ ଗୁଣୁପୁର ଠାରେ ପହଞ୍ଚୁଥିବାବେଳେ ଫେରିବା ପଥରେ ଏହା ଗୁଣୁପୁର ଠାରୁ ଅପରାହ୍ନ ୩ଘ.୧୫ମି.ରେ ଛାଡି ରାଉରକେଲାଠାରେ ତା’ପରଦିନ ସକାଳ ୮ ଘଟିକାରେ ପହଞ୍ଚୁଛି I
ଏବେ ଏହି ଟ୍ରେନ ଗୋଟିଏ ଏସି-୨ ଟାୟାର, ଦୁଇଟି ଏସି-୩ ଟାୟାର, ଚାରିଟି ସ୍ଲିପର କ୍ଲାସ, ପାଞ୍ଚଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ ଭ୍ୟାନ ସହିତ ସମୁଦାୟ ୧୩ ଟି କୋଚରେ ଚଳାଚଳ କରୁଥିବା ବେଳେ ଏହା ରାଉରକେଲା ଓ ଗୁଣୁପୁର ମଧ୍ୟରେ କାନ୍ସବାହାଲ, ରାଜଗାଙ୍ଗପୁର, ଗରପୋଷ, ବାମରା, ବାଗଡିହ, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ନିରାକାରପୁର, ବାଲୁଗାଁ, ଛତ୍ରପୁର, ବ୍ରହ୍ମପୁର, ଇଚ୍ଛାପୂରମ, ସୋମପେଟା, ପଲାସା, ନୌପଡା ଏବଂ ପାରଳାଖେମୁଣ୍ଡି ଷ୍ଟେସନ ମାନଙ୍କରେ ରହଣି କରୁଛି I