ରାଜ୍ୟରେ୨ ଲକ୍ଷ ୭୧ ହଜାର ୩୩୬ଟି ଭୋଟ ନୋଟାକୁ

ନବରଙ୍ଗପୁରରେ ସର୍ବାଧିକ ୪୪ହଜାର ୪୦୮ଟି ଭୋଟ ନୋଟାକୁ

ଉପକୂଳ ନିର୍ବାଚନମଣ୍ଡଳୀରେ ନୋଟାକୁ ଅପେକ୍ଷାକୃତ କମ ଭୋଟ

ରାଜ୍ୟରେ ଭୋଟର ଏବେ ବି ଇଭିଏମରେ ଭୋଟ ଦେବା ନେଇ ସମ୍ପୁର୍ଣ୍ଣ ସଚେତନ ହୋଇନାହାଁନ୍ତି। କିମ୍ବା ବିଭିନ୍ନ ଦଳ ବା ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ସେମାନଙ୍କ ପସନ୍ଦ ନୁହଁନ୍ତି। ଗତ ନିର୍ବାଚନରେ ନୋଟାକୁ ଯେତିକି ଭୋଟ ଯାଇଛି ସେଥିରୁ ଏମିତି ସଙ୍କେତ ମିଳୁଛି।

ଗତ ସାଧାରଣ ନିର୍ବାଚନରେ ବିଧାନସଭାରେ ୧୪୭ ନିର୍ବାଚନମଣ୍ଡଳୀରେ ମୋଟ ୨ କୋଟି ୧୫ ଲକ୍ଷ ୩୨ହଜାର ୬୮୦ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ସେମଧ୍ୟରୁ ୨ ଲକ୍ଷ ୭୧ ହଜାର ୩୩୬ଟି ଭୋଟ ନୋଟାକୁ ଯାଇଥିଲା। ଅର୍ଥାତ ଯେତିକି ଲୋକ ଭୋଟ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୧.୩ ପ୍ରତିଶତ ଭୋଟର ନୋଟାକୁ ପସନ୍ଦ କରିଛନ୍ତି।

ସେହିଭଳି ଲୋକସଭା କ୍ଷେତ୍ରରେ ୨୧ଟି ଲୋକସଭା ଆସନରେ ୩ଲକ୍ଷ ୩୨ ହଜାର ୭୮୦ଜଣ ଭୋଟର ନୋଟାରେ ଭୋଟ ଦେଇଛନ୍ତି। ନବରଙ୍ଗପୁରରେ ସର୍ବାଧିକ ୪୪ହଜାର ୪୦୮ଟି ଭୋଟ ନୋଟାକୁ ଯାଇଛି । କୋରାପୁଟରେ ୩୩ହଜାର ୨୩୨, କେନ୍ଦୁଝରରେ ୨୬ହଜାର ୬୫, ମୟୁରଭଂଜରେ ୨୩ହଜାର ୫୧୭, ବଲାଙ୍ଗିରରେ ୨୧ହଜାର ୪୩, କଳାହାଣ୍ଡିରେ ୨୦ହଜାର ୮୮୦ ଓ ସୁନ୍ଦରଗଡରେ ୧୫ହଜାର ୮୩୫ଜଣ ମତଦାତା ନୋଟାରେ ଭୋଟ ଦେଇଛନ୍ତି । ସାମଗ୍ରୀକ ଭାବେ ୨୧ଟି ଯାକ ଲୋକସଭା ଆସନର ଭୋଟକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ପୁରୀ, ଭୁବନେଶ୍ବର ଭଳି ଉପକୂଳ ନିର୍ବାଚନମଣ୍ଡଳୀରେ ନୋଟାକୁ ଅପେକ୍ଷାକୃତ କମ ଭୋଟ ଯାଇଛି । ଅନ୍ୟପକ୍ଷରେ ଆଦିବାସୀ ଅଧ୍ୟୁଷିତ ଏବଂ ପଶ୍ଚିମ ଓଡିଶାର ପଛୁଆ ଜିଲ୍ଲାରେ ନୋଟାର ଭୋଟ ହାର ଅଧିକ ।

ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଲୋକଙ୍କ କହିବା ଅନୁଯାୟୀ, ଭୋଟର ସଚେତନତା ଅଭାବରୁ ସେମାନେ ନୋଟାରେ ଭୋଟ ଦେଉଛନ୍ତି । ଇଭିଏମରେ ସଙ୍କେତ ବୁଝିନପାରି ସେମାନେ ନୋଟାରେ ଭୋଟ ଦେଉଛନ୍ତି । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ଆକଳନ କହୁଛି, ବିଭିନ୍ନ ରାଜନୈତିକ ଘଟଣାକ୍ରମ ମଧ୍ୟରେ ପ୍ରାର୍ଥୀଙ୍କୁ ପସନ୍ଦ କରୁନାହାଁନ୍ତି ଭୋଟର । ଯେଉଁଥିପାଇଁ ନୋଟାର ଭୋଟ ହାର ଉଦବେଗଜନକ ଭାବେ ଅଧିକ ରହୁଛି । ତେବେ ଉପକୂଳ ଏବଂ ଦକ୍ଷୀଣ, ଉତ୍ତର ଓ ପଶ୍ଚିମ ଓଡିଶାର ନୋଟ ଭୋଟ ହାରରେ ଦେଖାଯାଉଥିବା ତାରତମ୍ୟ କେବଳ ମନମୁତାବକ ପ୍ରାର୍ଥୀ ନହେବା ନୁହେଁ । ଯଦି ପ୍ରାର୍ଥୀଙ୍କୁ ଭୋଟର ପସନ୍ଦ କରୁନଥାନ୍ତେ ତେବେ ନୋଟାର ଭୋଟ ହାର ସବୁ ଜିଲ୍ଲାରେ ହାରାହାରି ଏକ ପ୍ରକାର ରହିଥାନ୍ତା ।

Leave a Reply

Your email address will not be published. Required fields are marked *