ବସ୍ତି ଭୋଟକୁ ନେତାଙ୍କ ଭରସା ପାଉନି
ସହରାଞ୍ଚଳର ବସ୍ତିଭୋଟ ଉପରେ ନଜର ରଖିଥିବା ରାଜନୈତିକଦଳମାନେ ଏଥର ପୂର୍ବଭଳି ସଫଳତା ପାଇବେନାହିଁ ।କାରଣ ଚଳିତବର୍ଷ ବହୁ ବାମପନ୍ଥୀଦଳ ବସ୍ତି ଭୋଟକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଦେବା ସହିତ ବିଭିନ୍ନ ବସ୍ତିରେ ଦିନରାତି ଘୂରି ବୁଲୁଥିବାରୁ ଏହି ଭୋଟ ଭାଗ ଭାଗ ହେବାର ସମ୍ଭାବନା ରହିଛି ।
ରାଜଧାନୀର ତିନିଟି ବିଧାନସଭା କ୍ଷେତ୍ର ଅଞ୍ଚଳରେ ଥିବା ବସ୍ତିଭୋଟ ଉପରେ ଉଭୟ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ସେମାନଙ୍କ ବିଜୟପାଇଁ ନିର୍ଭରଶୀଳ । ଯେଉଁ ଦଳ ବସ୍ତିଭୋଟରୁ ସିଂହଭାଗ ପାଇବ ସେହିଦଳର ପ୍ରାର୍ଥୀ ଜିଣିବା ଏକ ପ୍ରକାର ନିଶ୍ଚିତ । କାରଣ ରାଜଧାନୀର ଉଚ୍ଚବର୍ଗ ବିଶେଷକରି ସରକାରୀ ଚାକିରିଆମାନେ ଖୁବ୍ କମ୍ ପରିମାଣରେ ମତଦାନ କରିଥାନ୍ତି ।
ସରକାରୀ ତାଲିକାରେ ରାଜଧାନୀରେ ୪୩୬ଟି ବସ୍ତି ରହିଥିବାବେଳେ ଏଠାରେ ଥିବା ଭୋଟରଙ୍କ ସଂଖ୍ୟା ସର୍ବାଧିକ । ଏପରିକି ଭୋଟର ତାଲିକାରେ ନାମଥିବା ବସ୍ତିବାସିନ୍ଦା ଯେଉଁମାନେ କି ବାହାରେ ରହୁଛନ୍ତି ସେମାନେ ଭୋଟ ସମୟରେ ଆସି ମତଦାନ କରିଥାନ୍ତି । ତେଣୁ ପ୍ରମୁଖ ରାଜନୈତିକ ଦଳ ଗୁଡିକ ସହରର ଅନ୍ୟସ୍ଥାନ ଅପେକ୍ଷା ବସ୍ତି ଉପରେ ଅଧିକ ଭାବେ ଫୋକସ କରିଥାନ୍ତି ।
ହେଲେ ଏଥର ରାଜଧାନୀର ବସ୍ତିଭୋଟ ଭାଗ ଭାଗ ହୋଇଯିବ ବୋଲି ଆଶଙ୍କା କରାଗଲାଣି । କାରଣ କଂଗ୍ରେସ ସହିତ ମେଣ୍ଟ କରିଥିବା ସିପିଏମ୍ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବାବେଳେ ସିପିଆଇଏମ୍ଏଲ୍ ଲିବରେସନ ଓ ସିପିଆଇଏମ୍ଏଲ୍ ରେଡଷ୍ଟାର, ଫରୱାର୍ଡ ବ୍ଲକ ଭଳି ବାମପନ୍ଥୀ ସଂଗଠନ ଗୁଡିକ ଭୁବନେଶ୍ୱର ଲୋକସଭା ସମେତ ବିଧାନସଭା ଆସନ ଗୁଡିକରେ ପ୍ରାର୍ଥୀ ଦେଇଛନ୍ତି ।
ମହେନ୍ଦ୍ର ପରିଡା ଓ ଶିବରାମଙ୍କ ଭଳି ବାମପନ୍ଥୀ ନେତାମାନେ ଏବେ ନିଜ ପାଇଁ ଏବଂ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ରାଜଧାନୀର ବିଭିନ୍ନ ବସ୍ତିରେ ଏହି ନେତାମାନଙ୍କର ପ୍ରଭାବ ରହିଥିବାବେଳେ ସେମାନେ ବି ବସ୍ତି ଉପରେ ଅଧିକ ଭାବରେ ଫୋକସ କରୁଛନ୍ତି ।
ତେଣୁ ବସ୍ତିବାସିନ୍ଦାଙ୍କ ଭୋଟ କେବଳ ପ୍ରମୁଖ ରାଜନୈତିକଦଳ ଗୁଡିକୁ ଯିବବୋଲି ଯାହା ଆକଳନ ହେଉଥିଲା ଚଳିତଥର ସେଥିରେ ବ୍ୟତିକ୍ରମ ହୋଇପାରେ ।
ତେବେ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ବିଧାନସଭା ପ୍ରାର୍ଥୀ ବାବୁ ସିଂହ, ଜଗନ୍ନାଥ ପ୍ରଧାନ, ଅପରାଜିତା ମହାନ୍ତି, ବିଜେଡିର ବିଧାନସଭା ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା, ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ରାଜଧାନୀର ବିଭିନ୍ନ ବସ୍ତିରେ ଜୋରଦାର ପ୍ରଚାର ଚଳାଇଛନ୍ତି ।
ବସ୍ତି ବାସିନ୍ଦାଙ୍କୁ ସବୁ ଦଳ ମାଳ ମାଳ ପ୍ରତିଶ୍ରୁତି ଦେଉଥିବାବେଳେ ଚଳିତ ନିର୍ବାଚନରେ ବସ୍ତିବାସିନ୍ଦାଙ୍କ ଭୋଟକୁ ବାମପନ୍ଥୀ ଦଳମାନେ ଭାଗ ଭାଗ କରୁଛନ୍ତି ନା ତାହା ପୂର୍ବଭଳି ବଡ ରାଜନୈତିକଦଳ ଗୁଡିକ ପାଖକୁ ଯାଉଛି ନିର୍ବାଚନ ଫଳାଫଳ ପରେ ହିଁ ତାହା ସ୍ପଷ୍ଟ ହେବ ।