ଭୋଟରଙ୍କ ମତିଗତି ସନ୍ଦେହରେ : ୯୫ର ସ୍ଥିତି ପୁଣି ଫେରିବକି ୧୯ରେ?

୧୯୯୫ ଭୋଟ ଫଳାଫଳ ଯେଉଁମାନେ ଦେଖିଛନ୍ତି, ସେମାନଙ୍କ ମଧ୍ୟରେ ବଡ଼ ସନ୍ଦେହ ସୃଷ୍ଟି ହୋଇସାରିଲାଣି ଯେ, ହୁଏତ ୨୦୧୯ରେ ରିପିଟ ହେବ ୧୯୯୫। ୯୫ ନିର୍ବାଚନ ବିଜୁଙ୍କ ସ୍ୱପ୍ନକୁ ଚୁରମାର କରିଦେଇଥିଲା। ୧୯ ଯଦି ନବୀନଙ୍କ ସ୍ୱପ୍ନକୁ ଚୁରମାର କରିଦିଏ, ତେବେ ସେଦିନର ଫଳ ଦେଖିଥିବା ନେତା ଓ ଭୋଟର କେବେ ବି ଆଶ୍ଚର୍ଯ୍ୟ ହେବେ ନାହିଁ।

୧୯୭୭ରୁ ଆଜି ଯାଏଁ ଯେତେଗୁଡ଼ିଏ ବିଧାନସଭା ନିର୍ବାଚନ ହୋଇଛି, ସେଥିମଧ୍ୟରୁ କେବଳ ୧୯୯୫ ଛାଡ଼ିଦେଲେ, ଆଉ କୌଣସି ନିର୍ବାଚନରେ ଜିତାପଟକୁ ନେଇ କାହା ମନରେ କୌଣସି ସନ୍ଦେହ ନଥିଲା। ୧୯୯୫ରେ ଫଳାଫଳ ଥିଲା ଅପ୍ରତ୍ୟାଶିତ। କେହି ଭାବି ନଥିଲେ ଯେ, ପୂର୍ବ ନିର୍ବାଚନରେ ୧୨୩ ଆସନ ଜିଣି ରେକର୍ଡ଼ କରିଥିବା ଜନତା ଦଳ ଖସି ଆସିବ ୪୬କୁ।

୧୯୯୫ ଭଳି ଏବର ୨୦୧୯ ନିର୍ବାଚନ ସେମିତି ଏକ ବଡ଼ କୁହେଳିକା ସୃଷ୍ଟି କରିସାରିଲାଣି। ନିର୍ବାଚନ ଫଳାଫଳକୁ ନେଇ ଅନ୍ଦାଜ କରିବା ଏତେ ସହଜ ହୋଇପାରୁ ନାହିଁ।

୧୯୭୭ରେ ଜନମତ କଂଗ୍ରେସ ବିରୋଧରେ ଯିବ ବୋଲି ବର୍ଷେ ତଳୁ ଜଣାପଡ଼ି ସାରିଥିଲା। କଂଗ୍ରେସର ଜରୁରୀ କାଳୀନ ପରିସ୍ଥିତି ବିରୋଧରେ ଏକାବେଳକେ ହାତ ମିଳାଇ ଥିଲେ ବିଜୁ ପଟନାୟକ ଏବଂ ହରେକୃଷ୍ଣ ମହତାବ। ବାତାବରଣ ଥିଲା ସମ୍ପୂର୍ଣ୍ଣ କଂଗ୍ରେସ ବିରୋଧରେ। ଫଳରେ ନିର୍ବାଚନରେ କଂଗ୍ରେସ ପ୍ରାୟତଃ ମୂଳପୋଛ ହୋଇଯାଇଥିଲା। ଜନତା ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ କ୍ଷମତାସୀନ ହୋଇଥିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀଳମଣି ରାଉତରାୟ।

ମାତ୍ର ଦୁଇବର୍ଷ ଭିତରେ ଜନତା ପାର୍ଟିର ଆଭ୍ୟନ୍ତରୀଣ କନ୍ଦଳ କାରଣରୁ ସରକାର ଜନତାଙ୍କ ଆସ୍ଥା ହରାଇ ବସିଲା। ଜାତୀୟ ସ୍ତରରେ ଇନ୍ଦିରା ଗାନ୍ଧୀ ପୁଣି ଫେରି ଆସିଥିଲେ କେନ୍ଦ୍ର ମଞ୍ଚକୁ। ଓଡ଼ିଶା ଭୋଟର କଂଗ୍ରେସ ମୁହାଁ ହୋଇଥିଲା ଏବଂ କେନ୍ଦ୍ରରେ ଜନତା ପାର୍ଟି ସରକାର ଭାଙ୍ଗିଯିବା ପରେ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବାକୁ ନେଇ କେହି ସନ୍ଦେହରେ ନଥିଲେ। ନିର୍ବାଚନରେ ଜନତା ପାର୍ଟି କ୍ଷମତାଚ୍ୟୁ ହେଲା। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନିରାପଦ ସଂଖ୍ୟା ଗରିଷ୍ଠତା ସହ ଗଢ଼ିଲା ସରକାର। ସେ ନିର୍ବାଚନକୁ ନେଇ ମଧ୍ୟ ଭୋଟରଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ବା ବିଭ୍ରାନ୍ତି ନଥିଲା।

୧୯୮୫ ନିର୍ବାଚନ ଅନୁକମ୍ପା ସପକ୍ଷରେ ଥିଲା। ଇନ୍ଦିରାଙ୍କ ଅକାଳ ବିୟୋଗ ପରେ ଯେଉଁ ସହାନୁଭୂତି ହାୱା କଂଗ୍ରେସ ସପକ୍ଷରେ ଗଢ଼ି ଉଠିଥିଲା, ତାହାର ଫାଇଦା ଏହି ଦଳକୁ ଯାଇଥିଲା। ତେଣୁ ୧୯୮୫ ନିର୍ବାଚନ ଫଳାଫଳ ସମ୍ପର୍କରେ କେହି ସନ୍ଦେହରେ ନଥିଲେ। ଜେବି ପଟ୍ଟନାୟକ ଲଗାତାର ଦ୍ୱିତୀୟ ଥର ସକାଶେ ମୁଖ୍ୟମନ୍ତ୍ରୀ ହେଲେ। ଏହା ମଧ୍ୟ ଏକତରଫା ନିର୍ବାଚନ ଥିଲା।

୧୯୯୦ରେ ଜନତା ଦଳର ବିଜୟକୁ ନେଇ କେହି ସନ୍ଦେହରେ ନଥିଲେ। କାରଣ, କଂଗ୍ରେସ ଭିତରେ ଜେବି ଓ ବସନ୍ତଙ୍କୁ ନେଇ ଯେଉଁ ଲଢ଼େଇ ଚାଲିଥିଲା ଏବଂ କଂଗ୍ରେସ ବିରୋଧରେ ଦୁର୍ନୀତି, ଗୁଣ୍ଡାରାଜ ଏବଂ ନାରୀ ନିର୍ଯାତନାର ଯେଉଁସବୁ ବିରାଟ ବିରାଟ ଅଭିଯୋଗ ମୁଣ୍ଡ ଟେକିସାରିଥିଲା, ସେଥିରୁ ପୂର୍ଣ୍ଣ ଫାଇଦା ନେଲା ଜନତା ଦଳ। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳ ବାମ ଦଳ ସହ ମେଣ୍ଟ କରିଥିଲା। ଜନତା ଦଳ ୧୨୩ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ମଧ୍ୟ ମିଳି ନଥିଲା। ଆଜି ପର୍ଯ୍ୟନ୍ତ ୧୨୩ ରେକର୍ଡ଼ ଅକ୍ଷୂର୍ଣ୍ଣ ରହିଛି। ତେଣୁ ୧୯୯୦ରେ ଏକତରଫା ନିର୍ବାଚନ ହୋଇଥିଲା।

