ନିର୍ବାଚନ ଖର୍ଚ୍ଚ କଟକଣା କେହି ମାନୁନାହାନ୍ତି

ନିର୍ବାଚନରେ ଅର୍ଥବଳ ଓ ବାହୁବଳର ଅପପ୍ରୟୋଗ ରୋକିବା ଲାଗି ନିର୍ବାଚନ କମିଶନ ପ୍ରାର୍ଥୀମାନଙ୍କ ଲାଗି ଯେଉଁ ସର୍ବୋଚ୍ଚ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଆସୁଛନ୍ତି ତାହା ଧର୍ମକୁ ଆଖିଠାର ପରି। କୌଣସି ପ୍ରମୁଖ ରାଜନୈତିକ ଦଳ ଓ ତାହାର ପ୍ରାର୍ଥୀମାନେ ଏହି କଟକଣା ନ ମାନିବା ଏକ ପ୍ରଥାରେ ପରିଣତ ହୋଇଛି। ଗଣତନ୍ତ୍ରର ଗଣପର୍ବ ବୋଲି କୁହାଯାଉଥିବା ସାଧାରଣ ନିର୍ବାଚନରେ ଧନତନ୍ତ୍ରର ଏଭଳି ପ୍ରଭାବ ସର୍ବଜନବିଦିତ ହୋଇଥିଲେ ମଧ୍ୟ ତାହାକୁ ସମ୍ପୂର୍ଣ୍ଣ ଭାବେ ରୋକା ଯାଇପାରୁନାହିଁ।

ଓଡ଼ିଶା ଭଳି ରାଜ୍ୟରେ ଜଣେ ବିଧାନସଭା ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଜଣେ ଲୋକସଭା ପ୍ରାର୍ଥୀଙ୍କ କ୍ଷେତ୍ରରେ ଏହି ଖର୍ଚ୍ଚ ସୀମା ରହିଛି ୭୦ ଲକ୍ଷ ଟଙ୍କା ।

ନିର୍ବାଚନ ପାଇଁ ପ୍ରସ୍ତୁତି ଠାରୁ ଆରମ୍ଭ କରି ମତଦାନ ପର୍ଯ୍ୟନ୍ତ ସଂଖ୍ୟାଧିକ ପ୍ରାର୍ଥୀ କିନ୍ତୁ ଏହି ଖର୍ଚ୍ଚ ସୀମା ଠାରୁ ଢେର୍‍ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି ଏବଂ ନିର୍ବାଚନ ପରେ ମିଥ୍ୟା ସତ୍ୟପାଠ ଆଧାରରେ ସେମାନଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ମଧ୍ୟରେ ରହୁଛି ବୋଲି ଦର୍ଶାଉଛନ୍ତି। ଅତୀତରେ ହୋଇଥିବା ନିର୍ବାଚନଗୁଡ଼ିକରେ ପ୍ରମୁଖ ରାଜନୈତିକ ଦଳମାନେ ଯେପରି ପାଣି ସୁଅ ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ଏଥର ସେହି ପରିମାଣ ଢେର୍‍ ଅଧିକ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ଓଡ଼ିଶାରେ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀରେ ୭ଟି ବିଧାନସଭା କ୍ଷେତ୍ର ରହୁଛି। ତେଣୁ ଜଣେ ଲୋକସଭା ପ୍ରାର୍ଥୀ ସର୍ବୋଚ୍ଚ ଖର୍ଚ୍ଚ ସୀମା ଆଧାରରେ ଗୋଟିଏ ଗୋଟିଏ ବିଧାନସଭା କ୍ଷେତ୍ରରେ ହାରାହାରି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା କଥା। କିନ୍ତୁ ଅତୀତର ଉଦାହରଣରୁ ଯାହା ଜଣାପଡ଼ୁଛି କ୍ଷେତ୍ର ବିଶେଷରେ କେତେକ ଲୋକସଭା ପ୍ରାର୍ଥୀ ୪/୫ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିବାକୁ ପ୍ରସ୍ତୁତ।

ସେହିପରି ବିଧାନସଭା ନିର୍ବାଚନରେ ବି ଜଣେ ଜଣେ ପ୍ରାର୍ଥୀ ୨୦୧୪ ଏବଂ ଇତିମଧ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ୨ରୁ ୪ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଛନ୍ତି। ଅଥଚ ସେମାନେ ନିର୍ବାଚନ ପରେ ଦାଖଲ କରିଥିବା ସତ୍ୟପାଠରେ ଢେର୍‍ କମ୍‍ ଦର୍ଶାଉଛନ୍ତି।

