ନିଗମ ଆଶାରେ ବିଜେଡି ନେତାଙ୍କ ଆଖିରେ ନିଦ ନାହିଁ
ବଜେଟ ଅଧିବେଶନ ଏବେ ସରିବା ସରିବା ଉପରେ। ବିଧାନସଭାର ଚଳିତ ଅଧିବେଶନ ଭାରି ମାନ୍ଦା ଲାଗୁଛି। କାରଣ ଶାସକ ବିଜୁ ଜନତା ଦଳକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧି ବିଜେପି ଓ କଂଗ୍ରେସ ଘେରିବା ପରିବର୍ତ୍ତେ ଅଧିକାଂଶ ସମୟରେ ନିଜ ନିଜ ଭିତରେ କଳି କରିବାରେ ବ୍ୟସ୍ତ। ଫଳରେ ଶାସକ ବିଜେଡି ଆରାମରେ। ଏତେ ସହଜରେ ବଜେଟ୍ ଅଧିବେଶନ ପାର ହୋଇଯିବ ବୋଲି ବିଜେଡି ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଭାବି ନଥିଲେ।
କେନ୍ଦ୍ରରୁ କମ ଟଙ୍କା ଆସୁଛି, ଏକଥା ଅର୍ଥମନ୍ତ୍ରୀ ପୂଜାରୀ ଗୃହକୁ ଜଣାଉଛନ୍ତି। ହେଲେ ମୋଦୀ ସରକାରଙ୍କ ବିରୋଧରେ ବିଷ ଓଗାଳୁ ନାହାଁନ୍ତି। କେବିକେ ଯୋଜନାକୁ ୨ବର୍ଷ ହେଲା ପଇସା ଦେଉନି କେନ୍ଦ୍ର। ଏକଥା ମଧ୍ୟ କହୁଛନ୍ତି ମନ୍ତ୍ରୀ। ମାତ୍ର କେନ୍ଦ୍ରକୁ ଗାଳି ଦେବା ପାଇଁ ଇଚ୍ଛା ହେଉନି। ଏକଥା ଦେଖି ଦଳର ବହୁ ନେତାଙ୍କ ଅକଲ ମଧ୍ୟ ଗୁଡୁମ୍ । କେଉଁ ପାଣି କେଉଁ ଆଡକୁ ବୋହୁଛି, ଜମାରୁ ଟେର ପାଉନାହାଁନ୍ତି। ମାତ୍ର ପାଟି ଫିଟେଇ ପାରୁନାହାଁନ୍ତି। କାରଣ ହେଲା ଅନେକ ନେତାଙ୍କର ନିଗମ ଲୋଭ ବଢ଼ି ଯାଇସାରିଛି।
ସରକାରକୁ ଦି’ମାସ ପାରେଇ ଗଲାଣି। ଗୋଟିଏ ମନ୍ତ୍ରିପଦ ଖାଲି ପଡିଛି। ଭେକେନ୍ସି ପୂରଣ ହବ କି ନାହିଁ, ସେକଥା ପ୍ରତାପ କି ଅତନୁ ଜାଣିପାରୁନାହାଁନ୍ତି । ମାତ୍ର ନିଗମ ସଂଖ୍ୟା ତ ବହୁତ। ଥୋଡେ଼ ହାରୁ ନେତା ଭାବିଛନ୍ତି ଯେ, ସେମାନଙ୍କୁ ନିଗମରେ ଥଇଥାନ କରାଯିବ। ନହେଲେ ଯୋଜନା ବୋର୍ଡ଼ରେ । ସଞ୍ଜୟ ଦାସବର୍ମା ଅନେଇ ବସିଛନ୍ତି କେବେ ସରିବ ବିଧାନସଭା। ବାହାରିବ ବିଜ୍ଞପ୍ତି। ସେମିତି ଅନୁପ ସାଏ, ଦେବାଶୀଷ ସାନ୍ତରାଏ, ଯୋଗେଶ ସିଂ, ବିଭୂତି ବଳବନ୍ତରାୟ ଏମିତି ଅନେକ ନେତା ଅପେକ୍ଷା କରିଅଛନ୍ତି କେବେ ଦୟାଦୃଷ୍ଟି ପଡ଼ିବ।
ବିଧାନସଭା ପରିଷଦ ତ ହବାକୁ ନାହିଁ। ତେଣୁ ଆଉ ସେ ବିଷୟରେ ମୁଣ୍ଡ ଖେଳାଇ ଲାଭ ନାହିଁ। ତେଣୁ ନିଗମଟିଏ ମିଳିଗଲେ ଏରିଆରେ ଇଜ୍ଜତ ବଢ଼ିବ ବୋଲି ବିଜେଡିର ହାରୁ ନେତାମାନେ ଭାବି ନେଇଛନ୍ତି। ଯୋଜନା ବୋର୍ଡ଼ ସାଙ୍ଗକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବି ଅଛି। ସବୁ ମିଶାଇଲେ ୩୦ରୁ ଅଧିକ ପଦ ବଣ୍ଟା ହବ ହାରୁ ନେତାଙ୍କ ଭିତରେ। ତା’ଛଡା କିଛି ନେତା ଟିକଟ ନ ପାଇ ବି ଦଳରେ ଚୁପ୍ ଚାପ୍ ରହିଥିଲେ। ସେମାନଙ୍କୁ ବି ଥଇଥାନ କରାଯିବ ବୋଲି ସେମାନେ ଭାବିନେଇଛନ୍ତି। ଦେଖାଯାଉ କେବେ ଖସୁଛି ନିଗମ ରୂପକ ତାଳ। ପିଠା ଖାଇବାକୁ ଉଚ୍ଛନ୍ନ ହେଲେଣି ଶଙ୍ଖ ନେତାମାନେ।