୩୩% ମହିଳା ପ୍ରାର୍ଥୀ ଘୋଷଣା କେନ୍ଦ୍ରାପଡ଼ାରେ : କିନ୍ତୁ ଜିଲ୍ଲାରେ ଜଣେ ବି ନାହାନ୍ତି ମହିଳା ପ୍ରାର୍ଥୀ
କେନ୍ଦ୍ରାପଡ଼ାରେ ମାର୍ଚ୍ଚ ୧୦ତାରିଖ ଦିନ ନବୀନ ସରକାର ଆୟୋଜନ କରିଥିଲେ ବିଶାଳ ମହିଳା ଶକ୍ତି ସମାବେଶ। ଏହି ସମାବେଶ ସ୍ଥଳରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ଘୋଷଣା କରିଥିଲେ। ଲୋକସଭାରେ ୩୩ ପ୍ରତଶତ ମହିଳାଙ୍କୁ ବିଜୁ ଜନତା ଦଳ ଟିକଟ ଦେବ ବୋଲି ଘୋଷଣା କରିଥିଲେ ନବୀନ।
ଏହି ମହିଳା ଶକ୍ତି ସମାବେଶରେ ଅନୁଭବ ମହାନ୍ତିଙ୍କୁ କହିବାର ବିଶେଷ ସୁଯୋଗ ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ଆଡ଼ୁ ମହିଳାମାନଙ୍କୁ ଏହି ସମାବେଶକୁ ଆଣିବା ପାଇଁ ବ୍ୟାପକ ଆୟୋଜନ କରିଥିଲା ବିଜୁ ଜନତା ଦଳ।

ତେଣୁ ଆଶା କରାଯାଉଥିଲା, ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀ ଐତିହାସିକ ଘୋଷଣା କଲେ, ସେହି ଜିଲାରେ ନିଶ୍ଚିତ ଭାବେ ମହିଳା ପ୍ରତିନିଧିତ୍ୱର ବଡ଼ ସୁଯୋଗ ଦେବେ ନବୀନ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଜିଲାର ୫ଟି ଯାକ ବିଧାନସଭା ଆସନ ମହାକାଳପଡ଼ା, ପାଟକୁରା, ରାଜନଗର, ଆଳି ଏବଂ କେନ୍ଦ୍ରାପଡ଼ାରେ କୌଣସି ମହିଳାଙ୍କୁ ଏଥର ଟିକଟ ଦେଇନାହିଁ ବିଜେଡି। ଲୋକସଭା ଆସନରେ ଅନୁଭବ ମହାନ୍ତି ଦଳୀୟ ପ୍ରାର୍ଥୀ ହୋଇଛନ୍ତି।
ଗତ ନିର୍ବାଚନରେ ମଧ୍ୟ କୌଣସି ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଇ ନଥିଲା ବିଜେଡି ପକ୍ଷରୁ। ତେଣୁ ପ୍ରଶ୍ନ ଉଠିଛି ଯେ, ମହିଳା ସଶକ୍ତିକରଣ ବା ଡବଲ ଇଞ୍ଜିନ ବାବଦରେ ନବୀନ ପଟ୍ଟନାୟକ ଯାହା କହୁଛନ୍ତି, ସେଥିପ୍ରତି ତାଙ୍କର ନିଜସ୍ୱ ଅଙ୍ଗୀକାର ବଦ୍ଧତା ଅଛି କି?
ଯଦି ଥାଆନ୍ତା, ତେବେ ନିଶ୍ଚିତ ଭାବରେ କେନ୍ଦ୍ରାପଡ଼ା ଜିଲାର କୌଣସି ଗୋଟିଏ ବିଧାନସଭା ଆସନରେ ଅନ୍ତତଃ ବିଜେଡି ମହିଳା ପ୍ରାର୍ଥୀ ଦେଇ ପାରିଥାଆନ୍ତା। ସେଥିପାଇଁ ଆଜି ମନୋନୟନପତ୍ର ଦାଖଲର ଶେଷ ଦିନରେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ବିଦ୍ରୋହୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପୂର୍ବତନ ବିଜେଡି ବିଧାୟିକା ସିପ୍ରା ମଲିକ। ସିପ୍ରା ଏବେ ରାଜ୍ୟ ଖାଦ୍ୟ କମିଶନର ସଦସ୍ୟା ଅଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ମହିଳା ପ୍ରାର୍ଥୀମାନେ ଅଧିକ ସଫଳତା ହାସଲ କରିଥିଲେ ଜିଲା ପରିଷଦରେ। ଜିଲାରେ ମହିଳା ଭୋଟରଙ୍କ ସଂଖ୍ୟା କିଛି କମ ମଧ୍ୟ ନୁହେଁ। ସେଥିପାଇଁ ଅନୁଭବ ମହାନ୍ତିଙ୍କ ପ୍ରାଥିର୍ପତ୍ର ଦାଖଲ ସମୟରେ ତାଙ୍କ ଅଭିନେତ୍ରୀ ପତ୍ନୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ମହିଳା ଭୋଟରଙ୍କ ଉପରେ ବିଜେଡିର ହାରଜିତ ବହୁ ପରିମାଣରେ ନିର୍ଭର କରୁଥିଲା ବେଳେ କହିବାକୁ ପଡ଼ିବ ଯେ, ଯେଉଁ ଜିଲାରେ ନବୀନ ପଟନାୟକ ମହିଳା ସଶକ୍ତିକରଣ ପାଇଁ ୩୩ ପ୍ରତିଶତ ଆରକ୍ଷଣ ଘୋଷଣା କରିଥିଲେ, ସେହି ଜିଲାର ମହିଳାଙ୍କୁ କିନ୍ତୁ ସେ ପ୍ରତାରିତ କରିଛନ୍ତି।











