ରାଜନୀତିରେ ଅବସର ବୟସ ସୀମା ସ୍ଥିର କରାଯାଇପାରିବ ନାହିଁ: ସୁମିତ୍ରା

ଟିକେଟ ନମିଳିବାକୁ ନେଇ ମନ ଭିତରେ ଥିବା ଅସନ୍ତୋଷକୁ ବାହାରେ ପ୍ରଘଟ କରୁଛନ୍ତି ଲୋକସଭା ଅଧ୍ୟକ୍ଷ ସୁମିତ୍ରା ମହାଜନ। ବୟସ ଅଧିକ କାରଣରୁ ତାଙ୍କ ଟିକେଟ କଟାଯାଇଥିବା ଆଲୋଚନା ପରିପ୍ରେକ୍ଷୀରେ ଏହାର କଡ଼ା ଜବାବ ଦେଇଛନ୍ତି ସୁମିତ୍ରା। ସେ କହିଛନ୍ତି ଯେ, ରାଜନୀତି କ୍ଷେତ୍ରକୁ ସରକାରୀ ଚାକିରି ସହ ତୁଳନା କରାଯିବା ଠିକ ନୁହେଁ।

ଭାଜପାର ୭୫ ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ ଲୋକସଭା ନିର୍ବାଚନ ନ ଲଢାଇବାର ଫର୍ମୁଲା ଏବେ ଚର୍ଚ୍ଚାରେ ଥିଲାବେଳେ ଏହାକୁ ଏକପ୍ରକାର ଖଣ୍ଡନ କରିଛନ୍ତି ସୁମିତ୍ରା। ସେ ସାକ୍ଷାତକାରରେ କହିଛନ୍ତି ଯେ, ରାଜନୀତିକୁ ସରକାରୀ ଚାକିରି ସହ ଆଦୌ ତୁଳନା କରାଯାଇପାରେ ନାହିଁ।

ସରକାରୀ ଚାକିରିରେ ଅବସର ନେବାର ବୟସ ପୂର୍ବରୁ ସ୍ଥିର ହୋଇଥାଏ। ହେଲେ ରାଜନୀତିରେ ଏପରି କରାଯାଇ ପାରିବ ନାହିଁ। କାରଣ ସାଧାରଣ ଜନତାଙ୍କ ଦୁଃଖସୁଖରେ ସାଥି ଥିବା ରାଜନେତା ଘଣ୍ଟା ଦେଖି କାମ କରନ୍ତି କି କୌଣସି ବାଧା ଓ ପ୍ରତିବନ୍ଧକ ସହ ଜୀବନ କାଟନ୍ତି ନାହିଁ।

ସେ ମନେପକାଇ ଦେଇଛନ୍ତି ଯେ, ମୋରାଜୀ ଦେଶାଇ ୮୧ବର୍ଷ ବୟସରେ ଦେଶର ପ୍ରଧାନମନ୍ତ୍ରୀ ବନିଥିଲେ। ୧୯୮୯ ମସିହାରୁ ଇନ୍ଦୋରରୁ କ୍ରମାଗତ ଭାବେ ୮ଥର ନିର୍ବାଚନ ଜିତିଥିବା ସୁମିତ୍ରାଙ୍କୁ ଏଥର ଟିକଟ ମିଳିନାହିଁ। ଏହାକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏକ ମାଗାଜିନଙ୍କୁ ସାକ୍ଷାତକାର ଦେଇ ସ୍ପଷ୍ଟ କରିଥିଲେ ଯେ,ଦଳ ୭୫ବର୍ଷ ଫର୍ମୁଲାରେ କାମ କରୁଛି।

ଶାହଙ୍କ ଏହି ସୂଚନାର ଉତ୍ତରରେ ମହାଜନ କହିଛନ୍ତି ଯେ, ଲୋକସଭା ଅଧ୍ୟକ୍ଷ ପଦରେ ଥିବା ଏବଂ ପଦର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ମୁଁ ଗତ ୫ବର୍ଷ ମଧ୍ୟରେ ଥରୁଟିଏ ମଧ୍ୟ କେନ୍ଦ୍ରୀୟ ବିଜେପି ସଂଗଠନର ବୈଠକରେ ସାମିଲ ହୋଇନାହିଁ। ଶାହଙ୍କ ସୂଚନାର କୌଣସି ପ୍ରାମାଣିକ ତଥ୍ୟ ମୋ ନିକଟରେ ନାହିଁ। ଏ ସମ୍ପର୍କରେ ଶାହ ମୋ ଠାରୁ ଅଧିକ କରିପାରିବେ।

Leave a Reply

Your email address will not be published. Required fields are marked *