ନିମାପଡ଼ା : କିଏ ମାରିବ ବାଜି ?

ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ। ମଇ ୨୩ରେ ହେବ ଫଳାଫଳ ଘୋଷଣା। କାହା ମୁଣ୍ଡରେ ହାତି ସୁନା କଳସ ଢାଳିବ ତାହା ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ବଢିଚାଲିଛି। ଏହି ନିର୍ବାଚନମଣ୍ଡଳୀଟି ୪୬ଟି ଗ୍ରାମ ପଞ୍ଚାୟତ ଓ ଗୋଟିଏ ଏନଏସିକୁ ନେଇ ଗଠିତ। ଭୋଟର ସଂଖ୍ୟା ପ୍ରାୟ ୨ଲକ୍ଷ ୩୭ ହଜାର। ଏହି ବିଧାନସଭା କ୍ଷେତ୍ର ପାଇଁ ୭ଟି ଦଳରୁ ୭ଜଣ ପ୍ରାର୍ଥୀ ହୋଇଛନ୍ତି। ପ୍ରମୁଖ ବିଜେପି, ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କୁ ଛାଡ଼ି ଦେଲେ ଆଉ କୌଣସି ଦଳର ପ୍ରାର୍ଥୀଙ୍କର ପ୍ରଭାବ ଥିବା ଭଳି ଲାଗୁ ନାହିଁ।

ଚଳିତ ନିର୍ବାଚନରେ ବିଜେପିରୁ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ବିଜେଡିରୁ ବିଧାୟକ ସମୀର ରଞ୍ଜନ ଦାଶ ଓ କଂଗ୍ରେସରୁ ଦିଲ୍ଲୀପ କୁମାର ନାୟକ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱରଞ୍ଜନ ମହାନ୍ତି ନିଜର ଅମାନତ ରଖିବାକୁ ସକ୍ଷମ ହୋଇନଥିଲେ। ଚଳିତ ନିର୍ବାଚନରେ ଦଳର ବରିଷ୍ଠ ନେତା ତଥା ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ର (ରମୁ)ଙ୍କ ନାମକୁ ବହୁ ବିଳମ୍ୱରେ ଘୋଷଣା କରାଯିବାରେ ଅସନ୍ତୋଷ ପ୍ରକାଶକରି ସେ ଦଳୀୟ ଟିକଟକୁ ପ୍ରତ୍ୟାଖାନ କରି ଦଳରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି। କଂଗ୍ରେସ ଦଳ ଓ କର୍ମୀମାନଙ୍କ ସହ ଆଦୌ ସମ୍ପର୍କ ନଥିବା ଦିଲ୍ଲୀପ କୁମାର ନାୟକଙ୍କୁ ଶେଷ ମୁହୂର୍ତ୍ତରେ ଦଳ ପ୍ରାର୍ଥୀ କରିଥିବାରୁ ଶ୍ରୀ ନାୟକ ଦଳୀୟ କର୍ମୀଙ୍କୁ ନେଇ କିଭଳି ନିର୍ବାଚନ ରଣାଙ୍ଗନ ପାରିହେବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟକ ହୋଇ ଥିବା ବିଜେଡି ପ୍ରାର୍ଥୀ ସମୀର ରଞ୍ଜନ ଦାଶ ନବୀନ ସରକାରର ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟକୁ ପାଥେୟ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ। ଗତ ନିର୍ବାଚନରେ ସେ ପ୍ରାୟ ୮୭ ହଜାର ଭୋଟ‌୍‍ ପାଇଥିବା ବେଳେ ଚଳିତ ନିର୍ବାଚନରେ ସେ ଏହାଠାରୁ ବହୁ ଅଧିକ ଭୋଟ‌୍‍ ବ୍ୟବଧାନରେ ଜିତିବେ ବୋଲି ପ୍ରକାଶ କରିଛନ୍ତି।

ଅପରପକ୍ଷରେ ବିଜେପି ପ୍ରାର୍ଥୀନୀ ପ୍ରଭାତୀ ପରିଡ଼ା ଗତ ନିର୍ବାଚନରେ ପ୍ରାୟ ୫୮ହଜାର ଭୋଟ‌୍‍ ପାଇଁ ଦ୍ୱିତୀୟ ସ୍ଥାନରେ ଥିଲେ। ଚଳିତ ନିର୍ବାଚନରେ ମୋଦୀଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାର ଆହୁରି ଦ୍ରୁତ ପ୍ରଗତୀ ହେବ ବୋଲି ସେ ବିଭିନ୍ନ ସମାବେଶରେ କହିଛନ୍ତି। ନବୀନଙ୍କ ୧୯ବର୍ଷ ଶାସନରେ ଓଡ଼ିଶାର ଜନସାଧାରଣ ଅତିଷ୍ଠ ହେଲେଣି। ଏଣୁ ଚଳିତ ନିର୍ବାଚନରେ ଏ ସରକାର ବଦଳିବା ଦରକାର ବୋଲି କହି ଭୋଟରମାନଙ୍କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଳିଛି।

ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଦଳୀୟ ସଂଗଠନ ବୃଦ୍ଧି ହେବା ସହିତ ମୋଦୀଙ୍କ ଲୋକପ୍ରିୟତାରେ ପ୍ରଭାବିତ ହୋଇ ବହୁ ଯୁବକ ଯୁବତୀ ଦଳରେ ସାମିଲ ହୋଇଥିବାରୁ ବିଜୟ ସୁନିଶ୍ଚିତ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।

Leave a Reply

Your email address will not be published.