ରାଜ୍ୟରେ ନୋଟା ଭୋଟ ସଂଖ୍ୟା ବୃଦ୍ଧି
- ୩ ଲକ୍ଷ ୨୮ ହଜାର ୨୭୭ ଭୋଟ୍ ନୋଟାରେ
- ନବରଙ୍ଗପୁର ଲୋକସଭା ଆସନରେ ସର୍ବାଧିକ ୩.୮୪% ନୋଟା ଭୋଟ୍
- ଜଗତସିଂପୁର ଲୋକସଭା ଆସନରେ ସର୍ବନିମ୍ନ ୦.୪୯% ନୋଟା ଭୋଟ୍
ଚଳିତ ନିର୍ବାଚନରେ ଫଳାଫଳ ଆସିବା ପରେ ରାଜନୈତିକ ଦଳମାନଙ୍କ ମନୋନୀତ ପ୍ରାର୍ଥୀଙ୍କୁ ବିରୋଧ କରି ଭୋଟରମାନେ ଅଧିକ ସଂଖ୍ୟାରେ ନୋଟା (ନନ୍ ଅଫ ଦିଜ୍ ଏଭବ)ରେ ଭୋଟ ଦେଇଥିବା ଜଣାପଡିଛି। ଏପରି କି କେତେକ ନିର୍ବାଚନ ମଣ୍ଡଳୀରେ ବିଜୟୀ ପ୍ରାର୍ଥୀଙ୍କ ବ୍ୟବଧାନ ଠାରୁ ନୋଟାରେ ଅଧିକ ସଂଖ୍ୟକ ଭୋଟ ପଡିଥିବା ମିଳିଛି। ଯାହାର ପ୍ରମାଣ କୋରପୁଟ ଲୋକସଭା ଆସନରୁ ସ୍ପଷ୍ଟ ହୋଇଛି।
କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ୪୯୯୭ ରହିଥିବା ବେଳେ ନୋଟାରେ ୩୬,୫୬୧ ଖଣ୍ଡ ଭୋଟ ପଡିଛି। କେବଳ କୋରାପୁଟ ନୁହଁ ସମସ୍ତ ୨୧ଟି ଲୋକସଭା ଆସନର ସମାନ ଅବସ୍ଥା। ନବରଙ୍ଗପୁର ଲୋକସଭା ଆସନରେ ନୋଟର ହାର ସର୍ବାଧିକ ୩.୮୪% ରହିଥିବା ବେଳେ ଜଗତସିଂପୁର ଲୋକସଭା ଆସନରେ ସର୍ବନିମ୍ନ ୦.୪୯% ରହିଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ପ୍ରାୟ ୩.୧୮ କୋଟି ଭୋଟରଙ୍କ ମଧ୍ୟରୁ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମୋଟ ୨କୋଟି ୧୫ ଲକ୍ଷ ୬୬ ହଜାର ୩୮୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୮ ହଜାର ୨୭୭ ଜଣ ଭୋଟର ବିଭିନ୍ନ ରାଜନୈତକ ଦଳର ମନୋନିତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖାନ କରି ନନ୍ ଅଫ ଦିଜ୍ ଏଭବ ବା ନୋଟାରେ ଭୋଟ ଦେଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥ ହେଉଛି, ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ନୋଟାର ପ୍ରତିଶତ ସବୁଠାରୁ ଅଧିକ। କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ ନୋଟା ଭୋଟ ସଂଖ୍ୟା ୩୬,୫୬୧ ଅର୍ଥାତ୍ ୩.୩୮% ରହିଥିବା ବେଳେ ମୟୂରଭଞ୍ଜ ଲେକାସଭା ଆସନରେ ୨୧,୩୫୭ (୧.୮୬%), କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ୨୧,୧୯୯ (୧.୭୩%), କେନ୍ଦୁଝରରେ ୧୯,୨୦୪ (୧.୬୩%), କନ୍ଧମାଳ ଜିଲ୍ଲାରେ ୧୩,୨୫୩ (୧.୪୧%), ବଲାଙ୍ଗିରରେ ୧୬,୦୦୧(୧.୨୨%),ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀରେ ୧୪,୧୬୭ ଅର୍ଥାତ ୧.୧୪% ନୋଟା ଭୋଟ ପଡିଛି । ତେବେ ଉପକୂଳ ଓଡିଶାର କୌଣସି ଲୋକାସଭା ଆସନରେ ୧% ଅଧିକ ନୋଟା ଭୋଟ ପଡ଼ିନଥିବା ଜଣାପଡିଛି ।