ଉଜ୍ଜଳା ଯୋଜନା ନାଁରେ ତେଲ କମ୍ପାନୀ ମାଲେମାଲ୍
ଏହି ରିପୋର୍ଟଟି ଆଇଡିପି- ନ୍ୟୁଜ୍ଲଣ୍ଡ୍ରୀ ଫେଲୋସିପ୍-୨୦୨୧ଅଧୀନରେ ଇଣ୍ଡିଆ ଟେଟା ପୋର୍ଟାଲ୍ର ତଥ୍ୟକୁ ବ୍ୟବହାର କରି ହରିହର ପଣ୍ଡାଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି।
This story was written as a part of the Newslaundry and India Data Portal Fellowship using visualisation from the India Data Portal, by Harihar Panda
୨୦୧୫ ମସିହା; ନୂଆକରି ଭାରତ ଶାସନ ପାଇଁ କ୍ଷମତାସୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହର ଓ ଗାଁରେ ଚୂଲା ଜଳାଉଥିବା ମହିଳାଙ୍କ ସ୍ବାସ୍ଥ୍ୟ ଓ ସଶକ୍ତିକରଣ ଲାଗି ଏକ ଅଭିନବ ଯୋଜନା ଚିନ୍ତା କଲେ। ସେତେବେଳର ଏଲ୍ପିଜି ଗ୍ୟାସ୍ ଉପଭୋକ୍ତାଙ୍କୁ ଅପିଲ୍ କଲେ: ‘ଯଦି ସେମାନେ ସକ୍ଷମ ତେବେ ରନ୍ଧନ ଗ୍ୟାସ ବାବଦରେ ସେମାନେ ଯେଉଁ ସବ୍ସିଡି ବା ରିହାତି ଟଙ୍କା ସରକାରଙ୍କଠାରୁ ପାଉଛନ୍ତି ତାହାକୁ ସ୍ବତଃ ପ୍ରବୃତ୍ତ ଭାବେ ଛାଡ଼ି ଦିଅନ୍ତୁ’। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ କହିଲେ ଏହି ଟଙ୍କାକୁ ନେଇ ସେ ଦେଶର ଟ୍ରେଜରୀ ବଢ଼ାଇବାକୁ ଚାହାନ୍ତି ନାହିଁ ବରଂ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଯେଉଁ ଲୋକଙ୍କ ଘରେ ରନ୍ଧନ ଗ୍ୟାସ ପହଞ୍ଚିପାରିନି, ଯେଉଁ ମା’ ମାନେ ରୋଷେଇ କଲାବେଳେ ଧୂଆଁ ଓ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ତାହାକୁ ଦୂର କରିବା ତାଙ୍କ ସରକାରଙ୍କ ଲକ୍ଷ୍ୟ। ଗୋଟିଏ ସିଲିଣ୍ଡରରେ ରିହାତି ଛାଡ଼ ହେଲେ ତାହାଦ୍ବାରା ଗୋଟିଏ ଅପହଞ୍ଚ ପରିବାର ପାଖରେ ଏଲ୍ପିଜି ପହଞ୍ଚିପାରିବ।’
ପ୍ରଧାନମନ୍ତ୍ରୀଙ୍କ ଏହି ଡାକରା ସେଦିନ ଅନେକ ଲୋକଙ୍କ ମନ କିଣିଥିଲା। ସକ୍ଷମ ହୁଅନ୍ତୁ ବା ନହୁଅନ୍ତୁ ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ହିତାଧିକାରୀ ଏଥିଲାଗି ଆଗଭର ହେଲେ। ଆଉ ଯେଉଁମାନେ ପାରିଲେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ବାନକୁ ସ୍ବୀକାର କରି ନିଜେ ପାଉଥିବା ସବ୍ସିଡି ତ୍ୟାଗ କରିଲେ। ଦେଶର ପରିବେଶକୁ ସୁରକ୍ଷିତ କରିବା ଏବଂ ମହିଳା ସଶକ୍ତିକରଣର ଯେଉଁ ଅନ୍ତର୍ନିହିତ ଉଦ୍ଦେଶ୍ୟ ଏଥିରେ ଆନ୍ତର୍ଭୁକ୍ତ ଥିଲା ସେଥିରେ ସେମାନେ ସାମିଲ୍ ହେଲେ। ପ୍ରଥମେ ୫ କୋଟି ଆଉ ପରେ ୮ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲ୍ପିଜି ସଂଯୋଗ ଯୋଗାଇବାକୁ ବ୍ୟବସ୍ଥା ହେଲା। ଅନେକ ରାଜ୍ୟରେ ରାଜନୀତିକ ଦୃଷ୍ଟିକୋଣରୁ ଅନ୍ୟ ଦଳର ଲୋକପ୍ରିୟ ନେତାମାନେ ସରକାର ଗଢ଼ିଥିଲେ ବି ସେମାନେ ନିଃସଙ୍କୋଚ ଭାବେ ଆଗଭର ହୋଇ ଲୋକଙ୍କ ପାଖରେ ଏଲ୍ପିଜି ପହଞ୍ଚାଇବା ଲାଗି ଯେଉଁ ଯୋଜନା ତିଆରି ହେଲା ତାହାକୁ ସୁଚାରୁ ରୂପେ ପ୍ରଣୟନ କରିଲେ। ଓଡ଼ିଶା ବି ଏ କ୍ଷେତ୍ରରେ ଗୋଟିଏ ଆଗୁଆ ରାଜ୍ୟ ଭାବେ ପରିଚିତ ହେଲା। ପ୍ରଧାନମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜରାଟଠାରୁ ଓଡ଼ିଶା ଉଜ୍ଜଳା ଯୋଜନାକୁ କାର୍ଯ୍ୟକାରୀ କରିବାରେ ଅଧିକ ସଫଳତା ପ୍ରଦର୍ଶନ କରିଲା।
