ଓଡ଼ିଶାରେ #corona ସ୍ଥିତି ସ୍ଥିର, ୨୮ ହସ୍ପିଟାଲ୍ରେ ୨ ପଜିଟିଭ୍
ଭୁବନେଶ୍ଵର, (ଓଟି): ପ୍ରଥମ ରାଜ୍ୟ ଭାବେ ଲକ୍ଡାଉନ୍ ଲାଗୁ କରିଥିବା ଓଡ଼ିଶାରେ କରୋନା ସ୍ଥିତି ସ୍ଥିର ରହିଛି। ଜନସାଧାରଣଙ୍କୁ ନିରାପଦ ଯୋଗାଇବା ତଥା ସଂକ୍ରମଣରୁ ରକ୍ଷା କରିବା ଲାଗି ରାଜ୍ୟ ସରକାର ଅନ୍ୟମାନଙ୍କଠାରୁ ଦୁଇପାଦ ଆଗରେ ରହିଛନ୍ତି ବୋଲି କହିବା ସହ ଏଠାରେ ପରିସ୍ଥିତି ଗତକାଲି ଭଳି ସ୍ଥିର ରହିଥିବା କହିଛନ୍ତି କରେନା ସମ୍ପର୍କିତ ମୁଖପାତ୍ର ସୁବ୍ରତୋ ବାଗ୍ଚୀ।
ଶ୍ରୀ ବାଗ୍ଚୀଙ୍କ ପ୍ରେସ୍ ଅଭିଭାଷଣ ଅନୁସାରେ ଏବେ ରାଜ୍ୟରେ ସମୁଦାୟ କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୨। କିନ୍ତୁ ହସ୍ପିଟାଲ୍ରେ ସନ୍ଦିଗ୍ଧଙ୍କ ସଂଖ୍ୟାର ୨୮ ରହିଛି। ଯେଉଁ ଦୁଇଜଣଙ୍କ ଦେହରେ କରୋନା ପଜିଟିଭ୍ ରହିଛି ସେମାନଙ୍କ ଭତତରୁ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ଆଉ ଜଣେ ଭୁବନେଶ୍ଵର ଏମ୍ସରେ ରହିଛନ୍ତି।
ସମୁଦାୟ ପଞ୍ଜିକୃତ ବିଦେଶ ଫେରନ୍ତାଙ୍କ ସଂଖ୍ୟା ୩୪୭୪ ରହିବା ସହ ସେମାନଙ୍କ ଭିତରୁ ୭୬ଜଣଙ୍କୁ ସନ୍ଦିଗ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ୭୬ଙ୍କ ସାମ୍ପଲ୍ ପରୀକ୍ଷଣ କରାଯାଇଛି। ସେମାନଙ୍କ ସାମ୍ପଲ୍ରୁ କେବଳ ୨ଜଣଙ୍କର ପଜିଟିଭ୍ ଆସିଥିବା ଶ୍ରୀ ବାଗ୍ଚୀ କହିଛନ୍ତି।
କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ସମସ୍ତ ଆନ୍ତଃରାଜ୍ୟ ପରିବହନକୁ ରାଜ୍ୟ ସରକାର ଆସନ୍ତା କାଲିଠାରୁ ବନ୍ଦ କରିବାକୁ ଯାଉଛନ୍ତି। ଏହା ଲକ୍ଡାଉନ୍ର ଅଂଶ ବିଶେଷ ବୋଲି କହିଛନ୍ତି ଶ୍ରୀ ବାଗ୍ଚୀ।
ଆଇସିଏମ୍ଆର୍ ଅନୁସାରେ କୋଭିଡ୍-୧୯ ଭୁତାଣୁ ସଂକ୍ରମଣକାରୀଙ୍କ ଦେହରେ ୧୪ ଦିନ ଯାଏ ରହିପାରେ। ଏହା ସଂକ୍ରମଣର ପ୍ରଥମ ଦିନରେ ପରୀକ୍ଷା କୀଟ୍ରେ ଦୃଶ୍ୟମାନ ହୋଇପାରେ କିମ୍ବା ୭ ଦିନ ପରେ ବି ହୋଇପାରେ। କିନ୍ତୁ ୧୪ ଦିନର ସାମ୍ପଲ୍ରେ ଯଦି ତାହା ନେଗେଟିଭ୍ ଫଳ ଦେଲା ତେବେ ସେ ରୋଗୀ କରୋନାରୁ ମୁକ୍ତ ବୋଲି କୁହାଯିବ।