ମୋଦିଙ୍କ ପାଇଁ ଆଗୁଆ ବାଟ ସଫା କଲେ ନବୀନ

ବଦଳିଲା ନବୀନଙ୍କ ସମଦୂରତ୍ୱ ଡ଼ାଏଲଗ୍‌
ସ୍ଥିତି ଦେଖି ନୀବନ ଛାନିଆଁ
ବିଜେପି ସହିତ ମୂଲଚାଲ ମୁଡ଼ରେ
ଆଗରୁ କ’ଣ ଓଡ଼ିଶା ସ୍ୱାର୍ଥ ମନେ ନଥିଲା?

ହଠାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର “ସମଦୂରତା” ନୀତି ବଦଳିଯାଇଛି। କଂଗ୍ରେସ ଓ ବିଜେପିଠାରୁ ସବୁବେଳେ ସମଦୂରତା ରକ୍ଷା କରିବା କଥା କହିଆସୁଥିବା ନବୀନ ଏବେ କହିଛନ୍ତି ଓଡ଼ିଶା ସ୍ୱାର୍ଥ ପାଇଁ ସେ କେନ୍ଦ୍ରରେ ଯିଏ କ୍ଷମତାକୁ ଆସିବ ତାହା ସହିତ ହାତ ମିଳାଇବେ। ତାଙ୍କ ପାଖରେ ଓଡ଼ିଶା ସ୍ୱାର୍ଥ ସବୁଠାରୁ ଆଗରେ ବୋଲି ଏଭଳି ଏକ ଧାରଣା ଦେବାପାଇଁ ସେ ଚାହିଁଛନ୍ତି। ଗତ ୮ ତାରିଖରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଲା ବେଳେ ନବୀନଙ୍କ ଏହି ସମଦୂରତା ନୀତି ବଳବତ୍ତର ରହିଥିଲା ବେଳେ ଏହି ୭ ଦିନ ଭିତରେ ଏପରି କଣ ପରିସ୍ଥିତି ସୃଷ୍ଟି ହେଲା ଯେଉଁଥିରେ ନବୀନଙ୍କ ଆଭିମୁଖ୍ୟ ବଦଳିଗଲା।

ନିର୍ବାଚନ ସମୟରେ ନବୀନଙ୍କ ଏହି ପରିବର୍ତ୍ତିତ ନୀତି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କଣ ପାଇଁ ଦୀର୍ଘଦିନର ଆଭିମୁଖ୍ୟକୁ ନବୀନକୁ ବଦଳାଇବାକୁ ପଡ଼ିଲା ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ। ନିର୍ବାଚନ ସମୟରେ ଏଭଳି ମତର ସୁଦୂରପ୍ରସାରୀ ପ୍ରଭାବ ରହିଛି। ଲୋକଙ୍କ ମନ ଜିଣିବା ପାଇଁ ଏଭଳି ଓଡ଼ିଶା ପ୍ରତି ଦରଦୀ ମନୋଭାବ କଥା ଉଠାଇଛନ୍ତି ନାଁ ଆଗକୁ କିଛି ଆଶଙ୍କା କରି ଏବେଠାରୁ ବାଟ ସଫା କରି ରଖୁଛନ୍ତି ତାହା ଆଲୋଚ୍ୟର ବିଷୟ।

ପ୍ରଥମ  ପର୍ଯ୍ୟାୟ ନିର୍ବାଚନ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ମାରାଥନ୍ ପ୍ରଚାରରେ ବ୍ୟସ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଣିଥରେ ନିଜର ପାରମ୍ପରିକ ‘ସୁବିଧାବାଦୀ ରାଜନୀତିକ ଗୋଟିଚାଳନା’ ଆରମ୍ଭ କରିଛନ୍ତି। କଂଗ୍ରେସକୁ ପଛରେ ପକାଇ ବିଜେପି ଏବେ ଓଡ଼ିଶାରେ ବିଜେଡିକୁ କଡ଼ା ଟକ୍କର ଦେଉଥିବାରୁ ସ୍ଥିତିକୁ ଦେଖି ନୀତି ବଦଳାଇବା ଆରମ୍ଭ କରିଛନ୍ତି ନବୀନ।

ଚଳିତ ବିଧାନସଭା ନିର୍ବାଚନରେ ଆଶାନୁରୂପ ସିଟ୍ ପାଇବାକୁ ନେଇ ବିଜେଡି ଆଶଙ୍କାରେ ରହିଛି। ତା’ଛଡ଼ା କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନଡିଏ ପୁଣିଥରେ କ୍ଷମତାସୀନ ହେବ ବୋଲି ଜାତୀୟସ୍ତରର ଅଧିକାଂଶ ସର୍ଭେରୁ ସ୍ପଷ୍ଟ ଜଣାପଡ଼ିଲାଣି। ତେଣୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ସହ ଭବିଷ୍ୟତରେ ବୁଝାମଣା ନିମନ୍ତେ ବିକଳ୍ପ ଖୋଲା ରଖିବା ପାଇଁ ନବୀନ ହୁଏତ ଏପରି ଗୋଟିଚାଳନା କରିଥାଇପାରନ୍ତି। ଏହା ବ୍ୟତୀତ ଯଦି ବିଧାନସଭାରେ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସକ୍ଷମ ନହୁଏ ତା’ହେଲେ ସହଯୋଗୀ ଭାବେ ଉଭୟ ବିଜେପି ଓ କଂଗ୍ରେସ ଦଳ ବିଜେଡି ପାଇଁ ଅଛୁଆଁ ନୁହେଁ ବୋଲି ନବୀନ ଏବେଠୁ ଇସାରା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ଏକ ସାକ୍ଷାତକାର ଦେବା ସମୟରେ ଏହି ସମଦୂରତା କଥା ଉଠିଥିଲା। ଏନଡିଟିଭିର ସାମ୍ବାଦିକଙ୍କ ଏ ସମ୍ପର୍କିତ ପ୍ରଶ୍ନରେ ନବୀନ କହିଥିଲେ ଆମର ନୀତି ହେଉଛି ବିଜେପି ଓ କଂଗ୍ରେସଠାରୁ ସମଦୂରତା ଅବଲମ୍ବନ କରିବା। ଆସନ୍ତା ନିର୍ବାଚନରେ ଏହି ୨ ଦଳ ମଧ୍ୟରୁ ଯିଏବି କ୍ଷମତାକୁ ଆସିବ ତାକୁ ସମର୍ଥନ ଦେବେନାହିଁ। ତାଙ୍କର ସମଦୂରତା ନୀତି ବହୁ ଦିନରୁ ବଜାୟ ରହିଛି ବୋଲି କହିଥିଲେ।

ହେଲେ ଏବେ ଆଜତକ ସାମ୍ବାଦିକଙ୍କୁ ସାକ୍ଷାତକାର ଦେବା ଅବସରରେ ଏହି ସମଦୂରତା ପ୍ରସଙ୍ଗରେ ନବୀନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ନିର୍ବାଚନ ପରେ ଏନଡିଏକୁ ସମର୍ଥନ ଦେବେ କି ବୋଲି ପ୍ରଶ୍ନରେ ନବୀନ କହିଛନ୍ତି କେନ୍ଦ୍ରରେ ଯେଉଁ ସରକାର ଆସିବ ସେ ଯଦି ଓଡ଼ିଶାର ଦାବିକୁ ଗ୍ରହଣ କରିବ ଆମେ ସେ ମେଣ୍ଟକୁ ସମର୍ଥନ କରିବୁ। ସେ ୟୁପିଏ ହେଉ କିମ୍ବା ଏନଡିଏ ହେଉ ବା ଆଉ ଯିଏ କେହି ହେଉ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସରକାର ଗଠନ କରିବା ପାଇଁ ଯଦି ୧୫ଜଣ ସାଂସଦଙ୍କର ଅଭାବ ରହିଥାଏ ଓ ବିଜେଡିର ୧୫ ସାଂସଦ ଜିତିଥାନ୍ତି ତେବେ ସେ ଯଦି ଓଡ଼ିଶାର ଦାବିକୁ ଗ୍ରହଣ କରିବା ପାଇଁ ରାଜି ହୁଅନ୍ତି ତେବେ ତାଙ୍କୁ ସମର୍ଥନ ଦେବେ କି ବୋଲି ପ୍ରଶ୍ନ କରାଯାଇଥିଲା। ଯିଏ ଓଡ଼ିଶାର ସ୍ୱାର୍ଥ ବୁଝିବ ସେ ଯିଏ ହେଉ ଆମେ ତାକୁ ଖୁସିରେ ସମର୍ଥନ କରିବୁ ବୋଲି ନବୀନ କହିଥିଲେ। ସେ ମୋଦି ହୁଅନ୍ତୁ କି ରାହୁଲ ଗାନ୍ଧି ହୁଅନ୍ତି ଆମେ ତାକୁ ସମର୍ଥନ କରିବୁ ବୋଲି ନବୀନ କହିଛନ୍ତି।

