ପୁଣି ଦୋଷୀର ‘ପବନ’ ଚାଲ୍
ନୂଆଦିଲ୍ଲୀ (ଓଟି): ଦିନ ଗଡୁଚି- ସାଧାରଣରେ ଅସନ୍ତୋଷ ବଢୁଛି। ତେବେ ଆଇନର ଦିଗ ନେଇ ଦୋଷୀ ନିଜ ଦଣ୍ଡକୁ ଟାଳିବାରେ ପ୍ରୟାସ କରୁଛନ୍ତି। ଥରେ ନୁହେଁ… କ୍ରମାଗତ ଭାବେ ଏଭଳି ହୋଇଚାଲିଛି। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଭଳି ସମ୍ବେଦନଶୀଳ ଘଟଣାରେ ଦୋଷୀ ସାବ୍ୟସ୍ତ ସମସ୍ତଙ୍କୁ ଫାଶୀ ଦଣ୍ଡ ହୋଇଯାଇଥିବାବେଳେ ସେଥିରୁ ବର୍ତ୍ତିବା ପାଇଁ ପର୍ଯ୍ୟାୟ କ୍ରମେ ସେମାନେ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ଅନ୍ୟତମ ଦୋଷୀ ପବନ ଗୁପ୍ତା ନୂଆ ଉପାୟ କରିଛି। ସେ ଫାଶୀ ବିରୋଧରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଛି। ଫଳରେ ପୁଣି ତାରିଖକୁ ନେଇ କଣ ହୋଇପାରେ କି ବୋଲି ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଯେ ଆସନ୍ତା ୩ ତାରିଖରେ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ନିର୍ଦ୍ଦେଶ ହୋଇସାରିଥିଲା। ତେବେ ମିଳିଥିବା ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଉ ବୋଲି ସୁପ୍ରିମ୍କୋର୍ଟରେ ଦୋଷୀ ପବନ ନିଜ ଆବେଦନରେ ଦର୍ଶାଇଛି। ୨୦୧୨ରେ ଜଘନ୍ୟ ‘ନିର୍ଭୟା’ କାଣ୍ଡ ଘଟିଥିଲା। ଦୀର୍ଘବର୍ଷ ପରେ ଦୋଷୀମାନଙ୍କ ପାଇଁ ଫାଶୀ ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଦଣ୍ଡାଦେଶ ଘୁଞ୍ଚିବାରେ ଲାଗିଛି।
ଏହା ପୂର୍ବରୁ ଗତ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିବାବେଳେ ସମସ୍ତ ଦୋଷୀଙ୍କୁ ଏକା ସାଥିରେ ଫାଶୀ ଦିଆଯିବ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ସରକାର ଚ୍ୟାଲେଞ୍ଜ କରିଥିଲେ। ସେହିପରି ପୀଡ଼ିତାଙ୍କ ପରିବାର ମଧ୍ୟ ସମାନ ଭାବେ ତ୍ୱରିତ ଫାଶୀ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।