ଆଗରେ ଅର୍ଣ୍ଣବ, ପଛରେ ପାଲଘର୍

ବରେନ୍ଦ୍ରକୃଷ୍ଣ ସାହୁ

ରୋନା ପାଇଁ ସାରା ଦେଶ ଲକ୍ ଡାଉନ୍ । ନିଜ ଜୀବନକୁ ସୁରକ୍ଷିତ ରଖିବା ଚିନ୍ତାରେ ଲୋକେ, ଆଉ ମହାମାରୀରୁ ଲୋକଙ୍କୁ କେମିତି ମୁକୁଳାଇବେ ସେ ଚିନ୍ତାରେ ସରକାର । ଏଭଳି ସ୍ଥିତିରେ ସରକାରଙ୍କ ପଦକ୍ଷେପ, ବିରୋଧୀଙ୍କୁ ବିଶ୍ୱାସକୁ ନେଲା ଭଳି ହୋଇଥିବା ବେଳେ ଅଧିକାଂଶ ବିରୋଧୀ ଦଳ ମଧ୍ୟ ସହଯୋଗ କରୁଛନ୍ତି । ପୂର୍ବାପେକ୍ଷା, ବର୍ତ୍ତମାନ ଆକ୍ଷେପ-ପ୍ରତି ଆକ୍ଷେପମୂଳକ ରାଜନୀତି ସର୍ବନିମ୍ନ ସ୍ତରରେ ରହିଛି । ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଡାକ୍ତରଙ୍କ କାମ ଚାପ ବଢ଼ାଇ ଦେଇଥିବା ବେଳେ  ଅତିରିକ୍ତ ଆଇନ ଶୃଙ୍ଖଳା ବୋଝ ମୁଣ୍ଡାଇ ଥିବା ପୁଲିସର ଟେନସନ୍ ବଢାଇ ଦେଉଛି ଦେଶର କିଛି କିଛି ସ୍ଥାନରେ ଘଟୁଥିବା ଧର୍ତ୍ତବ୍ୟ ଅପରାଧ ।  

ମହାରାଷ୍ଟ୍ର ପାଲଘରରେ ଦୁଇ ଜଣ ସାଧୁ ଓ ସେମାନଙ୍କ ଡ୍ରାଇଭରଙ୍କୁ ପିଟି ପିଟି ହତ୍ୟା କରାଯିବା ନିହାତି ସମ୍ବେଦନଶୀଳ । ଯାହା କରୋନା ମାଡ଼ିଲା ଭଳି ଦେଶରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାର ଆଶଙ୍କା ରଖୁଥିଲା ।ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ସଂପ୍ରଦାୟର ବ୍ୟକ୍ତି ସଂପୃକ୍ତ ନଥିବା, ତଥ୍ୟ-ପ୍ରମାଣ ଆଧାରରେ ତୁରନ୍ତ ସ୍ପଷ୍ଟ କରିଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ଅନ୍ୟପକ୍ଷରେ ମାମଲାରେ ମହାରାଷ୍ଟ୍ର ପୋଲିସ, ପାଖାପାଖି ଶହେ ଲୋକଙ୍କୁ ଗିରଫ କରି ତଦନ୍ତ ଚଳାଇଥିବାବେଳେ ରିପବ୍ଲିକ୍ ଟିଭି ଆଙ୍କର ଅର୍ଣ୍ଣବ ଗୋସ୍ୱାମୀ, ପ୍ରସଙ୍ଗକୁ ଗୁରୁତ୍ୱହୀନ କରିଦେଲେ । ଖବର ଉପସ୍ଥାପନା କରୁ କରୁ ନିଜେ ଖବରର ଶିରୋନାମା ପାଲଟି ଗଲେ ସେ । ମୁମ୍ବାଇ ପୋଲିସ୍ ଉପରେ ଆଉ ଗୋଟେ ମାମଲାର ତଦନ୍ତ ଲଦି ଦେଇ ଚାପ ଆହୁରି ବଢ଼ାଇଦେଲେ । ଯେଉଁଥିପାଇଁ ପାଲଘର ହତ୍ୟାକାଣ୍ଡକୁ ନେଇ ଏବେ ଯେତିକି ଚର୍ଚ୍ଚା ହେଉନି, ତାଠାରୁ ଅଧିକ ଚର୍ଚ୍ଚା ହେଉଛି ଅର୍ଣ୍ଣବଙ୍କୁ ନେଇ । ଅର୍ଣ୍ଣବଙ୍କ ନାଁରେ ବିଭିନ୍ନ ରାଜ୍ୟର ବିଭିନ୍ନ ଥାନାରେ ମାମଲା, ତାଙ୍କ ଉପରେ ଆକ୍ରମଣ, ଆଗୁଆ ଜାମିନ୍ ପାଇଁ ଅର୍ଣ୍ଣବ ଗଲେ ସୁପ୍ରିମକୋର୍ଟ, ଗିରଫଦାରୀରୁ ବଞ୍ଚବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ୩ ସପ୍ତାହ ସମୟ ଦେଲେ, ପୁଣି ମୁମ୍ବାଇର ଏନ୍.ଏମ୍ ଯୋଶୀ ଥାନା ପୁଲିସ ଅର୍ଣ୍ଣବଙ୍କୁ ୧୨ ଘଣ୍ଟା ଜେରା କଲା। ଏମିତି ଦିନକୁ ଦିନ ବିଭିନ୍ନ ଖବର ଡେଭଲପ୍ ହେଉଛି । ଯାହା ପାଲଘର ଘଟଣାକୁ ଲୋକଲୋଚନରୁ ପଛକୁ ହଟାଇ ଦେଇଛି ।  

ମାମଲାରେ ସୋନିଆ ଗାନ୍ଧିଙ୍କୁ ଟାଣିବା ଏବଂ ଅର୍ଣ୍ଣବଙ୍କ ଉପସ୍ଥାପନା ଶୈଳୀ ଓ ଶବ୍ଦ ଚୟନ, ଅତୀତ ହୋଇଗଲାଣି । ଏବେ ପ୍ରସଙ୍ଗ, ଅର୍ଣ୍ଣବ ଯେଉଁସବୁ କଥା କହିଛନ୍ତି, ସେସବୁର ତଥ୍ୟ ପ୍ରମାଣ ଦିଅନ୍ତୁ । ୧୨ ଘଣ୍ଟାର ଜେରାରେ ମୁମ୍ବାଇ ପୋଲିସ୍, ତାଙ୍କ ଠାରୁ ତଥ୍ୟ ପ୍ରମାଣ ଓଗାଳିବାକୁ ଚେଷ୍ଟା କରିଛି । ତେବେ ଟିଭି ଶୋ’ରେ ସେ ଯାହା କହିଥିଲେ, ତାହା ଠିକ୍ ବୋଲି ପୋଲିସ୍ ଆଗରେ କହିଥିଲେ ମଧ୍ୟ ବଳିଷ୍ଠ ତଥ୍ୟ-ପ୍ରମାଣ ଉପସ୍ଥାପନ କରିନାହାନ୍ତି । ତେଣୁ ତଦନ୍ତ ଆଧାରରେ ମାମଲାରେ ଆଇପିସି ଏବଂ ସିଆଆରପିସିର କେଉଁ ଧାରାସବୁ ଲାଗୁ ହେବ, ସେ ନିଷ୍ପତ୍ତି ପୁଲିସର । ଏଭଳି ସ୍ଥିତିରେ ରିପବ୍ଲିକ୍ ଟିଭି ମଧ୍ୟ ଅର୍ଣ୍ଣବଙ୍କ ପକ୍ଷ ବଳିଷ୍ଠ କଲା ଭଳି, ପାଲଘର ମାମଲାରେ ସୋନିଆ ଗାନ୍ଧିଙ୍କ ସନ୍ଦେହଜନକ ସଂପୃକ୍ତି ଥିବା ନେଇ କୌଣସି ସନ୍ ସନି କିମ୍ବା ଅନୁସନ୍ଧାନମୂଳକ ରିପୋର୍ଟ ଦେଖାଇ ପାରୁନି ।