ନବୀନଙ୍କ ଏହି ପରିବର୍ତ୍ତନକୁ ନେଇ ରାଜନୀତିକ ମହଲରେ ବହୁ ଆଲୋଚନା ଏବେ ଆରମ୍ଭ ହୋଇଯାଇଛି। କଣ ପାଇଁ ନବୀନ ହଠାତ ମତ ପରିବର୍ତ୍ତନ କଲେ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି। ଆଗରୁ କଣ ତାଙ୍କର ଓଡିଶା ସ୍ୱାର୍ଥ କଥା ମନେ ନଥିଲା। ଏବେ ଓଡିଶା ସ୍ୱାର୍ଥ କଥା କଣ ମନେ ପଡିଲା ବୋଲି ପ୍ରଶ୍ନ ଉଠୁଛି। କେହି କେହି କହୁଛନ୍ତି ବର୍ତ୍ତମାନ ନିର୍ବାଚନ ସମୟ ଥିବାରୁ ଓଡିଶା ସ୍ୱାର୍ଥ ପାଇଁ ନବୀନ ଅନ୍ୟାମାନଙ୍କ ତୁଳନାରେ ଅଧିକ ଚିନ୍ତିତ। ଓଡିଶା ସ୍ୱାର୍ଥ ପାଇଁ ସେ ସବୁ କିଛି ତ୍ୟାଗ ଓ ଜଳାଜଞ୍ଜଳି ଦେବା ପାଇଁ ପ୍ରସ୍ତୁତ ବୋଲି ଏକ ଧାରଣା ସୃଷ୍ଟି କରିବାକୁ ଚାହୁଁଥିବା କଥା କୁହାଯାଉଛି। ଓଡିଶାବାସୀଙ୍କ ସେବା ପାଇଁ ସେ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି କହୁଛନ୍ତି। ଅନ୍ୟ ଦଳର ନେତାମାନେ ଓଡିଶା ପାଇଁ ଏତେ ଚିନ୍ତିତ ନୁହଁନ୍ତି ବୋଲି ସେ ଅଭିଯୋଗ କରୁଛନ୍ତି। ଏକ୍ଷେତ୍ରରେ ଓଡିଶା ପାଇଁ ସେ ବେଶି ଚିନ୍ତିତ ଏହା ଦର୍ଶାଇବାକୁ ଚାହୁଁଛନ୍ତି।

ଏପରି ବି ହୋଇପାରେ ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଷରୁ ବର୍ତ୍ତିବା ପାଇଁ ଏଭଳି କଥା କହି ତାଙ୍କ ମନରେ ଆଶା ସଂଚାର କରିବାକୁ ଚାହିଁଥାଇ ପାରନ୍ତି। ବିଭିନ୍ନ ସର୍ଭେରେ ଦର୍ଶାଯାଉଛି ଏଥର ବିଜେପିକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନମିଳିପାରେ। ଏଣୁ ନବୀନ ଆଗୁଆ ସମର୍ଥନ ଦେବା କଥା କହି ବାଟ ସଫା କରି ରଖୁଛନ୍ତି। ମୋଦି ଏକ ଭଲ ସହଯୋଗୀ ପାଇବା ଆଶା କରି ଅଧିକ ନବୀନ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବାରୁ ଦୂରେଇ ରହି ପାରନ୍ତି । ଏହି ଲକ୍ଷ୍ୟ ରଖି ନବୀନ ଏଭଳି ରାଜନୀତିକ ବାଣ ମାରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *