ଓଡ଼ିଶାର ୪୨୬୪ ଗାଁକୁ ନାହିଁ ରାସ୍ତା

ଭୁବନେଶ୍ୱର(ଓଟି): ଆଗଉଛି ରାଜ୍ୟ- ବିକାଶ କରୁଛି ଓଡ଼ିଶା। କିନ୍ତୁ ଆଜି ମଧ୍ୟ ଅନେକ ଅଞ୍ଚଳକୁ ଯୋଗାଯୋଗ କରିବା ପାଇଁ ରାସ୍ତାଟିଏ ନାହିଁ। ଏପରିକି ୪୨୬୨ଟି ଗାଁକୁ ରାସ୍ତା ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏକଥା ଆମେ କହୁନାହୁଁ; ସରକାରୀ ସୂତ୍ରରୁ ଜଣାପଡ଼ିଛି।

ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ବିଜେଡି ବିଧାୟକ ମନୋହର ରାନ୍ଧାରୀ, ଅନନ୍ତ ଦାସ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କୁସୁମ ଟେଟେ, ପ୍ରମୋଦ ମଲ୍ଲିକ ପ୍ରମୁଖ ଗ୍ରାମାଞ୍ଚଳ ରାସ୍ତା ସମ୍ପର୍କରେ ପ୍ରଶ୍ନ ଉପସ୍ଥାପନ କରିଥିଲେ। ଏହାର ଉତ୍ତର ଦେଇଥିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ। ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୦୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୦୧୭୮ ଗାଁ ମଧ୍ୟରୁ ୨୯୫୩୭ ଗାଁକୁ ରାସ୍ତା ଅଛି। ୪୨୬୪ ଗାଁକୁ ଯୋଗାଯୋଗ ପାଇଁ ରାସ୍ତା ନାହିଁ। ତେବେ ୧୮, ୬୭୭ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ୍‌ କରିବାକୁ ଉଦ୍ୟମ ହୋଇଥିବାବେଳେ ସେ ମଧ୍ୟରୁ ୧୭୦୮୯ ଗାଁକୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ସମ୍ପ୍ରତି ୧୬,୩୪୭ ଗାଁକୁ ସଂଯୋଗ ସରିଛି ଏବଂ ଅନ୍ୟ ୭୩୨ଟି ଗାଁ ପାଇଁ କାମ ଚାଲିଛି। ଅନୁରୂପ ଭାବେ ପ୍ରଧାନମନ୍ତ୍ରୀ ସଡକ ଯୋଜନା-୨ରେ ୧୬୧୫.୫୧ କୋଟି ଟଙ୍କା ଅନୁମୋଦନ ହୋଇଛି। ଏହା ବ୍ୟତୀତ ୧୮ଟି ଆଇଏପି ଜିଲ୍ଳାର ୨୫୦ରୁ ଅଧିକ, ନନ୍ ଆଇଏପି ଜିଲ୍ଲାର ୫ଶହରୁ ଅଧିକ ଓ ମାଓବାଦୀ ପ୍ରବଣ ଅଞ୍ଚଳରେ ଶହେରୁ ଅଧିକ ଗାଁକୁ ରାସ୍ତା କାମ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ ଗୃହରେ ତଥ୍ୟ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ରାସ୍ତା ସମସ୍ୟା ନେଇ ଉଭୟ ଶାସକ ଦଳ ଓ ବିରୋଧୀ ସଦସ୍ୟ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.