ଏମାନଙ୍କୁ ଜଗିବା ଲାଗି ନିର୍ବାଚନ କମିଶନ ସାଧାରଣ ପର୍ଯ୍ୟବେକ୍ଷକ ଓ ହିସାବ ପର୍ଯ୍ୟବେକ୍ଷକ ନିଯୁକ୍ତ କରୁଛନ୍ତି। ପ୍ରାର୍ଥୀମାନେ କିନ୍ତୁ ଭୂଆଁ ବୁଲାଇବା ପାଇଁ ଅଭିଜ୍ଞ କଷ୍ଟ ଆକାଉଟାଣ୍ଟମାନଙ୍କୁ ନିୟୋଜିତ କରି ବାସ୍ତବ ଖର୍ଚ୍ଚର ଏକଦଶମାଂଶରୁ କମ୍‍ ଦର୍ଶାଇ ଆସୁଛନ୍ତି।

ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ୁଥିବା ଅନେକ ପ୍ରାର୍ଥୀଙ୍କ ପଛରେ ବିଭିନ୍ନ ସଂସ୍ଥା ପ୍ରଚୁର କଳାଟଙ୍କା ଲଗାଇଥାନ୍ତି। ଜଣେ ଜଣେ ପ୍ରାର୍ଥୀଙ୍କ ପାଇଁ ବାସ୍ତବରେ ଯେତେ ଅର୍ଥ ଖର୍ଚ୍ଚ କରାଯାଉଛି ସମ୍ପୃକ୍ତ ପ୍ରାର୍ଥୀ ବିଧାୟକ କିମ୍ବା ସାଂସଦ ଭାବେ ତାଙ୍କ ୫ ବର୍ଷର କାର୍ଯ୍ୟକାଳରେ ତାହାର ଏକଦଶମାଂଶ ଅର୍ଥ ବି ଦରମା ଓ ଭତ୍ତା ଆକାରରେ ପାଆନ୍ତି ନାହିଁ। ତେବେ ପ୍ରଶ୍ନ ଉଠୁଛି ସେମାନଙ୍କ ୫ ବର୍ଷର ପ୍ରାପ୍ୟ ତୁଳନା ଠାରୁ ଢେର୍‍ ଅଧିକ ଗୁଣର ଖର୍ଚ୍ଚ କାହିଁକି କରାଯାଏ?

ନିର୍ବାଚନ ସଂସ୍କାର ପାଇଁ ସ୍ୱର ଉଠାଉଥିବା ବ୍ୟକ୍ତି ଓ ସଂସ୍ଥାମାନେ ଏହାର ସରଳ ଓ ସହଜ ଉତ୍ତର ଦେଉଛନ୍ତି ଯେ କଳାଟଙ୍କାକୁ ପୁଞ୍ଜି କରି ନିର୍ବାଚନ ଜିଣିବା ପରେ ସମ୍ପୃକ୍ତ ପ୍ରାର୍ଥୀମାନେ ବିଭିନ୍ନ ଅସାଧୁ ଉପାୟରେ ପ୍ରଚୁର ମୁନାଫା ଉଠାଉଛନ୍ତି ଓ କ୍ଷମତା ଉପଭୋଗ କରୁଛନ୍ତି। ତେଣୁ ତ୍ୟାଗ ଓ ସେବା ପରିବର୍ତ୍ତେ ଭୋଗ ଓ ନେବା ପାଇଁ ନିର୍ବାଚନରେ ମୁଖ୍ୟତଃ ଲଢ଼େଇ ହେଉଛି।

ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ ନ କରିବା ପାଇଁ ନିର୍ବାଚନ କମିଶନଙ୍କ ଆଚରଣ ବିଧି ବି ଧର୍ମକୁ ଆଖିଠାର ଭଳି। ସେହିପରି ଭୋଟ୍‍ ଯୋଗାଣରେ ମଦର ପ୍ରମୁଖ ଭୂମିକା ରହୁଥିବାରୁ ନିର୍ବାଚନ ତାରିଖରେ ସମ୍ପୃକ୍ତ ଅଞ୍ଚଳରେ ମଦ ଦୋକାନଗୁଡ଼ିକୁ ବନ୍ଦ ରଖାଯାଇଥାଏ।

ତେବେ ପ୍ରାର୍ଥୀପତ୍ର ଦାଖଲ ଠାରୁ ଆରମ୍ଭ କରି ବିଭିନ୍ନ ସଭା, ଶୋଭାଯାତ୍ରା ଓ ପ୍ରଚାରରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ବ୍ୟାପକ ମଦ କାରବାର ହେବା ଏକ ସାଧାରଣ ପ୍ରଥାରେ ପଡ଼ି ଯାଇଥିଲେ ମଧ୍ୟ ତାହାର ପ୍ରତିକାର ଲାଗି ନୀତି ଓ ନୈତିକତା ବିବର୍ଜିତ ପ୍ରାୟ କୌଣସି ରାଜନେତା ସ୍ୱର ଉଠାଉ ନାହାନ୍ତି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ

ସନାଙ୍କ କଥାରେ ବିଜେଡି ପରିଚାଳିତ

କଲେକ୍ଟର-ଏସପି ରିପୋର୍ଟରେ ବଳିପଡ଼ିଲେ ବିଧାୟକ!


Leave a Reply

Your email address will not be published.