ଜଳ ବିଶୋଧନ ନିୟମକୁ ଅଣଦେଖା
ବାତ୍ୟାଞ୍ଚଳରେ ବିଶୁଦ୍ଧ ପାୀନୟଜଳ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଜଳ ବିଶୋଧନ ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ କିନ୍ତୁ ଅନେକ ସହରରେ ଅଣଦେଖା କରାଯାଉଛି । ୨୦୧୧ ମସିହାରେ ଜାରି ଏହି ନିର୍ଦ୍ଦେଶନାମାକୁ ପୁରୀ ସମେତ ଅଧିକାଂଶ ସହରାଞ୍ଚଳରେ ଠିକଣାଭାବେ ପାଳନ ହେଉନଥିବା ଦେଖିବାକୁ ମିଳୁଛି ।
ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାଳନୀୟଜଳ ଯୋଗାଣପାଇଁ ୨୦୧୧ ମସିହା ସେପ୍ଟେମ୍ବର ମାସରେ ତକ୍ରାଳୀନ ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ସାରଦା ନାୟକଙ୍କ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏଥିରେ ସ୍ପଷ୍ଟଭାବେ କୁହାଯାଇଥିଲା ଯେ ସହରାଞ୍ଚଳରେ ଥିବା ପାଣିଟାଙ୍କି ଗୁଡିକୁ ଯାନ୍ତ୍ରିକ ପଦ୍ଧତିରେ ବିଶୋଧନ କରାଯିବ ।
ପାଣିଟାଙ୍କି ଗୁଡିକୁ ପୁରୁଣାକାଳିଆ ବ୍ଲିଚିଂ ପାଉଡର ବଦଳରେ ତରଳ ଆଲମ, ଆଲୁମିନମ କ୍ଲୋରାଇଡ ଦ୍ୱାରା ସଫା କରାଯିବ । ଜଳ ଗଚ୍ଛିତ ରହୁଥିବା ବଡ ବଡ ଟାଙ୍କି ଗୁଡିକ ନିଶ୍ଚିତ ଭାବେ ମେସିନ୍ ଦ୍ୱାରା ସଫା ହେବ । ପାଣି ଟାଙ୍କି ସଫା ସମୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯିବ ।
ଏଥିପାଇଁ କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହିତ ପମ୍ପ ଚାଳକ, ଫିଟର ମିସ୍ତ୍ରୀ, ଫିଟର ଅପରେଟରମାନଙ୍କୁ ନିୟମିତ ବ୍ୟବଧାନରେ ତାଲିମ ପ୍ରଦାନ କରାଯିବ । ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ କିଛିଦିନ ପାଇଁ ନିୟମ ଅନୁଯାୟୀ ପାଣିଟାଙ୍କି ସଫା ହୋଇଥିଲା । ହେଲେ ଏବେ ବହୁ ସ୍ଥାନରେ ଆଉ ନିୟମ ଅନୁଯାୟୀ ପାଣିଟାଙ୍କି ସଫା ହେଉନାହିଁ । ଅନେକ ସ୍ଥାନରେ ଯାନ୍ତ୍ର ବଦଳରେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ହାତରେ ସଫାକରି ଦେଉଛନ୍ତି ।
ବାତ୍ୟା ପରବର୍ତ୍ତୀ ସମୟରେ ମହାମାରୀ ଆଶଙ୍କାରେ ପୁରୀରେ ବିଶୁଦ୍ଧ ପାନୀୟଜଳ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଏଠାରେ ବି ଦୀର୍ଘଦିନ ଧରି ପାଣିଟାଙ୍କି ଗୁଡିକ ଯାନ୍ତ୍ରିକ ପଦ୍ଧତିରେ କେମିକାଲ ପକାଇ ସଫା ହୋଇନଥିବା ଅଭିଯୋଗ ଆସୁଛି । ତେଣୁ ତୁରନ୍ତ ବାତ୍ୟାମାଡରେ କ୍ଷତିଗ୍ରସ୍ତ ପାଣିଟାଙ୍କି ସମେତ ଜଳଧାରଣ ପାଇଁ ଥିବା ବଡ ବଡ ଟାଙ୍କି ଗୁଡିକୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଯାନ୍ତ୍ରିକ ପଦ୍ଧତିରେ ସଫା କରିବାଲାଗି ମତପ୍ରକାଶ ପାଉଛି । ନହେଲେ ଏଠାରେ ବି ବଡ ଧରଣର ଅଘଟଣ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ଅନୁରୂପ ଭାବେ ରାଜଧାନୀର ବିଭିନ୍ନ ସରକାରୀ ଦପ୍ତର ଓ କ୍ୱାଟର୍ସ ଆଦିରେ ଥିବା ପାଣିଟାଙ୍କି ଗୁଡିକୁ ସଫା କରିବା ଜରୁରୀ ହୋଇପଡିଛି । କାରଣ ବାତ୍ୟା ପ୍ରଭାବରେ ବହୁ ସ୍ଥାନରେ ପାଣିଟାଙ୍କି ଗୁଡିକରେ ଡାଳ ପତ୍ର ସହିତ ଅନ୍ୟାନ୍ୟ ଆବର୍ଜନା ପଡିଛି ।
ବହୁ ସ୍ଥାନରେ ଭୂତଳ ପାଇପ୍ କ୍ଷତିଗ୍ରସ୍ତ ହୋଇ ଯୋଗାଣ ହେଉଥିବା ଜଳ ସହିତ ମାଟି କାଦୁଆ ଆଦି ଟାଙ୍କିରେ ପଡୁଛି । ତେଣୁ ତୁରନ୍ତ ଏଗୁଡିକୁ ଯାନ୍ତ୍ରିକ ପଦ୍ଧିରେ ସଫା କରିବା ସହିତ କେମିକାଲ ପକାଇ ବିଶୋଧନ ପାଇଁ ଦାବି ହେଉଛି । ତେବେ ୨୦୧୧ ମସିହାରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଜଳ ବିଶୋଧନ ନିର୍ଦ୍ଦେଶନାମା ଆଠବର୍ଷ ମଧ୍ୟରେ କିଭଳି ଅକାମୀ ଅବସ୍ଥାକୁ ଆସିଲା ତାହାକୁ ନେଇ ଏବେ ଅନେକ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି ।