ନିଆରା ଟାଇଟେଲ୍ ‘ନୋ ଟାଇମ୍ ଟୁ ଡାଇ’
ସାଧାରଣତଃ ଅନେକ ବ୍ୟକ୍ତିଙ୍କ ମୁହଁରୁ ଆପଣମାନେ ଶୁଣିଥିବେ – ‘ମୋତେ ମରିବା ପାଇଁ ସମୟ ନାହିଁ’ । ଏବେ ଏହି ଲୋକବାଣୀକୁ ନେଇ ଏକ ହଲିଉଡ୍ ଫିଲ୍ମର ଟାଇଟେଲ୍ ସ୍ଥିର ହୋଇଛି । ସବୁଠାରୁ ବଡ଼ ଖବର ହେଉଛି ଜେମସ୍ ବଣ୍ଡ୍ ସିରିଜର ୨୫ ତମ ସଂସ୍କରଣର ନାଁ ହେଉଛି ‘ନୋ ଟାଇମ୍ ଟୁ ଡାଇ’ । ନିକଟରେ ସିରିଜର ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ୩୦ ସେକେଣ୍ଡର୍ ଏକ ଟିଜର୍ ପୋଷ୍ଟର୍ ରିଲିଜ୍ କରାଯାଇଥିଲା । ଆସନ୍ତାବର୍ଷ ଏପ୍ରିଲ୍ ୩ ତାରିଖରେ ଏହାକୁ ୟୁକେ ଓ ୮ ଏପ୍ରିଲରେ ୟୁଏସରେ ରିଲିଜ୍ କରାଯିବ । କ୍ୟାରି ଫୁକୁନାଗା ଫିଲ୍ମର ର୍ନିର୍ଦ୍ଦେଶନା ଦେଇଥିବାବେଳେ ୫ମଥର ପାଇଁ ଜେମସ୍ ବଣ୍ଡ୍ ଭୂମିକାରେ ଅଛନ୍ତି ଡେନିଅଲ୍ କ୍ରେଗ୍ ।
ଡେନିଅଲଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିଛନ୍ତି ଜେଫ୍ରି ରାଇଟ୍, ଲାସନା ଲିଂଚ୍, ରାମି ମଲେକ୍, ଲି ସିଡକ୍ସ, ଏନା ଡେ ଆମର୍ସ, ରୋରି କିନ୍ନିୟର୍, ଡେଭିଡ୍ ଡେନସିକ ଓ ରାଲଫ୍ । ସୁଟିଂ ଆରମ୍ଭ ହେବା ପୂର୍ବରୁ ଓ ପରେ ଏହି ଫିଲ୍ମ ଅନେକ ଘାତ ପ୍ରତିଘାତ ମଧ୍ୟ ଦେଇ ଗତିକରିଛି । ଗତ ମେ’ ମାସରେ ସୁଟିଂ ସମୟରେ ଡାନିଏଲ୍ଙ୍କୁ ମାଇନର୍ ଆଙ୍କଲ୍ ସର୍ଜରୀ କରିବାକୁ ପଡ଼ିଥିଲା । ଜୁନ୍ ମାସରେ ପାଇନହୁଡ୍ ଷ୍ଟୁଡିଓରେ ହୋଇଥିବା ଫିଲ୍ମ ସେଟରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ସେଟ୍ ଜଳି ଯାଇଥିଲା । ଏହା ସହିତ କେହି ଜଣେ ଅଜଣା ବ୍ୟକ୍ତି ସେହି ଷ୍ଟୁଡିଓର ଫିମେଲ୍ ବାଥରୁମରେ କ୍ୟାମେରା ଲଗାଇଥିବା ଖବର ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ ଏଭଳି ଏକ ବିବାଦୀୟ ଫିଲ୍ମର ଏହି ନିଆରା ଟାଇଟେଲ୍ ସିନେପ୍ରେମୀଙ୍କ ପାଇଁ ହସର ଖୋକାର ଯୋଗାଇଛି ।