୨୦୧୬-୧୭ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନା ଯେତେବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ନିଜ ଟାର୍ଗେଟ୍ ଛୁଇଁଲା ସେତେବେଳେ ୮ କୋଟି ୨ଲକ୍ଷ ୫୩ ହଜାର ୮୮୦ ଜଣ ମହିଳା ଏଥିରେ ହିତାଧିକାରୀ ହୋଇ ସାରିଥିଲେ। କରୋନା ମହାମାରୀ ହେତୁ ଏହି ଯୋଜନାର ଫାଇଦା ବଂଚିତ ବିପିଏଲ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲାଗି ଅର୍ଥମନ୍ତ୍ରୀ ଏହି ଯୋନାର ଅବଧିକୁ ସେପ୍ଟେମ୍ବର ଯାଏ ବଢ଼ାଇଥିଲେ। ଏବେ ୮ କୋଟି ୩୦ ଲକ୍ଷରୁ ଅଧିକ ହିତାଧିକାରୀ ଏଥିରେ ଉପକୃତ ହେଉଛନ୍ତି।
ଏହି ଯୋଜନାରେ ଯେଉଁ ୧୦ଟି ରାଜ୍ୟ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି ସେମାନେ ହେଲେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଗୁଜରାଟ। ଆମ ରାଜ୍ୟରେ ଏବେ ୪୭ ଲକ୍ଷ ୪୬ ହଜାର ୫୫୨ ଜଣ ମହିଳା ଗତ ୪ ବର୍ଷ ଭିତରେ ଉଜ୍ଜଳା ହିତାଧିକାରୀରେ ପରିଣତ ହୋଇଥିବା ଦର୍ଶାଯାଇଛି। ଆମ ରାଜ୍ୟରେ ୨୦୧୬-୧୭ ଆର୍ଥିକ ବର୍ଷରେ ୧୦ଲକ୍ଷ୧୧ହଜାର ୯୫୫ ଜଣ ହିତାଧିକାରୀ ଉଜ୍ଜଳା ଯୋଜନାରେ ପଞ୍ଜିକୃତ ହୋଇଥିବାବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ୧୨ଲକ୍ଷ୮୮ ହଜାର୩୮୦ ଜଣ, ୨୦୧୮-୧୯ରେ ୧୯ ଲକ୍ଷ ୨୫ ହଜାର ୯୫୪ ଏବଂ ୨୦୧୯-୨୦ ଏପ୍ରିଲ୍ ସୁଦ୍ଧା ୫୨ ହଜାର ୨୬୩ଜଣଙ୍କୁ ପଞ୍ଜିକୃତ କରାଯାଇଛି। ( ଟେବଲ୍-୧)
କିନ୍ତୁ ସମସ୍ୟା ହେଉଛି, ଏହି ହିତାଧିକାରୀମାନେ ରାନ୍ଧିବା ପାଇଁ ଆବଶ୍ୟକ ରନ୍ଧନ ଗ୍ୟାସ ଭରିବାକୁ ଆଗଭର ହେଉ ନାହାନ୍ତି। ଅର୍ଥାତ୍ ତାଙ୍କ ପାଖରେ ଗ୍ୟାସ ସିଲିଣ୍ଡର ରହିଥିଲେ ମଧ୍ୟ ସେମାନେ ଏଲ୍ପିଜିରେ ରୋଷେଇ କରିବା ପାଇଁ ଆଗଭର ହେଉ ନାହାନ୍ତି। ଏପରିକି ଅନେକଙ୍କ ପାଖରେ ଏଲ୍ପିଜି ସିଲିଣ୍ଡର ଥିଲେ ମଧ୍ୟ ତାଙ୍କ ପାଖରେ ରୋଷେଇ ପାଇଁ ଷ୍ଟୋଭ୍ ନାହିଁ। ଏପରି ପରିସ୍ଥିତି ଯୋଜନାର ଲକ୍ଷ୍ୟ ସାଧନ କରିବା ପଥରେ ବାଧକ ହୋଇଛି। ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଡାକରାରେ ଗୋଟିଏ ବର୍ଷ ଭିତରେ ଯେଉଁ ଏକ କୋଟି ଲୋକ ସେମାନଙ୍କ ସବ୍ସିଡି ପରିମାଣ ଛାଡ଼ କରିଲେ ତାହାର କୌଣସି ମୂଲ୍ୟ ମିଳିଲା ନାହିଁ। ନା ଘର ଭିତରେ ବିଷାକ୍ତ ଗ୍ୟାସ ବଳୟରୁ ଲୋକଙ୍କୁ ମୁକ୍ତି ମିଳିଲା ନା ମହିଳା ଅଧିକ ସଶକ୍ତ ହେଲେ। ସରଳ ଭାଷାରେ କହିବାକୁ ଗଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ହେଲ।
ପ୍ରଶ୍ନ ଉଠୁଛି ଯେଉଁ ଲକ୍ଷ୍ୟ ନେଇ ଏ ଯୋଜନା ଆରମ୍ଭ ହୋଇଥିଲା ତାହା ଯଦି ହିତାଧିକାରୀଙ୍କ ପାଖରେ ନପହଞ୍ଚିଲା ତେବେ ଏହାର ଲାଭ କାହା ପାଖକୁ ଗଲା? ଏହି ଯୋଜନା କ’ଣ ସମ୍ପୂଣ୍ଣ ବିଫଳ ହେଲା କି?
ଉତ୍ତର ସ୍ପଷ୍ଟ। ଦେଶର ଗରିବ ମହିଳା ଯାହାଙ୍କ ନାଁ କହି ମୋଦି ସରକାର ଆଉଥରେ ଲୋକପ୍ରିୟତା ଅର୍ଜନ କରିଲେ ଏବଂ ଯେଉଁ ଗରିବ ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ଲାଗି ଅନେକ ମଧ୍ୟବିତ୍ତ ସବ୍ସିଡି ଫେରସ୍ତ କରିଲେ, ସେମାନଙ୍କ ପାଖରେ ଉଦ୍ଦିଷ୍ଟ ଫାଇଦା ପହଞ୍ଚିପାରି ନାହିଁ। ବରଂ ଏ ଯୋଜନାର ବ୍ୟବସାୟିକ ଫାଇଦା ଦେଶର ତିନୋଟି ତୈଳ କମ୍ପାନୀ ଯଥେଷ୍ଟ ଉଠାଇଛନ୍ତି। ଏହା ମଧ୍ୟ ପ୍ରଶ୍ନ ଉଠିବା ସ୍ବଭାବିକ ଯେ, ତୈଳ କମ୍ପାନୀଗୁଡ଼ିକ କେତେ ଟଙ୍କାର କାରବାର ଫାଇଦା ପାଇଛନ୍ତି?
ଏଥିଲାଗୁ ଏକ ସାଧାରଣ ହିସାବ କରାଯାଇପାରେ। ପ୍ରଥମତଃ ଭାରତ ସରକାର ହିତାଧିକାରୀଙ୍କ ପାଖରେ ଏହି ଯୋଜନା ପହଞ୍ଚାଇବା ଲାଗି ମୁଣ୍ଡ ପିଛା ୧୬୦୦ ଟଙ୍କା ପ୍ରଦାନ କରୁଛନ୍ତି। ଅର୍ଥାତ୍ ୮କୋଟି ୩୦ ଲକ୍ଷ ହିତାଧିକାରୀଙ୍କ ବାବଦରେ ଭାରତର ତୈଳ କମ୍ପାନୀମାନେ ୧୩ ହଜାର ୨୮୦ କୋଟି ଟଙ୍କା ଭାରତ ସରକାରଙ୍କଠାରୁ ପାଇବେ। ୨୦୨୦ ମାର୍ଚ ମାସ ସୁଦ୍ଧା ତିନୋଟି ତୈଳ କମ୍ପାନୀ ପ୍ରାୟ ୮ ହଜାର କୋଟି ଟଙ୍କା ପାଇ ସାରିଛନ୍ତି। ରାଜ୍ୟ ସଭାରେ ପ୍ରଦତ୍ତ ଏକ ଉତ୍ତର ଅନୁସାରେ ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ୩ ତୈଳ କମ୍ପାନୀଙ୍କୁ ୨୫୦୦ କୋଟି ପ୍ରଦାନ କରାଯାଇଥିବା ବେଳେ ୨୦୧୭-୧୮ରେ ୨୨୫୧ କୋଟି , ୨୦୧୮-୧୯ରେ ୩୨୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ( ଟେବଲ୍-୨)
ଭାରତ ସରକାରଙ୍କ ନିର୍ଦେଶ ଅନୁସାରେ ଏହି ୧୬୦୦ ଟଙ୍କା ବ୍ୟୟରେ ଯୋଗ୍ୟ ମହିଳାଙ୍କ ନାଁରେ ସମ୍ପୃକ୍ତ ପରିବାରଙ୍କୁ ଏଲ୍ପିଜି ସଂଯୋଗ ମିଳିବ। । ସଂଯୋଗ ବାବଦରେ ସେମାନଙ୍କୁ ଏକ ସିଲିଣ୍ଡର, ଉପଯୁକ୍ତ ରେଗୁଲେଟର, ହୋସ୍ ପାଇପ୍ ଏବଂ ନିରାପତ୍ତା ପଦକ୍ଷେପ ଲିଖିତ ପୁସ୍ତିକା ପ୍ରଦାନ କରାଯିବ। ପ୍ରତି ହିତାଧିକାରୀ ପିଛା ଯେଉଁ ୧୬୦୦ ଟଙ୍କା ଆବଣ୍ଟନ କରାଯାଉଛି ତାହାକୁ ସରକାର ପ୍ରଶାସନିକ ଖର୍ଚ ବୋଲି ଗ୍ରହଣ କରାଯିବ। ଏଥିରେ କିନ୍ତୁ ଗ୍ୟାସ ମିଳିବ ନାହିଁ।
ଯଦି ସେହି ସିଲିଣ୍ଡରେ ଗ୍ୟାସ୍ ଭର୍ତ୍ତି କରିବାକୁ ଚାହିଁବେ ତେବେ ହିତାଧିକାରୀଙ୍କୁ ନିଜ ପକେଟରୁ ଗ୍ୟାସ କିଣିବାକୁ ପଡ଼ିବ। ଅର୍ଥାତ୍ ଏବେ ଯେମିତି ଗ୍ୟାସର ବଜାର ମୂଲ୍ୟ ତାହାକୁ ହିତାଧିକାରୀଙ୍କୁ ଦେବାକୁ ପଡ଼ିବ। ଅବଶ୍ୟ ପରବର୍ତ୍ତୀ ରେ ସବ୍ସିଡି ସେମାନଙ୍କ ଆକାଉଣ୍ଟକୁ ଆସିବା ବ୍ୟବସ୍ଥା କରାଯାଇଝି କିନ୍ତୁ ଏକକାଳୀନ ଏତେ ଅର୍ଥ ଦେବା ସେମାନଙ୍କ ପକ୍ଷରେ ସକ୍ଷମ ହୋଇପାରି ନାହିଁ। ଫଳରେ ଓଡ଼ିଶା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ଼, ରାଜସ୍ତାନ, ତ୍ରିପୁରା, ମେଘାଳୟ ପରି ରାଜ୍ୟରେ ଏଲ୍ପିଜି ବ୍ୟବହାର ୨୦ରୁ ୪୦ ପ୍ରତିଶତ ଭିତରେ ରହିଛି। ଝାଡ଼ଖଣ୍ଡରେ ୨୧.୫ ପ୍ରତିଶତ ଏଲପିଜି ଗ୍ରାହକ ରିଫିଲ୍ କରାଉଥିବା ବେଳେ ଓଡ଼ିଶାରେ ଏହି ହାର ମାତ୍ର ୨୩.୮ ପ୍ରତିଶତ ରହିଛି। ନ୍ୟାସନାଲ୍ ସାମ୍ପଲ୍ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି।
ପୁଣି ପ୍ରଶ୍ନ ଉଠିବା ସ୍ବଭାବିକ, ଯଦି ଏହି ଯୋଜନାର କୌଣସି ସୁଫଳ ମିଳୁ ନାହିଁ, ଯଦି ହିତାଧିକାରୀମାନେ ଗ୍ୟାସ ବ୍ୟବହାର କରୁନାହାନ୍ତି ତେବେ ଏହି ଯୋଜନାକୁ କାହିଁକି ଏତେ ପ୍ରୋତ୍ସାହନ ଦିଆଯାଉଛି?
ଏହାରଉତ୍ତରରେ ରାଜନୀତିକ ଉଦ୍ଦେଶ୍ୟ ରହିଥାଇପାରେ । କିନ୍ତୁ ଏଲ୍ପିଜି ବ୍ୟବହାର ବିଗତ ଦିନରେ ବଢ଼ିଛି। ଜାତୀୟ ନମୁନା ସର୍ବେକ୍ଷଣର ୭୬ ତମ ଅଧ୍ୟାୟରୁ ସ୍ପଷ୍ଟ ଏହା ସ୍ପଷ୍ଟ ହୁଏ। ୨୦୧୧-୧୨ ମସିହାରେ ଏ ଗ୍ରାମାଞ୍ଚଳରେ ଏଲ୍ପିଜି ବ୍ୟବହାର ୧୫ ପ୍ରତିଶତ ଥିବା ବେଳେ ଏହା ୨୦୧୯ ମସିହାରେ ୪୮ ପ୍ରତିଶତକୁ ଛୁଇଁପାରିଛି। ୧୯୯୩ ମସିହାରେ ଗ୍ରାମାଞ୍ଚଳରେ ଏଲ୍ପିଜି ବ୍ୟବହାର ମାତ୍ର ୨ ପ୍ରତିଶତ ଥିଲା। ସେତେବେଳେ ସହରାଞ୍ଚଳରେ ଏଲ୍ପିଜି ବ୍ୟବହାର ମାତ୍ର ୩୪ ପ୍ରତିଶତ ଥିଲା। ୨୦୧୮-୧୯ ଆର୍ଥିକବର୍ଷରେ ସହରାଞ୍ଚଳରେ ୮୬.୬ ପ୍ରତିଶତ ଲୋକ ଏଲ୍ପିଜି ବ୍ୟବହାର କରୁଛନ୍ତି। ପେଟ୍ରୋଲିୟମ୍ ଆନାଲିସିସ୍ ଆଣ୍ଡ ପ୍ଲାନିଂ ସେଲ୍ ( ପିପିଏସି) ର ତଥ୍ୟ ଅନୁସାରେ, ସେପ୍ଟେମ୍ବର ୨୦୧୯ ସୁଦ୍ଧା ଦେଶରେ ୯୪ ପ୍ରତିଶତ ଘର ଏଲ୍ପିଜି ସଂଯୋଗ ପାଇଛନ୍ତି। ୨୦୧୪-୧୫ ମସିହାରେ ଏହା ୫୬ ପ୍ରତିଶତ ଥିଲା। ଏହା ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଅବଦାନ। ( ଟେବଲ୍ ସଂଖ୍ୟା:୩ ଓ ୪ )
ସଂଯୋଗ ବଦଳରେ ଋଣ
ଆଉ ଏକ ପ୍ରସଙ୍ଗ। ଗ୍ୟାସ ସଂଯୋଗ ପରେ ରିଫିଲ୍ ପରିମାଣ ବୃଦ୍ଧି ପାଇଁ ତୈଳ କମ୍ପାନୀଙ୍କୁ ସରକାର ଋଣ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ଏହି ଋଣ ସେମାନଙ୍କ ସବ୍ସିଡି ଅର୍ଥକୁ କାଟି ରଖିବାକୁ ନିର୍ଦେଶ ରହିଛି। କିନ୍ତୁ ଯେହେତୁ ରିଫିଲ୍ ହେଉନାହିଁ ସବ୍ସିଡିଡି ଅର୍ଥ ଆସିବ ବା କେଉଁଠୁ? ଅର୍ଥାତ୍ ପ୍ରଥମେ ଗ୍ୟାସ୍ ସଂଯୋଗ ନେବା ବେଳେ ଯେଉଁ ସିଲିଣ୍ଡରରେ ଗ୍ୟାସ୍ ଭର୍ତ୍ତି କରାଯାଇଛି ତାହା ବି ଏବେ ଋଣରେ ରହିଛି। ଅର୍ଥାତ୍ ତୈଳ କମ୍ପାନୀମାନେ ବ୍ୟବସାୟ ସାଙ୍ଗକୁ ଦେଶର ୮ କୋଟି ୩୦ ଲକ୍ଷ ମହିଳାଙ୍କୁ ଋଣୀ ବି କରାଇଛନ୍ତି।
