ସିଏମସିରେ ନେତାଙ୍କୁ ‘ନା’: ବିଭିନ୍ନ ମହଲରେ ସ୍ଵାଗତ
ଭୁବନେଶ୍ୱର(ଓଟି): ଏଣିକି କଲେଜ ପରିଚାଳନା କମିଟିରେ ରହିବେନି ନେତା-ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେବାପରେ ବିଭିନ୍ନ ମହଲରେ ଏହାକୁ ସ୍ଵାଗତ କରାଯାଇଛି। ବହୁ ଅଭିଭାବକ କହିଛନ୍ତି ଯେ- ଏହାଦ୍ଵାରା ନିଶ୍ଚିତ ଭାବେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳିବ। ସେହିପରି ଶିକ୍ଷାନୁଷ୍ଠାନରେ ଘଟୁଥିବା ଗଣ୍ଡଗୋଳ ଓ ସମସ୍ୟା ମଧ୍ୟ ଅନେକ ମାତ୍ରାରେ କମିପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି। କଲେଜ ପରିଚାଳନା ବ୍ୟବସ୍ଥାକୁ ମାର୍ଜିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ଉଦ୍ୟମ ଆରମ୍ଭ କରିଥିବାବେଳେ ସେଥିରେ ସ୍ଥାନୀୟ ବିଧାୟକ, ରାଜନେତା କିମ୍ବା ମନ୍ତ୍ରୀ କେହି ସ୍ଥାନ ପାଇପାରିବେ ନାହିଁ। ଓଡ଼ିଶା ଅଭିଭାବକ ମହାସଂଘର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ ଗୁରୁବାର ଏକଥା କହିଥିଲେ। ତେବେ କମିଟିରେ ଶିକ୍ଷାବିତ୍ଙ୍କୁ ଗୁରୁତ୍ଵ ଦିଆଯିବାକୁ ଥିବାବେଳେ ଅଧିକ ଭାବେ ଅଭିଭାବକଙ୍କୁ ସାମିଲ୍ କରାଯିବ ବୋଲି ସୂଚନା ମିଳିଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଏବଂ ପରିଚାଳନା ଦକ୍ଷତା ଥିବା ବ୍ୟକ୍ତିଙ୍କୁ ହିଁ କମିଟିର ସଭାପତି ଭାବରେ ନିଯୁକ୍ତି କରାଯିବ। ଫଳରେ କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିବା ସହ ଉଚ୍ଚଶିକ୍ଷା ସୁଦୃଢ ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡିକର ଅଧ୍ୟାପକମାନେ ଘରୋଇ ଟ୍ୟୁସନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏଭଳି ନିଷ୍ପତ୍ତିକୁ ଅଭିଭାବକଙ୍କ ସମେତ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି।