୧୯୯୫ ନିର୍ବାଚନକୁ ନେଇ କୌଣସି ପଣ୍ଡିତ ସଠିକ ଆକଳନ କରି ନଥିଲେ। ଜନତା ମଇଦାନରେ ଜନତା ଦଳ ସମାବେଶରେ ଲକ୍ଷାଧିକ ଲୋକଙ୍କ ଯୋଗଦାନ ଜଣାଇ ଦେଉଥିଲା ଯେ, ବିଜୁ ପୁନର୍ବାର ମୁଖ୍ୟମନ୍ତ୍ରୀ ହେଉଛନ୍ତି। ଏହି ସମାବେଶରେ ଦେଶର ବଡ଼ ବଡ଼ ତୁଙ୍ଗ ଅଣକଂଗ୍ରେସୀ ନେତା ଯୋଗ ଦେଇଥିଲେ।

କଂଗ୍ରେସ କ୍ଷମତାକୁ ଫେରିବ ବୋଲି ପ୍ରାୟତଃ କେହି ପୂର୍ବାନୁମାନ କରି ନଥିଲେ। ଅଧିକାଂଶଙ୍କର ଅଙ୍କକଷା ଭୁଲ ସାବ୍ୟସ୍ତ ହୋଇଥିଲା। ପ୍ରଥମ ଥର ପାଇଁ ଭୋଟରଙ୍କ ମତିଗତି କଳିବାରେ ଦଳ ଏବଂ ଗଣମାଧ୍ୟମ ବିଫଳ ହୋଇଥିଲା। ନିର୍ବାଚନ ଘୁଞ୍ଚିଯିବା କାରଣରୁ ହେଉ କିମ୍ୱା ଜନତା ଦଳର ଭୁଲ ଷ୍ଟ୍ରାଟେଜି ଯୋଗୁଁ ହେଉ, କଂଗ୍ରେସ କ୍ଷମତାକୁ ମାତ୍ର ୫ବର୍ଷ ବ୍ୟବଧାନରେ ତୃତୀୟ ଥର ପାଇଁ ଫେରିଲା।

୨୦୦୦ନିର୍ବାଚନ ଏକତରଫା ଥିଲା। କଂଗ୍ରେସ ନେତୃତ୍ୱ ବଦନାମ ହୋଇସାରିଥିଲା। କେନ୍ଦ୍ରରେ ବାଜପାୟୀ ସରକାର ଆସି ସାରିଥିଲେ। ଲୋକପ୍ରିୟତାରେ ବାଜପାୟୀ ଥିଲେ ଖୁବ ଉଚ୍ଚରେ। ତେଣୁ ବିଜେଡି-ବିଜେପି ମେଣ୍ଟ ଅନାୟସରେ କ୍ଷମତା ଦଖଲ କଲା। ଏହାକୁ ନେଇ ମଧ୍ୟ କେହି ସନ୍ଦେହରେ ନଥିଲେ। ୧୯୯୮-୯୯ ଦୁଇଟି ଲୋକସଭା ନିର୍ବାଚନ ସଂକେତ ଦେଇସାରିଥିଲା ଯେ, ଓଡ଼ିଶାରେ ବିଧାନସଭା ଫଳାଫଳ କ’ଣ ହେବାକୁ ଯାଉଛି।

୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ହୋଇଥିବା ଚାରିଟି ନିର୍ବାଚନର ଫଳାଫଳକୁ ନେଇ ସଠିକ ପୂର୍ବାନୁମାନ କରାଯାଇଥିଲା। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ୨୦୦୯ ଏବଂ ୨୦୧୪ରେ ବିଜେଡି ଏବଂ ନବୀନଙ୍କୁ ଚ୍ୟାଲେଞ୍ଜ ଦେଲା ଭଳି କୌଣସି ନେତା କିମ୍ୱା କୌଣସି ଦଳ ନଥିଲା ଓଡ଼ିଶାରେ। ତେଣୁ ଏକତରଫା ବିଜୟ ହାସଲ କରିଥିଲା ବିଜୁ ଜନତା ଦଳ।

