ଏଥର ଫୋକସ ଉପକୂଳ ଓ ଉତ୍ତର
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟର ମତଦାନ ସରିଛି। ଆଉ ଦୁଇ ପର୍ଯ୍ୟାୟ ବାକି ଅଛି। ସରିଯାଇଥିବା ଦୁଇ ପର୍ଯ୍ୟାୟରେ ୯ଟି ଲୋକସଭା ଏବଂ ୬୩ଟି ବିଧାନସଭା ଆସନ ପାଇଁ ଭୋଟ ସରିଛି। କେତେକ ସ୍ଥାନରେ ଇଭିଏମ ଗଡବଡ଼ି ଓ ବୁଥ ରିଗିଂ ଅଭିଯୋଗ ହୋଇଛି।

ବାକି ଯେଉଁ ଦୁଇଟି ପର୍ଯ୍ୟାୟ ଅଛି, ସେଥିରେ ୧୨ଟି ଲୋକସଭା ଏବଂ ୮୪ଟି ବିଧାନସଭା ଆସନ ପାଇଁ ମତଦାନ କରାଯିବ। ୨୩ ତାରିଖରେ ୬ଟି ଲୋକସଭା ଏବଂ ୨୯ ତାରିଖରେ ଅବଶିଷ୍ଟ ୬ଟି ଲୋକସଭା ପାଇଁ ଭୋଟ ଗ୍ରହଣ କରାଯିବ।
ଏହି ୧୨ଟି ଲୋକସଭା ଏବଂ ୮୪ଟି ବିଧାନସଭା ଫଳ ହିଁ ନିର୍ଦ୍ଧାରଣ କରିବ ଓଡ଼ିଶାର ରାଜନୀତିର ଭାଗ୍ୟ ଓ ଭବିଷ୍ୟତ। ତେଣୁ ଉପକୂଳ ଏବଂ ଉତ୍ତର ଓଡ଼ିଶା ଦଖଲ ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ ଏକ ବଡ଼ ଲଢ଼େଇର ସଂକେତ ମିଳିସାରିଛି।
ଯେଉଁ ଦୁଇଟି ପର୍ଯ୍ୟାୟର ମତଦାନ ସରିଛି ତାହା ମୁଖ୍ୟତଃ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ସୀମିତ ଥିଲା। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ ଆସନ ସମ୍ୱଲପୁର ସକାଶେ ୨୩ରେ ମତଦାନ କରାଯିବ।
ଉପକୂଳ ଏବଂ ଉତ୍ତର ଓଡ଼ିଶା ବିଜୁ ଜନତା ଦଳର ଦୁର୍ଗ ବୋଲି କୁହାଯାଇଥାଏ। ଏହି ୧୨ଟି ଲୋକସଭା ଆସନ ସବୁ ବିଜୁ ଜନତାଦଳ ହାତରେ ରହିଛି। ୮୪ଟି ବିଧାନସଭା ଆସନ ମଧ୍ୟରୁ ଭାରତୀୟ ଜନତା ପାର୍ଟି ହାତରେ ୨ଟି, କଂଗ୍ରେସ ହାତରେ ୪ଟି ଆସନ ଥିବାବେଳେ ଗୋଟିଏ ସ୍ୱାଧୀନ ପ୍ରାର୍ଥୀଙ୍କ ହାତରେ ଅଛି। ବାକି ୭୭ଟି ଆସନ ଅଛିବିଜୁ ଜନତା ଦଳ ହାତରେ।
ତେଣୁ ବାକି ଥିବା ବିଧାନସଭା ଆସନଗୁଡ଼ିକର ଫଳାଫଳ ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ସହଜରେ ଅନୁମାନ କରାଯାଇପାରେ।
ପଞ୍ଚମଥର କ୍ଷମତା ଲାଗି ବାକି ଦୁଇଟି ପର୍ଯ୍ୟାୟ ନିର୍ବାଚନ ନବୀନଙ୍କ ପାଇଁ ନିର୍ଣ୍ଣାୟକ ହେବ ବୋଲି ଅନୁମାନ କରାଯାଉଛି। ସରିଥିବା ଦୁଇଟି ପର୍ଯ୍ୟାୟରେ ବିଜୁ ଜନତା ଦଳ ଭାରତୀୟ ଜନତା ପାର୍ଟିଠାରୁ ଶକ୍ତ ଚାଲେଞ୍ଜର ସାମ୍ନା କରିଛି।
ଭୋଟ ଫଳାଫଳ ସମ୍ପର୍କରେ ଶାସକ ଦଳ ଆସ୍ଥାବାନ ନଥିବା ପରି ମନେହେଉଛି। ମୋଦୀ ହାୱା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣରେ ଦୃଶ୍ୟମାନ ହେଉଥିବାରୁ ଉପକୂଳ ଏବଂ ଉତ୍ତର ଓଡ଼ିଶା ଭୋଟର କେଉଁଆଡ଼କୁ ମୁହାଁଇବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି।
୨୩ ତାରିଖ ଦିନ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱରକୁ ଆସୁଛନ୍ତି। ଗତକାଲି ରାଜନାଥ ସିଂ ଉତ୍ତର ଓ ପୂର୍ବ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକବୀ ରାଜ୍ୟର ମୁସଲମାନ ବହୁଳ ଅଞ୍ଚଳରେ ପ୍ରଚାର କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏବଂ ଭୁବନେଶ୍ୱରରେ ରୋଡ ଶୋ’ କରିବା ପରେ ଶୁକ୍ରବାର ଦିନ କରିଛନ୍ତି ପୁରୀରେ ରୋଡ ଶୋ’। ବାଣପୁର ସଭାରେ ସେ ଚିଲିକା କାର୍ଡ ଖେଳିଛନ୍ତି। କେନ୍ଦ୍ରାପଡ଼ାକୁ ସେ ଦୁଇଥର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି।
ତଳସ୍ତରରେ ଶାସକ ଦଳ ଭିତରେ ଯେଉଁ ଅସନ୍ତୋଷ ଏବଂ କନ୍ଦଳ ସୃଷ୍ଟି ହୋଇଛି, ତାହା ଯଦି ମୋଦୀ ହାୱା ଯୋଗୁଁ ଏକ ବଡ଼ ଝଡ଼ରେ ପରିଣତ ହୁଏ, ତେବେ ପ୍ରଥମଥର ପାଇଁ ଉପକୂଳ ଦୁର୍ଗ ଦୋହଲି ଯାଇପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ଏହି ଦୁର୍ଗ ସୁରକ୍ଷିତ ରଖିବାରେ ନବୀନ ଯଦି ସଫଳ ହୁଅନ୍ତି, ତେବେ ତାଙ୍କ ପଞ୍ଚମଥର ମୁଖ୍ୟମନ୍ତ୍ରୀ ହେବା ଅତି ସହଜ ହୋଇଯିବ ବୋଲି ମନେ କରୁଛନ୍ତି ସମୀକ୍ଷକମାନେ।