ଅପରପକ୍ଷେ ଗ୍ୟାସ୍ ସିଲିଣ୍ଡର ଓ ସଂଯୋଗ ପ୍ରଦାନ କରିଦେଇ ଉଭୟ ସରକାର ଏବଂ ଗ୍ୟାସ କମ୍ପାନୀ ଭୁଲିଗଲେ ସେମାନଙ୍କ ଗ୍ୟାସ କରିଗଲେ ତାହା ଭରିବେ କେମିତି? ଏପରିକି ସେମାନେ ପାଇବାକୁ ଥିବା ସ୍ସବ୍ସିଡି ଅର୍ଥ ବି ଆକାଉଣ୍ଟକୁ ଆସିଲା ନାହିଁ। ଅନେକ ହଙ୍ଗାମା ଓ ରାଜନୀତିକ ହସ୍ତକ୍ଷେପ ପରେ ସରକାର ୧ଲକ୍ଷ ୩୮ ହଜାର ୨୮୫ କୋଟି ୮୮ ଲକ୍ଷ ଟଙ୍କା ସବ୍ସିଡି ପ୍ରଦାନ କରିଥିଲେ। ସରକାରଙ୍କ ଏହି ବେପରୁଆ ମନୋବୃତ୍ତି ପରବର୍ତ୍ତୀ ସମୟରେ ହିତାଧିକାରୀଙ୍କ ଆକାଂକ୍ଷାକୁ ଧୂଳିସାତ କରିଥିଲା। ଫଳରେ ସେମାନଙ୍କ ଭିତରୁ ଅନେକ ପୁଣିଥରେ ପାରମ୍ପରିକ ଇନ୍ଧନ ବ୍ୟବସ୍ଥାକୁ ଫେରିଥିଲେ। କିନ୍ତୁ ଖୋଦ୍ ପେଟ୍ରୋଲିୟମ୍ ମନ୍ତ୍ରୀ ଏହାକୁ ଅସ୍ବୀକାର କରିଥିଲେ। ବ୍ୟବସ୍ଥା ଅନୁସାରେ ସବସିଡି ପ୍ରଦାନ ଜାରି ରହିଛି। ତାଙ୍କ ହିସାବ ଅନୁସାରେ ୭୦ ପ୍ରତିଶତ ଉଜ୍ଜଳା ଗ୍ରାହକ ଗ୍ୟାସ ଭରୁଛନ୍ତି। ୩୦ପ୍ରତିଶତ ଗ୍ରାହକ ସ୍ଥାନୀୟ ସୂତ୍ରରୁ ଜାଳେଣି ମିଳିଯିବ ବୋଲି ଭାବି ଗ୍ୟାସ ଭରୁ ନଥିବା ସେ କହିଛନ୍ତି। ( ଲାଇଭ୍ ମିଣ୍ଟ, ୧୧ ମାର୍ଚ୨୦୨୧)
ଲକ୍ଡାଉନ୍ର ସମୀକରଣ
କରୋନା ଭୂତାଣୁ ଜନିତ ମହାମାରୀ ଓ ତଦ୍ଜନିତ ଲକ୍ଡାଉନ୍ ଏଲ୍ପିଜି ବିତରଣ ଓ ଉଜ୍ଜଳା ଯୋଜନାକୁ ଏକ ଶିକ୍ଷା ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ କେନ୍ଦ୍ର ସରକାର ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ମାଗଣା ଏଲ୍ପିଜି ସିଲିଣ୍ଡର ଯୋଗାଇଦେବା ଦ୍ବାରା ଦେଶରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ବଢ଼ିଛି। ଅର୍ଥାତ୍ ପୂର୍ବରୁ ଲୋକେ ପାରମ୍ପରି ଜାଳେଣି ମିଳୁଛି ବୋଲି ଏଲ୍ପିଜି ବ୍ୟବହାର କରୁନାହାନ୍ତି ବୋଲି ଯେଉଁ ମତବାଦ ପ୍ରସାର କାରାଯାଉଥିଲା ତାହା ଏକ ପ୍ରକାର ଭୁଲ୍ ବୋଲି ପ୍ରମାଣିତ ହୋଇଛି। ଆଓସିଏଲ୍ର ତଥ୍ୟ ଅନୁସାରେ ଡିସେମ୍ବର ୨୦୨୦ରୁ ଫେବୃୟାରୀ ୨୦୨୧ ମଧ୍ୟରେ ୧୪କୋଟି ସିଲ୍ଣ୍ଡର ଉପଭୋକ୍ତାଙ୍କ ନିକଟରେ ମାଗଣାରେ ପହଞ୍ଚାଯାଇଛି। ଏହାଦ୍ବାରା ଗତ ବର୍ଷ ଅପେକ୍ଷା ଏବର୍ଷ ଗ୍ୟାସ୍ ବ୍ୟବହାର ୧୦ଲକ୍ଷ ୧୦ ହଜାର ୫୪ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି। ପୂର୍ବ ବର୍ଷ ଏହି ପରିମାଣ ୮ ଲକ୍ଷ ୪୫ ହଜାର ୩୧୦ମେଟ୍ରିକ୍ ଟନ୍ ଥିଲା। ଅର୍ଥାତ୍ ଏଲ୍ପିଜି ଖର୍ଚ ୧୯.୫ ପ୍ରତିଶତ ବଢ଼ିଛି।ଏହି ତଥ୍ୟ ଦେବା ବେଳେ ଆଇଓସିଏଲ୍ ପକ୍ଷରୁ କୁହାଯାଇଛି ଯେ, ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଫେବୃୟାରୀ ୨୦୨୧ ସୁଦ୍ଧା ଏଲ୍ପିଜି ବିକ୍ରିରେ ୧୦.୩ ପ୍ରତିଶତ ଅଭିବୃଦ୍ଧି ଘଟିଛି।
