ବଜେଟ୍‌ ୨୦୨୦: ଦେବାଳିଆ ହେଲେବି ବ୍ୟାଙ୍କ ଦେବ ୫ ଲକ୍ଷ

ଭୁବନେଶ୍ଵର, (ଓଟି):ବ୍ୟାଙ୍କ୍‌ ଜମାକାରୀଙ୍କୁ ଅଧିକ ସୁରକ୍ଷା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ସଂସଦରେ ବଜେଟ୍‌ ୨୦୨୦କୁ ଉପସ୍ଥାପନ କରିବା ସମୟରେ ନିର୍ମଳା ବ୍ୟାଙ୍କ୍‌ ଜମାକାରୀଙ୍କ ଜମା ରାଶିକୁ ଅଧିକ ସୁରକ୍ଷିତ କରିବାକୁ ଚାହିଁଛନ୍ତି। ଏହିକ୍ରମରେ ୧ ଲକ୍ଷ ଟଙ୍କା ଯାଏ ଲାଗୁଥିବା ଗ୍ୟାରେଣ୍ଟି ବ୍ୟବସ୍ଥାକୁ ୫ ଲକ୍ଷ ଟଙ୍କା ଯାଏ ସମ୍ପ୍ରସାରିତ କରାଯାଇଛି। ଏହାଦ୍ଵାରା କୌଣସି ବ୍ୟକ୍ତି ଯଦି କୌଣସି ବ୍ୟାଙ୍କ୍‌ରେ ନିଜ ପୁଞ୍ଜି ଜମା ରଖିଥାଏ ଏବଂ ସେହି ବ୍ୟାଙ୍କ୍‌ ଦେବାଳିଆ ଘୋଷିତ ହୁଏ ତେବେ ସମ୍ପୃକ୍ତ ବ୍ୟାଙ୍କ୍‌ ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କା ଜମାରାଶି ଯାଏ ଅର୍ଥ ଫେରାଇବାକୁ ବାଧ୍ୟ ହେବେ। ପୂର୍ବରୁ ଏହା ୧ ଲକ୍ଷ ଟଙ୍କା ଥିଲା। 

ସମ୍ପ୍ରତି ପ୍ରଚଳିତ ବ୍ୟବସ୍ଥା ଅନୁସାରେ ସମସ୍ତ ବାଣିଜ୍ୟିକ୍‌ ବ୍ୟାଙ୍କ୍‌ ଏବଂ ସମବାୟ ସମିତିରେ ଥିବା ଜମାଧନକୁ ‘ଡିପୋଜିଟ୍‌ ଇନ୍ସୁରାନ୍ସ ଏବଂ କ୍ରେଡିଟ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌’ ( ଡିଆଇସିଜିସି)ଙ୍କ ଠାରେ ବୀମାଭୁକ୍ତ କରିବା ବ୍ୟବସ୍ଥା ରହିଛି। ଏଥିପାଇଁ ରିଜର୍ଭ ବ୍ୟାଙ୍କ୍‌ ଶକ୍ତ ନିର୍ଦେଶ ରଖିଛନ୍ତି। କିନ୍ତୁ ପ୍ରାଥମିକ ସମବାୟ ସମିତିମାନେ ଏଥିରୁ ବାଦ୍‌ ଦିଆଯାଇଛି। 

ରିଜର୍ଭ ବ୍ୟାଙ୍କ୍‌ଙ୍କ ନିର୍ଦେଶ  ଅନୁସାରେ ଏବେ ଜମାକାରୀଙ୍କ ୧ ଲକ୍ଷ ଟଙ୍କା ଯାଏ ଜମା ପୁଞ୍ଜିକୁ ବୀମାଭୁକ୍ତ କରାଯାଇଛି। ଅର୍ଥାତ୍‌ ୧ ଲକ୍ଷରୁ ଅଧିକ ଟଙ୍କା ଜମା ଥିଲେ ମଧ୍ୟ ବ୍ୟାଙ୍କ ଦେବାଳିଆ ହେଲେ ଗ୍ରାହକଙ୍କୁ କେବଳ ୧ ଲକ୍ଷ ଟଙ୍କା ମିଳିପାରୁଥିଲା। ଏବେ ୨୦୨୦-୨୧ ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିବା ନିୟମାବଳୀ ଅନୁସାରେ ବ୍ୟାଙ୍କୁ ଜମା କାରୀଙ୍କୁ ୫ ଲକ୍ଷ ଟଙ୍କା ଯାଏ ବୀମା ଗ୍ୟାରେଣ୍ଟି ଦେବେ। ଅର୍ଥାତ୍‌ ଯଦି ବ୍ୟାଙ୍କ୍‌ ଦେବାଳିଆ ହୁଏ ତେବେ ୫ ଲକ୍ଷ ଟଙ୍କା ଯାଏ ଜମା ପୁଞ୍ଜି ସମ୍ପୃକ୍ତ ଜମାକାରୀ ଫେରି ପାଇବେ। ହେଲେ ଏଥିରେ ସୁଧ ହିସାବକୁ ନିଆଯିବ ନାହିଁ।

ପୁଣି ସ୍ୟଞ୍ଚୟ, କରେଣ୍ଟ ବା ବଣ୍ଡ ଜମାକୁ ଏହି ଗ୍ୟାରେଣ୍ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।ହେଲେ ସରକାରୀ ପୁଞ୍ଜି ଜମା, ବିଦେଶୀ ସରକାରଙ୍କ ଅର୍ଥ ବା କୌଣସି ଅନ୍ୟ ବ୍ୟାଙ୍କ ଜମା ରାଶିକୁ ଏଥିରୁ ବାଦ୍‌ ଦିଆଯାଇଛି। 

ପିଏମ୍‌ସି ଘୋଟାଲା ପରେ ଅର୍ଥନୀତିକମାନେ ୫୦ ଲକ୍ଷ ଟଙ୍କା ଯାଏ ଜମା ଗ୍ୟାରେଣ୍ଟି ପାଇଁ ଦାବି କରିଥିଲେ। ସରକାର ଏହି ଦାବିକୁ ରକ୍ଷା କରି ତାହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। 

Leave a Reply

Your email address will not be published. Required fields are marked *