ସହଜ ନୁହେଁ ୫ ଟ୍ରିଲିୟନ ଅର୍ଥନୀତି ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତର ଅର୍ଥନୀତିକୁ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ବା ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବା ପାଇଁ ମୋଦୀ ସରକାରଙ୍କ ପକ୍ଷରୁ ଯେଉଁ ସଂକଳ୍ପ ରହିଛି ତାହା ଏକ ଅକଳ୍ପନୀୟ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଭଲପ୍ମେଣ୍ଟ ରିସର୍ଚ୍ଚର ପ୍ରଫେସର ଆର୍ ନାଗରାଜ ପ୍ରକାଶ କରିଛନ୍ତି । ଭାରତ ଏହି ଲକ୍ଷ୍ୟ ହାସଲ କରିବାକୁ ହେଲେ ଜିଡିପି ଅଭିବୃଦ୍ଧି ୯ ପ୍ରତିଶତ ହେବା ଦରକାର । କିନ୍ତୁ ଅର୍ଥନୀତି ବ୍ୟବସ୍ଥାର ସାମ୍ପ୍ରତିକ ସ୍ଥିତିକୁ ନେଇ ଏହି ଲକ୍ଷ୍ୟରେ ପହଞ୍ଚିବା ଆଦୌ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ସେ କହିଛନ୍ତି ଯେ, ୨୦୧୯ ମେ’ରେ ମୋଦୀ ସରକାର ତାଙ୍କର ଦ୍ୱିତୀୟ ପାଳି ଆରମ୍ଭ କରିଥିବା ବେଳେ ଆଗାମୀ ୫ ବର୍ଷ ମଧ୍ୟରେ ଅର୍ଥନୀତିକୁ ୫ ଲକ୍ଷ ଡଲାରରେ ପହଞ୍ଚାଇବାକୁ ସଂକଳ୍ପ ନେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଅର୍ଥନୀତିର ବିଭିନ୍ନ ଦିଗକୁ ନେଇ ଯେଭଳି କଳାବାଦଲ ଘୋଟିଯାଇଛି ସେଥିରେ ଏହି ଲକ୍ଷ୍ୟ ହାସଲ ପାଇଁ ଆଗକୁ ଯିବା କଷ୍ଟକର । ବର୍ତ୍ତମାନ ଭାରତୀୟ ଜିଡିପି ୨.୮ ଲକ୍ଷ କୋଟିରେ ସୀମିତ ରହିଥିଲା ବେଳେ ୫ ଲକ୍ଷ କୋଟି ଡଲାରରେ ପହଞ୍ଚିବା ପାଇଁ ବାର୍ଷିକ ୯ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବା ଜରୁରୀ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା ବେଳେ ଏହାର ପରବର୍ତ୍ତୀ ତ୍ରୈମାସିକରେ ଏହା ୪.୫ ପ୍ରତିଶତକୁ ହ୍ରାସ ପାଇଛି । ଆନ୍ତର୍ଜାତିକସ୍ତରରେ ଦେଖାଯାଇଥିବା ବାଣିଜ୍ୟିକ ସମସ୍ୟାକୁ ନେଇ ଭାରତୀୟ ରପ୍ତାନି ଏବଂ ବାଣିଜ୍ୟିକ ବ୍ୟବସ୍ଥା ମଧ୍ୟ ଆଗାମୀ ଦିନରେ ଆହୁରି ପ୍ରଭାବିତ ହେବାର ସମ୍ଭାବନା ରହିଛି । ଜିଡିପି ଅନୁପାତରେ ଭାରତୀୟ ରପ୍ତାନି ବ୍ୟବସ୍ଥା ୨୦୧୦ ବର୍ଷରୁ ହ୍ରାସ ପାଇ ଚାଲିଛି । ଅନ୍ୟପକ୍ଷରେ ସାଧାରଣ ଅର୍ଥନୀତି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବହୁ ବାର ଋଣ ହାରରେ ହ୍ରାସ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ସୁପ୍ରଭାବ ଅନୁଭବ କରାଯାଇନି । ତେଣୁ ୩-୪ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବା ସମ୍ପୂର୍ଣ୍ଣ କଷ୍ଟସାଧ୍ୟ ବୋଲି ନାଗରାଜ କହିଛନ୍ତି ।

Leave a Reply

Your email address will not be published. Required fields are marked *