କିଛି କିଛି ସମ୍ବେଦନଶୀଳ ଅପରାଧିକ ଘଟଣାର ତଦନ୍ତ ବେଳେ ପୁଲିସ୍ ଉପରେ ଚାପ ପଡ଼ିବା ଆମ ଦେଶରେ ନୂଆ ନୁହେଁ । ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ଓ ମହାରାଷ୍ଟ୍ର ସରକାର, ରାଜନୈତିକ ଦୃଷ୍ଟିକୋଣରୁ ପରସ୍ପରର ବିରୋଧୀ ହୋଇଥିବାରୁ ପାଲଘର ହତ୍ୟାକାଣ୍ଡର ତଦନ୍ତ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସମ୍ଭାବନା ରହୁଛି । ତେବେ ନ୍ୟାୟାଳୟ ଉପରେ କିନ୍ତୁ ଆମକୁ ଭରସା ଓ ବିଶ୍ୱାସ ରଖିବାକୁ ପଡ଼ିବ । କାରଣ, କେସ୍ ଡାଏରୀ ଦେଖିବା ପରେ, ଯଦି ତଦନ୍ତ ଠିକ୍ ଭାବେ ହୋଇ ନଥିବା କୋର୍ଟ ଅନୁଭବ କରନ୍ତି, ତେବେ ପୁଣି ଥରେ ପୋଲିସକୁ ନେଇ ତଦନ୍ତର ସଠିକ ଟ୍ରାକରେ ଠିଆ କରାଇଦେଇ ପାରିବେ । ତେଣୁ ଏଭଳି ସ୍ଥିତିରେ ସମ୍ବେଦନଶୀଳ ଧର୍ତ୍ତବ୍ୟ ଅପରାଧର ଖବର ପରିବେଷଣ ବେଳେ ସାମ୍ବାଦିକ ଯଦି ପୋଲିସ୍ କିମ୍ବା ବିଚାରପତି ହେବାକୁ ଚେଷ୍ଟା କରନ୍ତି, ତେବେ ନିଜେ ଅପଦସ୍ତ ହେବା ଥୟ। ଏଣୁ ଖବର ପରିବେଷଣ ମାଧ୍ୟମରେ ପୁଲିସର ଷଷ୍ଠ ଇନ୍ଦ୍ରିୟକୁ ସକ୍ରିୟ କରାଇ ତଦନ୍ତକୁ ପ୍ରକୃତ ଅପରାଧୀ ପାଖକୁ ନେଇ ପାରିଲେ ସାବାସୀ ମିଳିବ ।

ଏ କ୍ଷେତ୍ରରେ ପାଲେଷ୍ଚାଇନର ପୂର୍ବତନ ନେତା ୟାସାର୍ ଆରାଫତ୍ ଅଲ୍ଲୀଙ୍କ ମୃତ୍ୟୁ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ୍ ଜଜିରାର ଅନୁସନ୍ଧାନମୂଳକ ରିପୋର୍ଟକୁ ଉଦାହରଣ ଭାବେ ଉପସ୍ଥାପନ କରାଯାଇପାରେ । ୨୦୦୪ରେ ଆରାଫତଙ୍କ ମୃତ୍ୟୁ, ସ୍ୱାଭାବିକ ଥିଲା ବୋଲି କୁହାଗଲା । ଏହାକୁ ନେଇ ଅଲ୍ ଜଜିରା ମନ ବୁଝିଲାନି ସତ, କିନ୍ତୁ ଖବରକୁ ନେଇ ସଂପୃକ୍ତ ଗଣମାଧ୍ୟମ ହାଉ ହାଉ ହେଲାନି, ବରଂ ଗୋଟିଏ ପଏଣ୍ଟକୁ ଆଧାର କରି ଆରମ୍ଭ କଲା ଅନୁସନ୍ଧାନମୂଳକ ରିପୋର୍ଟିଂ । ଆରାଫତଙ୍କ ମୃତଦେହର ବ୍ୟବଚ୍ଛେଦ ପାଇଁ ତାଙ୍କ ସ୍ତ୍ରୀ ସୁହା ମନା କରିଥିବା କୁହାଗଲା । ସିଧା ସୁହାଙ୍କ ପାଖରେ ପହଞ୍ଚିଲା ଅଲ୍ ଜଜିରା । ଆଉ ସୁହା, ସେ ବାବଦରେ କିଛି ଜାଣି ନଥିବା କହିବା ପରେ ଚୁପ୍ ଚାପ୍ ଲୁଚି ଛପି ଅନୁସନ୍ଧାନ କରି କରି ସାଇଲେଣ୍ଟ କିଲର୍ ରେଡିଓ ଆକ୍ଟିଭ୍ ପୋଲୋନିଅମ୍-୨୧୦ ପାଖରେ ପହଞ୍ଚିଲା ଅଲ୍ ଜଜିରା । ଆଉ ପ୍ରମାଣ କରି ଦେଖାଇଦେଲା, ଆରାଫତଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଛି। ଏହିଭଳି କିଛି ରିପୋର୍ଟ ଯଦି ରିପବ୍ଲିକ୍‌ ଉପସ୍ଥାପନ କରିପାରିବ ତେବେ ହୁଏତ ଅଣ୍ଣବଙ୍କ ପଲା ଭାରି ହେବ। ନହେଲେ ତାହା ସାମ୍ବାଦିକତା ଦୁନିଆ ପାଇଁ ଆଉଥରେ ସମାଲୋଚନାର ବାଟ ଫିଟାଇବ।

ଲେଖକଙ୍କ ଅନ୍ୟ ଆଲେଖ୍ୟ ପଢ଼ିବା ପାଇଁ ନିମ୍ନ ଲିଙ୍କ୍‌କୁ କ୍ଲିକ୍‌ କରନ୍ତୁ।

ସତ୍ତା ଓ ସାମ୍ବାଦିକତା

Leave a Reply

Your email address will not be published. Required fields are marked *