ବିପର୍ଯ୍ୟୟ ପରିଚାଳନା ଅର୍ଥ ଅନ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ ନହେଉ : ନିରଞ୍ଜନ

ଓଡ଼ିଶାକୁ ପ୍ରଭାବିତ କରିଥିବା ବାତ୍ୟା ‘ଫନି’ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ରିଲିଫ, ଉଦ୍ଧାର, ଥଇଥାନ ଏବଂ ପୁନର୍ବାସ କାର୍ଯ୍ୟ ନିମନ୍ତେ କେନ୍ଦ୍ର ସରକାର ଆଗୁଆ ୩୪୦ କୋଟି ୮୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ଅତିପ୍ରବଳ ସାମୁଦ୍ରିକ ଝଡବାତ୍ୟା ‘ଫନି’ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସହିତ ଲୋକଙ୍କୁ ରିଲିଫ ପ୍ରଦାନ, ସେମାନଙ୍କର ଥଇଥାନ କାର୍ଯ୍ୟରେ ବିନିଯୋଗ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ବିପର୍ଯ୍ୟୟ ପାଣ୍ଠିରୁ ୭୦୦ କୋଟି ଟଙ୍କାରୁ ଅଧିକ ଅର୍ଥନେଇ ଯେଉଁଭଳି ଭାବରେ ‘କାଳିଆ’ ଯୋଜନାରେ ଲୋକଙ୍କ ମଧ୍ୟରେ ବାଣ୍ଟି ଭୋଟ ବିପର୍ଯ୍ୟୟରୁ ବର୍ତ୍ତିବାର ଅପଚେଷ୍ଟା କଲେ, ଅନ୍ତତଃ ତାହା ଏବେ କରାନଯାଉ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି ଯେ ବିଜେଡି ସରକାର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥନେଇ କାଳିଆ ଯୋଜନାରେ ଲୋକଙ୍କୁ ବାଣ୍ଟି ବାହାବା ନେବା ଘଟଣା ନିନ୍ଦନୀୟ। ଏହି ଅଧିକାର ବିଜେଡି ସରକାରଙ୍କୁ କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସାଧାରଣତଃ ମେ ମାସରେ ରାଜ୍ୟରେ ଏଭଳି ଭୟଙ୍କର ସାମୁଦ୍ରିକ ଝଡବାତ୍ୟା ହେଉନଥିବାବେଳେ ଚଳିତ ବର୍ଷ ତାହା ଘଟିବାକୁ ଯାଉଛି। କେନ୍ଦ୍ର ଅର୍ଥ ଦେଇନଥିଲେ ରାଜ୍ୟ ସରକାର ଏହି ବିପର୍ଯ୍ୟୟର ମୁକାବିଲା କିଭଳି କରିଥାନ୍ତେ ବୋଲି ନିରଞ୍ଜନ ପ୍ରଶ୍ନ କରିବା ସହିତ ଅନ୍ୟକୁ ଦୋଷଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖସିଯିବାର ଚେଷ୍ଟା କରିଥାନ୍ତେ ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କିଭଳି କରାଯିବ ସେହି ଯୋଜନା ଚୂଡାନ୍ତ କରିବାକୁ ରାଜ୍ୟରେ ଉପସ୍ଥିତ ନରହି ବିରୋଧୀଙ୍କୁ ରୋକିବାକୁ ନିର୍ବାଚନ ଘୁଞ୍ଚାଇବା ଦାବିରେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ଘଟଣାକୁ ରାଜ୍ୟବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି।

୧୯୯୯ ମହାବାତ୍ୟା ପରେ ୨୦୦୦ ନିର୍ବାଚନରେ ଓଡ଼ିଶାବାସୀ ବିଜେଡିକୁ କ୍ଷମତାସୀନ କରାଇଥିଲେ। ମହାବାତ୍ୟା ବିଜେଡିକୁ ସରକାର ଗଢିବାର ସୁଯୋଗ ଦେଇଥିଲା। ଚଳିତ ନିର୍ବାଚନର ଫଳାଫଳ ବିଜେଡି ବିପକ୍ଷରେ ହେବା ନିଶ୍ଚିତ। ଚଳିତ ଥର କଂଗ୍ରେସ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିବ। ତାହାସହିତ ଏହି ବାତ୍ୟାପରେ ୨୩ ତାରିଖରେ ଭୋଟଗଣତି ସରିବାପରେ ବିଜେଡି ସରକାରର ପତନ ଘଟିବ ବୋଲି ନିରଞ୍ଜନ ଦୃଢତାର ସହିତ କହିଛନ୍ତି।

Leave a Reply

Your email address will not be published. Required fields are marked *