ମାତ୍ର ସବୁ ନିର୍ବାଚନକୁ ବଳିଯିବାକୁ ବସିଛି ୨୦୧୯ ନିର୍ବାଚନ। ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ୧୧ ତାରିଖରେ ସରିଥିଲା। ଆଜି ଦ୍ୱିତୀୟ ପର୍ଯ୍ୟାୟ ସରିଯିବ। ଆଉ ୧୨ଟି ଲୋକସଭା ଓ ୮୪ଟି ବିଧାନସଭା ଆସନ ପାଇଁ ବାକି ଦୁଇଟି ପର୍ଯ୍ୟାୟରେ ଆସନ୍ତା ୨୩ ଓ ୨୯ ତାରିଖରେ ମତଦାନ କରାଯିବ। କିନ୍ତୁ କେହି ଫଳାଫଳକୁ ନେଇ ଆତ୍ମବିଶ୍ୱାସର ସହ କିଛି ପୂର୍ବାନୁମାନ କରିପାରୁ ନାହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗତମାନେ ପ୍ରଥମ ପର୍ଯ୍ୟାୟରେ ବିଜେଡିକୁ ବିପୁଳ ସଂଖ୍ୟା ଗରିଷ୍ଠତା ମିଳିଛି ବୋଲି ଦାବି କରୁଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱର ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଜେପିକୁ ବିପୁଳ ସମର୍ଥନ ମିଳିଥିବା ଦାବି କରିଛନ୍ତି। ରାଜ୍ୟରେ ବିଜେପି ସରକାର ପାଇଁ ଶୁଭ ସଂକେତ ମିଳିସାରିଛି ବୋଲି କହିଛନ୍ତି ମୋଦୀ।

ନିଜନିଜ ଦଳ ସପକ୍ଷରେ ଏଭଳି ଦମ୍ୱୋକ୍ତି ବିଶେଷ ମୂଲ୍ୟ ରଖେ ନାହିଁ। କିନ୍ତୁ ଫଳାଫଳକୁ ନେଇ ଯେଉଁ ଦ୍ୱନ୍ଦ୍ୱ ବା ଅନିଶ୍ଚିତତା ଦେଖା ଦେଇଛି, ତାହାର ଦୁଇଟି ବଡ଼ ମୂଳ କାରଣ ଅଛି। ବିଜେଡି ପୁନର୍ବାର କ୍ଷମତାସୀନ ହେବ ବୋଲି କେହି ଜୋର ଦେଇ କହିପାରୁ ନାହାନ୍ତି। ସେମିତି ବିଜେପି ବିରାଟ ଓଲଟପାଲଟ କରିବ ବୋଲି ମଧ୍ୟ ଦୃଢ଼ତାର ସହ କେହି କହିପାରୁ ନାହାନ୍ତି।

ପ୍ରଥମ କାରଣଟି ହେଲା, ଏହି ନିର୍ବାଚନଟି ନିର୍ବାଚନର ନିର୍ବାଚନ। ଏହା ପୂର୍ବରୁ ଏମିତି ଜୋରଦାର ପ୍ରତିଦ୍ୱନ୍ଦ୍ୱୀତା କେବେ ହୋଇ ନଥିଲା। କଂଗ୍ରେସ ମଇଦାନରୁ ବାହାରିଯିବା ସତ୍ତ୍ୱେ ବି ଭାରତୀୟ ଜନତା ପାର୍ଟିର ସୁସଂଗଠିତ ମୁକାବିଲା କାରଣରୁ ହିଁ ଫଳାଫଳକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଗଲା।

ଦ୍ୱିତୀୟ କାରଣଟି ହେଲା, ନବୀନ ସରକାର ୧୯ ବର୍ଷ କ୍ଷମତାରେ ଥିବାରୁ ପରିବର୍ତ୍ତନ ସପକ୍ଷବାଦୀଙ୍କ ସ୍ୱର କ୍ରମଶଃ ପ୍ରଖର ହେଉଥିବାରୁ ଶାସକ ଦଳ ଅଧିକରୁ ଅଧିକ ଛାନିଆଁ ହୋଇ ପଡ଼ୁଥିବା ସୂଚନା ମିଳୁଛି। ଯାହାକୁ ଏକଦା ସମସ୍ତେ ଅପରାଜେୟ ବୋଲି ଧରି ନେଉଥିଲେ, ଏବେ ସେ ବିରାଟ ସଂକଟରେ ପଡ଼ିଛନ୍ତି ବୋଲି ଧାରଣା ଦୃଢ଼ୀଭୁତ ହେଉଛି।

ଏବେ ଏକ ନୂଆ ସ୍ଲୋଗାନ ବାହାରିଛି। କେନ୍ଦ୍ରରେ ଫୁଲ। ରାଜ୍ୟରେ ଶଙ୍ଖ। ଏଭଳି ସ୍ଲୋଗାନର ସୃଷ୍ଟିକର୍ତ୍ତା କିଏ, କେହି ଜାଣନ୍ତି ନାହିଁ। ଅନେକ ମନେ କରୁଛନ୍ତି ଯେ, ରାଜ୍ୟରେ କ୍ଷମତା ବଜାୟ ରଖିବା ପାଇଁ ଏହା ବିଜୁ ଜନତା ଦଳର ସୃଷ୍ଟି। ଲୋକସଭା ଆସନ ବରଂ ବିଜେପି ଜିଣୁ, କିନ୍ତୁ ବିଧାନସଭାରେ ବିଜେଡିକୁ ଲୋକେ ଭୋଟ ଦିଅନ୍ତୁ। କିନ୍ତୁ ଓଡ଼ିଶା ଇତିହାସରେ ଏଭଳି ବଡ଼ ବ୍ୟତିକ୍ରମ ଦେଖାଯାଇ ନାହିଁ। କଦବା କେଉଁ ସ୍ଥାନରେ ଲୋକସଭାରେ ଗୋଟିଏ ଦଳକୁ ଏବଂ ୭ଟିଯାକ ବିଧାନସଭା ଆସନରେ ଅନ୍ୟ କୌଣସି ଦଳକୁ ଭୋଟ ଦେଇଛନ୍ତି ଲୋକ।

କିନ୍ତୁ ସାରା ଓଡ଼ିଶାରେ ଏଭଳି ଚିତ୍ର ଦେଖାଯାଇ ନାହିଁ। ତେଣୁ ଲୋକସଭାରେ ଯେଉଁ ଦଳକୁ ଅଧିକ ଆସନ ମିଳିବ, ବିଧାନସଭାରେ ମଧ୍ୟ ସେହି ଦଳକୁ ଅଧିକ ଆସନ ମିଳିବା ସମ୍ଭାବନା ବେଶୀ। ତା’ଛଡ଼ା ମୋଦୀ ବାରମ୍ୱାର ଡବଲ ଇଞ୍ଜିନ କଥା କହିଆସୁଥିବାରୁ, ଯଦି ମୋଦୀଙ୍କୁ ଓଡ଼ିଶାର ଲୋକେ ପୁଣି ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି, ତେବେ ଓଡ଼ିଶାରେ ମଧ୍ୟ ଏହି ଦଳକୁ ସୁଯୋଗ ଦେଇପାରନ୍ତି।

ଠିକ ସେହିପରି ଯଦି ଓଡ଼ିଶାରେ ନବୀନଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବାଲୋକେ, ତେବେ ଲୋକସଭାରେ ମଧ୍ୟ ବିଜୁ ଜନତା ଦଳ ପ୍ରାର୍ଥୀ ଅଧିକ ସଂଖ୍ୟାରେ ବିଜୟୀ ହେବେ।

ତେଣୁ ଚାରିଆଡେ଼ ଯେଉଁ ବାତାବରଣ ଗଢ଼ି ଆସୁଛି, ଭୋଟର କେଉଁଆଡ଼କୁ ମୁହାଁଇବେ, କଳନା କରିବା ମୁସ୍କିଲ। ହାୱା କେଉଁ ଦିଗକୁ ବୋହୁଛି, ତାହା ଉପକୂଳ ଓଡ଼ିଶା ହିଁ ସାବ୍ୟସ୍ତ କରିଦେବ। ସେଥିପାଇଁ ପ୍ରଥମ ଥର ସକାଶେ ଭୋଟରଙ୍କ ମତିଗତି କଳିବାରେ ଗଣମାଧ୍ୟମ ଏବଂ ଦଳଗୁଡ଼ିକ ସଫଳ ହେଉ ନାହାଁନ୍ତି ବୋଲି କୁହାଯାଇପାରେ।

Leave a Reply

Your email address will not be published.