ଶୁକ୍ରବାର ‘ନିର୍ଭୟା’ ଶୁଣାଣି

ନୂଆଦିଲ୍ଲୀ(ଓଟି): ନିର୍ଭୟା ମାମଲାର ଦୋଷୀଙ୍କୁ ନେଇ ସରକାରଙ୍କ ସମସ୍ୟା ସରିନାହିଁ। ବାରମ୍ବାର ଆଇନଗତ ପ୍ରକ୍ରିୟାରେ ଦୋଷୀମାନେ ଆବେଦନ ପରେ ଆବେଦନ କରିଥିବାବେଳେ ସରକାର ଏନେଇ ସୁପ୍ରିମ କୋର୍ଟରେ ସ୍ଵତନ୍ତ୍ର ଆବେଦନ କରିଥିଲେ। ଦୋଷୀମାନଙ୍କୁ ପୃଥକ୍‌ ଭାବେ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର କରିଥିବା ଉକ୍ତ ଆବେଦନର ଶୁଣାଣି ଶୁକ୍ରବାର କରାଯିବ। ଏ ସମ୍ପର୍କରେ ଆଜି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିବା ସହ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶଙ୍କ ଆବେଦନର ମଧ୍ୟ ଶୁଣାଣି କରିଛନ୍ତି।

ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଆବେଦନର ପ୍ରତ୍ୟୁତ୍ତର ଶୁକ୍ରବାର ସୁଦ୍ଧା ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟ ଦୋଷୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀ ପବନ ଗୁପ୍ତାଙ୍କ ପାଇଁ ଆଜି ସୁପ୍ରିମ୍‌କୋର୍ଟ ଆମିକସ୍‌ କ୍ୟୁରି ଭାବେ ଆଡ୍‌ଭୋକେଟ୍‌ ଅଞ୍ଜନ ପ୍ରକାଶଙ୍କୁ ନିଯୁକ୍ତ କରିଛନ୍ତି। ତାଙ୍କୁ ସହଯୋଗ କରିବାକୁ କୌଣସି ଓକିଲ ନଥିବା ପବନ ପୂର୍ବରୁ କହିଥିବାବେଳେ ୪ ଅପରାଧୀଙ୍କ ମଧ୍ୟରୁ ପବନ ଏ ପର୍ଯ୍ୟନ୍ତ କ୍ୟୁରେଟିଭ୍‌ ପିଟିସନ୍‌ ଦାଏର କରିନାହାନ୍ତି। ଏହାବ୍ୟତୀତ ତାଙ୍କର ରାଜକ୍ଷମା ଆବେଦନ ବିକଳ୍ପ ମଧ୍ୟ ରହିଛି। ଅନ୍ୟପକ୍ଷରେ ରାଜକ୍ଷମା ଅଗ୍ରାହ୍ୟକୁ ଚାଲେଞ୍ଜ୍‌ କରି ଦୋଷୀ ବିନୟ ଶର୍ମା କରିଥିବା ଆବେଦନକୁ ମଧ୍ୟ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି।

ଅନ୍ୟପକ୍ଷରେ ତାରିଖ ପେ ତାରିଖ… ଶୁଣାଣି ପରେ ଶୁଣାଣି… ଏସବୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ‘ନିର୍ଭୟା‘ଙ୍କ ମା’। ଝିଅର ଆତ୍ମାକୁ ଶାନ୍ତି ମିଳିବା ପାଇଁ ଓ ନ୍ୟାୟ ଦାବିରେ ଦୀର୍ଘ ୭ ବର୍ଷ ଧରି ଅହରହ ସଂଘର୍ଷ କରୁଥିବା ମା’ କୋହ ସମ୍ଭାଳି ପାରୁନାହାନ୍ତି। ବିଧି ବ୍ୟବସ୍ଥାର ଅନ୍ତଃଜାଲ ଭିତରେ ସେ କେବଳ ଲୁହ ଝରାଉଛନ୍ତି।

Leave a Reply

Your email address will not be published. Required fields are marked *