ଶେଷ କଥା:
ଭାରତ ସରକାରଙ୍କ ଦ୍ବାରା ପ୍ରଣୟନ କରାଯାଉଥିବା ପରିବେଶ ସୁରକ୍ଷା ଆଇନ-୧୯୮୬ ଅନୁସାରେ ଘର ଭିତରେ ବାହ୍ୟ ବାୟୁ ମଣ୍ଡଳ ଠାରୁ ୨-୫ ଗୁଣା ଅଧିକ ହାନିକାରଣ ପ୍ରଦୂଷଣକାରୀ ଉପାଦାନ ରହିଥାଏ। ସମୟ ସମୟରେ ଏହା ୧୦୦ଗୁଣା ଅଧିକ ମଧ୍ୟ ହୋଇଥାଏ। ଆଉ ଏହି ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଆମର ପାରମ୍ପରିକ ଜାଳେଣି ଅଭ୍ୟାସ। ରୋଷେଇ କାର୍ଯ୍ୟ ପାଇଁ ଆମ ମହିଳାମାନେ ଯେଉଁ ଘସି, କାଠ, କୋଇଲା ଏବଂ ଜୈବ ପଦାର୍ଥ ବ୍ୟବହାର କରନ୍ତି ତାହା ଘର ଭିତରର ବାୟୁରେ ସଲ୍ଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ମିଶାଇଥାଏ। ଏହାସହ ବାୟୁ ମଣ୍ଲରେ ଅନେକ ପ୍ରକାରର ପାର୍ଟିକୁଲେଟ୍ ମ୍ୟାଟର ( ପିଏମ୍) ମିଶାଇ ରଖିଥାଏ। ଏହି ସବୁ ବିଷାକ୍ତ ସାମଗ୍ରୀ ବା ଗ୍ୟାସ୍ ଆମ ଶ୍ବାସକ୍ରିୟା ସମୟରେ ଆମ ଭିତରେ ପ୍ରବେଶ କରି ଆମକୁ ରୋଗାଗ୍ରସ୍ତ କରାଇଥାଏ। ବିଶ୍ବସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଭାରତ ସମେତ ବିଶ୍ବର ବିଭିନ୍ନ କୋଣରେ ପ୍ରାୟ ୩୦୦ କୋଟି ମହିଳା ଏହିପରି ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କରିଥାଆନ୍ତି।ଏହା ସେମାନଙ୍କ ସମେତ ଘରେ ଅନ୍ୟ ସଦସ୍ରଙ୍କୁ ମଧ୍ୟ ମୃତ୍ୟୁ ମୁଖକୁ ଟାଣି ନେଉଛି। ସଂଗଠନର ହିସାବ ଅନୁସାରେ ଏହିପ୍ରକାର ଘର ଭିତତବାୟୁ ପ୍ରଦୂଷଣ ହେତୁ ବର୍ଷକୁ ୩୮ ଲକ୍ଷ ଲୋକଙ୍କ ଜୀବନ ଅକାରଣରେ ଯାଉଛି। ଏହାକୁ ରୋକିବା ଲାଗି ଆମେ ସ୍ବଚ୍ଛ ଇନ୍ଧନ ବ୍ୟବହାର କରିପାରିବା। ଆଉ ସେ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏକ ଗୁରୁତ୍ବପୂଣ୍ଣ ପଦକ୍ଷେପ। କିନ୍ତୁ ଏହା କେବଳ କାଗଜ ବାଘ ନହୋଇ ଲୋକଙ୍କ କାମରେ ଆସିବା ଦରକାର। ତୈଳ କମ୍ପାନୀଙ୍କ ଲାଭକୁ ଧ୍ୟାନ ନଦେଇ ସରକାର ଲୋକଙ୍କ ପାଖରେ କିପରି ଜାଳେଣି ଗ୍ୟାସ୍ ପହଞ୍ଚିପାରିବ ସେଥିଲାଗି ଧ୍ୟାନ ଦେବା ଆବଶ୍ୟକ ରହିଛି। ଲୋକଙ୍କ ପାଖରେ ପାଣ୍ଠିର ଅଭାବ ଓ ନିକଟ ଅତୀତରେ ଭାରତର ମହାଲେଖାକାରଙ୍କ ଦ୍ବାରା ଚିହ୍ନଟ ସମସ୍ୟାଗୁଡ଼ିକୁ ଲାଘବ କରି ସରକାର ଏ ଦିଗରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ‘ଜାନ୍ ହୈ, ତୋ ଜାହାନ୍ ହୈ’।
| ଟେବଲ୍-୩
ରନ୍ଧନ ଗ୍ୟାସ୍ ଭାବେ ଏଲ୍ପିଜି ବ୍ୟବହାର ( ଏନ୍ଏସ୍ଏସ୍ଓ, ନ୍ୟାସ୍ନାଲ୍ ଫ୍ୟାମିଲ୍ ହେଲ୍ଥ ସର୍ବେକ୍ଷଣ)
|
||||
| ବର୍ଷ | ଗ୍ରାମାଞ୍ଚଳ | ସହରାଞ୍ଚଳ | ||
| ୧୯୯୨-୯୨ | ୨ | ୩୪.୪ | ||
| ୧୯୯୭-୯୮ | ୫.୮ | ୪୮.୩ | ||
| ୨୦୦୫-୨୦୦୬ | ୮.୭ | ୬୦.୧ | ||
| ୨୦୧୧-୧୨ | ୧୫ | ୬୮ | ||
| ୨୦୧୫-୧୬ | ୨୪ | ୮୦.୬ | ||
| ୨୦୮-୧୯ | ୪୮.୩ | ୮୬.୬ | ||
| ଟେବଲ୍-୪
ଏଲ୍ପିଜି ସଂଯୋଗ (ପିପିଏସି) |
|
| ବର୍ଷ | ପ୍ରତିଶତ |
| ୨୦୧୪-୧୫ | ୫୬ |
| ୨୦୧୫-୧୬ | ୬୧.୯ |
| ୨୦୧୬-୧୭ | ୭୨.୮ |
| ୨୦୧୮-୧୯ | ୮୦.୯ |
| ୨୦୧୯-୨୦ | ୯୪.୩ |
| ଟେବଲ୍-୩
ହାରାହାରି ବାର୍ଷିକ ରିଫିଲ୍ ଉତ୍ସ: ସିଏଜି ରିପୋର୍ଟ |
||||
| ବର୍ଷ | ଉଜ୍ଜଳା (%) | ଅଣ ଉଜ୍ଜଳା (%) | ||
| ୨୦୧୫-୧୬ | — | ୭.୭ | ||
| ୨୦୧୬-୧୭ | ୩.୯ | ୭.୫ | ||
| ୨୦୧୭-୧୮ | ୩.୪ | ୭.୩ | ||
| ୨୦୧୮-୧୯ | ୨.୯୮ | ୬.୭୩ | ||
| ଟେବଲ-୧
ରାଜ୍ୟ ୱାରୀ ଉଜ୍ଜଳା ହିତାଧକାରୀଙ୍କ ସଂଖ୍ୟା ଉତ୍ସ: ଡାଟା ପୋର୍ଟାଲ୍, ଭାରତ ସରକାର |
||||||
| କ୍ରମାଙ୍କ | ରାଜ୍ୟ/କେନ୍ଦ୍ରଶାସିତ | 2016-17 | 2017-18 | 2018-19 | 2019-20 | ସମୁଦାୟ |
| 1 | ଆଣ୍ଡାମାନ ଓ ନିକୋବର | 1189 | 522 | 6178 | 5154 | 13043 |
| 2 | ଆନ୍ଧ୍ର ପ୍ରଦେଶ | 63428 | 16616 | 262554 | 50528 | 393126 |
| 3 | ଅରୁଣାଚଳ ପ୍ରଦେଶ | NA | 6362 | 32953 | 5385 | 44700 |
| 4 | ଅଆସାମ | 2 | 1128137 | 1707801 | 656107 | 3492047 |
| 5 | ବିହାର | 2476953 | 2436197 | 2981636 | 655896 | 8550682 |
| 6 | ଚଣ୍ଡିଗଡ଼ | NA | NA | 88 | NA | 88 |
| 7 | ଛତିଶଗଡ଼ | 1105441 | 846679 | 740584 | 299588 | 2992292 |
| 8 | ଦାଦ୍ରା ଓ ନଗର ହାବେଳୀ | 3211 | 8226 | 2671 | 640 | 14748 |
| 9 | ଦାମନଓ ଡିଉ | 73 | 130 | 219 | 5 | 427 |
| 10 | ଦିଲ୍ଲୀ | 516 | 161 | 73120 | 3099 | 76896 |
| 11 | ଗୋଆ | 954 | 30 | 88 | 10 | 1082 |
| 12 | ଗୁଜରାଟ | 752354 | 516660 | 1252052 | 383415 | 2904481 |
| 13 | ଅରିଆଣା | 278751 | 78361 | 323344 | 50504 | 730960 |
| 14 | ହିମାଚଳ ପ୍ରଦେଶ | 1601 | 28140 | 83177 | 23133 | 136051 |
