ବିଏସ୍ଏନ୍ଏଲ୍ ଗ୍ରାହକ ହଟ୍ଟହଟା
ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍)ରୁ ଇଣ୍ଟରନେଟ୍ ସଂଯୋଗ ଆଣିଥିବା ଗ୍ରାହକ ଏବେ ହଟ୍ଟହଟା । ବିଏସ୍ଏନ୍ଏଲ୍ ବ୍ରଡ୍ବ୍ୟାଣ୍ଡ୍ ସେବାର ବେଗ ଏତେ କମ୍ ରହୁଛି ଯେ ସେଥିରେ ସାଧାରଣ ମେଲ୍ ଟିଏ ଖୋଲିବା କଷ୍ଟକର ।ବିଏସ୍ଏନଏଲ୍ ଗ୍ରାହକଙ୍କର ଏଭଳି ଦୟନୀୟ ସ୍ଥିତି ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନୁହେଁ, ଖୋଦ୍ ରାଜଧାନୀରେ ଦେଖିବାକୁ ମିଳୁଛି । ଗ୍ରାହକମାନେ ଅଭିଯୋଗ ଅଭିଯୋଗ କରୁଛନ୍ତି ଯେ ବିଏସ୍ଏନ୍ଏଲ୍ର ବ୍ରଡ୍ବ୍ୟାଣ୍ଡ୍ ସେବା ନେଇ ସେମାନେ ଏବେ ହନ୍ତସନ୍ତ ହେଉଛନ୍ତି ।
ଅଧିକାଂଶ ସମୟରେ ଇଣ୍ଟରନେଟ୍ ଖୋଲୁନାହିଁ । ଯେତେବେଳେ ବି ଖୋଲୁଛି ସେଥିରେ ଇ-ମେଲ୍ କିମ୍ବା ଅନ୍ୟ ସୋସିଆଲ ମିଡିଆ ଖୋଲିବା ସମ୍ଭବପର ହେଉନାହିଁ । ଏ ସଂକ୍ରାନ୍ତରେ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ କେତେବେଳେ ତାରର ଦୋଷ ତ ଆଉ କେତେବେଳେ ପୁରୁଣାକାଳିଆ ସାଜ ସରଞ୍ଜାମକୁ ଦୋଷ ଦେବାରେ ଲାଗିଛନ୍ତି । ଯଦି ବି ମରାମତି କରୁଛନ୍ତି ତାହା ସାମୟିକ । ଫଳରେ ଗ୍ରାହକମାନେ ବାରମ୍ବାର ଅଭିଯୋଗ କରି କରି ଅତିଷ୍ଠ ହୋଇ ପଡିଲେଣି ।
ବିଏସ୍ଏନ୍ଏଲ୍ର ବେଗ କେତେକ ରହୁଛି ତାହା ମାପିବାରୁ ଜଣାପଡିଛି ଯେ ସର୍ବଭାରତୀୟ ତୁଳନାରେ ଏହା ଯଥେଷ୍ଟ କମ୍ । ଏହି ସୂଚନା ଅନୁଯାୟୀ ଆର୍ନ୍ତଜାତୀୟ ସ୍ତରରେ ଇଣ୍ଟରନେଟ୍ର ବେଗ ପ୍ରତି ସେକେଣ୍ଡରେ ୧୪.୯୧ ଏମ୍ବି ଥିବାବେଳେ ଜାତୀୟ ସ୍ତରରେ ଏହା ହାରାହାରି ୧୨.୩୦ ଏମ୍ବି ରହୁଛି । ହେଲେ ଭୁବନେଶ୍ୱରରେ ଏହାର ଗତ ଅଛି ସେକେଣ୍ଡ ପ୍ରତି ହାରାହାରି ୧.୧୬ ଏମ୍ବି । ଏହି ଧିମା ଗତିରେ କୌଣସି ଇଣ୍ଟରନେଟ୍ ପେଜ୍ ଖୋଲିବା କିମ୍ବା କୌଣସି ଲେଖା ଅଥବା ଫଟୋ ଅପଲୋଡ୍ କରିବା ସମ୍ଭବପର ହୋଇପାରୁନାହିଁ ।
ବିଏସ୍ଏନ୍ଏଲ୍ ସେବାରେ ଅତିଷ୍ଠ ହୋଇ ଅନେକ ଗ୍ରାହକ ଏବେ ଏହି କେନ୍ଦ୍ରୀୟ ସରକାରୀ ସଂସ୍ଥାଠାରୁ ମୁହଁ ଫେରାଇବାରେ ଲାଗିଲେଣି । ପ୍ରତିଦିନ କେହି ନା କେହି ନିଜର ନେଟ୍ ସଂଯୋଗ ବିଚ୍ଛିନ୍ନ କରିବାରେ ଲାଗିଛନ୍ତି । ବର୍ତ୍ତମାନ ରାଜଧାନୀରେ ବିଭିନ୍ନ ଘରୋଇ ଇଣ୍ଟରନେଟ୍ ସେବା ଯୋଗାଣକାରୀମାନେ ସେମାନଙ୍କ କେବୁଲ୍ ବିଛା କାମ ଜୋରସୋରରେ ଚଳାଇଥିବାବେଳେ ଖୁବ୍ଶୀଘ୍ର ଲୋକଙ୍କୁ ସଂଯୋଗ ଯୋଗାଇଦେବେ ।
ଏପରିକି କେତେକ ଘରୋଇ ସଂସ୍ଥା ଗୋଟିଏ ତାରରେ ବେଗଗାମୀ ଇଣ୍ଟରନେଟ୍ ଠାରୁ ଆରମ୍ଭକରି ଟେଲିଭିଜନ ସୁବିଧା ଆଦି ପ୍ରଦାନ ଲାଗି ଆଗୁଆ ସୂଚନା ପ୍ରଦାନ କଲେଣି । ଏଭଳି ସ୍ଥିତି ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ତାଙ୍କର ସେବାରେ ଉନ୍ନତି ଆଣିବା ବଦଳରେ ଭିତ୍ତିଭୂମିକୁ ଦୋଷ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ଏଭଳି ସ୍ଥିତି ଲାଗିରୁହେ ତେବେ ରାଜଧାନୀର ସଂଖ୍ୟାଧିକ ଗ୍ରାହକ ଘରୋଇ କମ୍ପାନୀର ସେବା ଉପଲବ୍ଧ ହେବାମାତ୍ରେ ବିଏସ୍ଏନଏଲ୍ ସହ ସମ୍ପର୍କ ତୁଟାଇବେ ବୋଲି କହିଛନ୍ତି ।











