ଭୁବନେଶ୍ଵରରେ ହୋଇନି ସ୍ଥାନୀୟ ସଂକ୍ରମଣ, ବାହାର ରାଜ୍ୟରୁ ଆସିଛି ଭୁତାଣୁ
ଭୁବନେଶ୍ଵର, (ଓଟି): ଲଗାତାର ଭୁବନେଶ୍ଵରରୁ କରୋନା ରୋଗୀଙ୍କୁ ଚିହ୍ନଟ କରାଯିବା ଦ୍ଵାରା ସ୍ଥାନୀୟ ସଂକ୍ରମଣର ଆଶଙ୍କା ଦେଖାଦେଇଥିଲା। ଏଣୁ ଯେଉଁପରି ଭାବେ ସମ୍ପୃକ୍ତ ଅଞ୍ଚଳରୁ ଲୋକେ ଆଉ ବାହାରକୁ ଯିବେ ନାହିଁ କି ବାହର ଲୋକ ସେଠାରେ ପ୍ରବେଶ କରିପାରିବେ ନାହିଁ ତାହାକୁ ଆଖିରେ ରଖି ସରକାର ସୂର୍ଯ୍ୟ ନଗର ଓ ବମିଖାଲ ଅଞ୍ଚଳକୁ ସିଲ୍ କରିଥିଲେ। ହେଲେ ଆଜି ଭୁବନେଶ୍ଵର ମ୍ୟୁନିସିପାଲ୍ କମିଶନର ପ୍ରେମଚନ୍ଦ ଚୌଧରୀ ଏକ ଆଶ୍ଵସ୍ତିମୂଳକ ସୂଚନା ଉପସ୍ଥାପନ କରିଛନ୍ତି। ଏହା ହେଲା ଯେଉଁ ରୋଗୀମାନେ ଏଠାରୁୁ ଚିହ୍ନଟ ହୋଇଛନ୍ତି ତାହାଙ୍କ ଜଡ଼ ବାହାର ରାଜ୍ୟରୁ ଆସିଛି। ଅର୍ଥାତ୍ ସମ୍ପୃକ୍ତ ଲୋକମାନେ ବାହାର ରାଜ୍ୟରେ ଥିବା ତାଙ୍କ ନିକଟ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏଣୁ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଅପେକ୍ଷାକୃତ ସହଜ ବୋଲି ଆଶା କରାଯାଇଛି।
ଶ୍ରୀ ଚୌଧରୀ କହିଛନ୍ତି ଯେ, ଭୁବନେଶ୍ଵରର ସୂର୍ଯ୍ୟ ନଗରରୁ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ଜଣେ ସମ୍ପର୍କୀୟ ନିକଟରେ ତାଙ୍କ ଘରେ ୪ ଦିନ ହେଲା ରହିଥିଲେ। ସେ ମଧ୍ୟ କରୋନା ପଜିଟିଭ୍ ବୋଲି ଚିହ୍ନିତ ହୋଇଛନ୍ତି। ଏଣୁ ଏହି ଭୁତାଣୁ ସେହିଠାରୁ ଆସିଥାଇପାରେ। ଏଣୁ କୌଣସି ଯାତଆ ଇତିହାସ ନଥାଇ ତାଙ୍କୁ କିପରି କରୋନା ଆକ୍ରାନ୍ତ କଲା ତାହା ନେଉ ଯେଉଁ ଆଶଙ୍କା ଉଠିଥିଲା ତାହା ଏବେ ପ୍ରଶମିତ ହୋଇଛି।
ସେହିପରି ଗତକାଲି ବମିଖାଲ୍ ଅଞ୍ଚଳରୁ ୩ ଭାଇଙ୍କୁ କରୋନା ପଜିଟିଭ୍ ଚିହ୍ନଟ କରାଯାଇଛି। ଏମାନଙ୍କ ବାପା ଭୋପାଳରେ ରହନ୍ତି। ଏବଂ ସେ ମଧ୍ୟ ନିକଟରେ ସମ୍ର୍ପରେ ଆସିଥିଲେ। ଆଉ ଭୋପାଳରେ ଥିବା ତାଙ୍କ ବାପା ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଶ୍ରୀ ଚୌଧରୀ କହିଛନ୍ତି।
ଯଦିଓ ଏହି ଖବର ଆଶ୍ଵସ୍ତି ଦେିଛି କିନ୍ତୁ ଏ ଅଞ୍ଚଳରେ ଲାଗିଥିବା କଟକଣା ଏବେ ପ୍ରତ୍ୟାହାର କରାଯିବ ନାହିଁ। ଆବଶ୍ୟକ ସର୍ଭିଲାନ୍ସ ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।
ଏହି ଦୁଇ ଦୃଷ୍ଟାନ୍ତରେ ଭୁତାଣୁ ବାହାର ରାଜ୍ୟରୁ ଆସିଥିବା ଆଶଙ୍କା କରାଯାଉଥିବାରୁ ଭୁବନେଶ୍ଵରରେ ସ୍ଥାନୀୟ ସଂକ୍ରମଣ ହୋଇ ନଥାଇପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଇଛି।