ଓଡ଼ିଶାର ୬୦% ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ

ଦେଶର ୧୫% ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ

ଦେଶରେ ଥିବା ୧୬,୦୦୦ଅଦାଲତ ମଧ୍ୟରୁ ୧୫ ପ୍ରତିଶତରେ, ଓଡ଼ିଶାର ୬୦ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ। ଏକଥା ନିକଟରେ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ଅଦାଲତ ପରିଷରରେ ଶୌଚାଳୟ ନେଇ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଗତ ନଭେମ୍ୱର ମାସରେ ସୁପ୍ରିମକୋର୍ଟଙ୍କ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନରେ ଅଦାଲତ ପରିଷର, ବିଶେଷ କରି ଜିଲ୍ଲା ଅଦାଲତମାନଙ୍କରେ ଥିବା ଶୌଚାଳୟର ମରାମତି ଓ ନବୀକରଣ କାମ ଆରମ୍ଭ ହୋଇଛି।

ଏହି ଯୋଜନାରେ ଦେଶର ସମସ୍ତ ୧୬,୦୦୦ ଅଦାଲତ ପରିଷରରେ ଥିବା ଶୌଚାଳୟଗୁଡିକୁ ୬ମାସ ମଧ୍ୟରେ ମରାମତି କରି ବ୍ୟବହାର ଉପାଯୋଗୀ କରିବା କାମ ଆରମ୍ଭ କରାଯାଇଥିଲା। ନ୍ୟାୟ ବ୍ୟବସ୍ଥାରେ ସୁଧାର ପାଇଁ ରିସର୍ଚ୍ଚ କରୁଥିବା ସ୍ୱାଧିନ ସଂସ୍ଥା ଥିଙ୍କ ଟ୍ୟାଙ୍କ ବିଧି ସେଣ୍ଟର ଫର ଲିଗାଲ ପଲିସି ଦ୍ୱାରା କରାଯାଇଥିବା ସର୍ଭେରୁ ଅଦାଲତ ପରିଷରରେ ଶୌଚାଳୟର ଦୟନୀୟ ସ୍ଥିତି ସମ୍ପର୍କରେ ଜଣାପଡ଼ିଥିଲା। ବିଲ୍ଡିଂ ଓ୍ବେଟର କୋର୍ଟସ ଉପରେ ଅଦାଲତରେ କୋଠାଗୁଡ଼ିକରେ ଯେଉଁ ସବୁ ଅସୁବିଧା ରହିଛି ତାର ତାଲିକା ପ୍ରସ୍ତୁତ କରି ବିଶ୍ଲେଷଣ କରୁଥିବା ଥିଙ୍କ ଟ୍ୟାଙ୍କ ସଂସ୍ଥା କହିବା ଅନୁସାରେ ଦେଶର ଅଦାଲତ ପରିଷର ମଧ୍ୟରୁ ୧୫ ପ୍ରତିଶତ ମଧ୍ୟରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ।

ଯେଉଁସବୁ ରାଜ୍ୟର ଅଦାଲତମାନଙ୍କରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ ସେହି ରାଜ୍ୟମାନେ ହେଲେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଜମ୍ମୁ-କାଶ୍ମୀର, ଝାରଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ମଣିପୁର, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ପୁଡ଼ୁଚେରୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟ ରହିଛି। ରିପୋର୍ଟ ଅନୁସାରେ ଆନ୍ଧ୍ରପ୍ରଦେଶର ସର୍ବାଧିକ ୬୯ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନଥିବାବେଳେ ୨ୟ ସ୍ଥାନରେ ଥିବା ଓଡ଼ିଶାର ୬୦ ପ୍ରତିଶତ ଅଦାଲତରେ ଓ ଆସାମ ୫୯ ପ୍ରତିଶତ ଅଦାଲତରେ ଶୌଚାଳୟ ନଥିବା ଜଣାପଡ଼ିଛି।

ଗୋଆ, ଝାରଖଣ୍ଡ, ଉତ୍ତରପ୍ରଦେଶ, ମିଜୋରାମ ଭଳି ରାଜ୍ୟର କମ‍୍‌ ଅଦାଲତରେ ଶୌଚାଳୟ ରହିଛି। ଝାରଖଣ୍ଡରେ ମାତ୍ର ୮ ପ୍ରତିଶତ ଅଦାଲତ ପରିଷରରେ ଶୌଚଳୟ ଥିବାବେଳେ ଉତ୍ତର ପ୍ରଦେଶରେ ୧୧ ପ୍ରତିଶତ ଓ ମିଜୋରାମର ୧୩ ପ୍ରତିଶତ ଅଦାଲତ ପରିଷରରେ ଶୌଚାଳୟ ରହିଛି ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି। ସବୁଠାରୁ ଚିନ୍ତାର ବିଷୟ ଯେ ଝାରଖଣ୍ଡର ରାଜଧାନୀ ରାଞ୍ଚି ଜିଲ୍ଲା ଅଦାଲତ ପରିଷରରେ ମହିଳା ଓ ପୁରୁଷମାନଙ୍କ ପାଇଁ ଆଦୌ ଶୌଚାଳୟ ନାହିଁ।

Leave a Reply

Your email address will not be published. Required fields are marked *