| 15 | ଜାମ୍ମୁ ଓ କଶ୍ମୀର | 265787 | 107133 | 680098 | 188842 | 1241860 |
| 16 | ଝାଡ଼ଖଣ୍ଡ | 536912 | 666631 | 1701032 | 359008 | 3263583 |
| 17 | କର୍ଣ୍ଣାଟକ | 15840 | 893174 | 1913808 | 324866 | 3147688 |
| 18 | କେରଳ | 11241 | 27152 | 171530 | 46441 | 256364 |
| 19 | ଲକ୍ଷାଦ୍ବୀପ | NA | 134 | 156 | 2 | 292 |
| 20 | ମଧ୍ୟପ୍ରଦେଶ | 2239821 | 1075351 | 3130613 | 729564 | 7175349 |
| 21 | ମହାରାଷ୍ଟ୍ର | 858808 | 1018570 | 2186426 | 368164 | 4431968 |
| 22 | ମଣିପୁର | 25 | 32592 | 97760 | 26221 | 156598 |
| 23 | ମେଘାଳୟ | NA | 36844 | 103467 | 10433 | 150744 |
| 24 | ମିଜେରାମ | NA | 902 | 24879 | 2341 | 28122 |
| 25 | ନାଗାଲାଣ୍ଡ | NA | 9225 | 40177 | 5745 | 55147 |
| 26 | ଓଡ଼ିଶା | 1011955 | 1288380 | 1925954 | 520263 | 4746552 |
| 27 | ପୁଡୁଚେରୀ | 760 | 1861 | 10753 | 204 | 13578 |
| 28 | ପଞ୍ଜାବ | 245008 | 137343 | 826611 | 15568 | 1224530 |
| 29 | ରାଜସ୍ଥାନ | 1722694 | 902940 | 3069891 | 686317 | 6381842 |
| 30 | ସିକିମ | NA | 687 | 7111 | 953 | 8751 |
| 31 | ତାମିଲନାଡ଼ୁ | 272749 | 745302 | 2123792 | 100589 | 3242432 |
| 32 | ତେଲଙ୍ଗାନା | 41 | NA | 923800 | 148708 | 1072549 |
| 33 | ତ୍ରିପୁରା | NA | 46379 | 192014 | 33523 | 271916 |
| 34 | ଉତ୍ତର ପ୍ରଦେଶ | 5531159 | 954957 | 6476981 | 1800869 | 14763966 |
| 35 | ଉତ୍ତରାଖଣ୍ଡ | 113866 | 23574 | 215481 | 51787 | 404708 |
| 36 | ପଶ୍ଚିମବଙ୍ଗ | 2520479 | 2536306 | 3005534 | 802399 | 8864718 |
| ସମୁଦାୟ | 20031618 | 15571658 | 36294333 | 8356271 | 80253880 | |
| ଟେବଲ୍-୨
ତୈଳ କମ୍ପାନୀଙ୍କୁ ପ୍ରଦାନ କରାଯାଇଥିବା ଅର୍ଥ |
|
| ବର୍ଷ | ପରିମାଣ ( ଟଙ୍କାରେ) |
| ୨୦୧୬-୧୭: | ୨୫୦୦ କୋଟି |
| ୨୦୧୭-୧୮: | ୨୨୫୧ କୋଟି |
| ୨୦୧୮-୧୯: | ୩୨୦୦ କୋଟି |
| ସମୁଦାୟ | ୭୯୫୧ କୋଟି |











