ନ୍ୟୁଜ୍‌ ୱଲ୍ଡ ଓଡ଼ିଶା ବନ୍ଦ! କର୍ମଚାରୀଙ୍କ ମନରେ ଆଶଙ୍କା

ନୂଆ ସରକାର ଆସିବା ପରେ ରାଜ୍ୟର ଶାସନ ମହଲା ଯେତିକି ଚଳଚଞ୍ଚଳ ହେଉଛି, ଗଣମାଧ୍ୟମ- ବିଶେଷକରି ନ୍ୟୁଜ୍‌ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‌ଗୁଡ଼ିକ ସେତିକି ଭାଙ୍ଗିଭୁଙ୍ଗି ଚୁନା ହେବାରେ ଲାଗିଛନ୍ତି। ଗୋଟିକ ପରେ ଗୋଟିଏ ଚ୍ୟାନେଲ୍‌ ଏବେ ବନ୍ଦ ବା ସଙ୍କୁଚିତ ହେବା ଆରମ୍ଭ କଲେଣି। ପ୍ରଥମେ ବହୁ ଭାଷାରେ ନ୍ୟୁଜ୍‌ ଟିଭି ଗୁଚ୍ଛ ଚଳାଉଥିବା ରିଲାଏନ୍ସ ପ୍ରୋତ୍ସାହିତ ଟିଭି  -୧୮ ଗ୍ରୁପ୍‌ର ନ୍ୟୁଜ୍‌-୧୮ ଓଡ଼ିଆ ଚ୍ୟାନେଲ୍‌ରେ କର୍ମଚାରୀ ଛଟେଇ ପରେ, ଏବେ ମଙ୍ଗଳବାର ରାତିରୁ ବନ୍ଦ ହୋଇଯାଇଛି ଓଡ଼ିଶାରେ ପ୍ରସାରଣ କରୁଥିବା ‘ନ୍ୟୁଜ୍‌ ୱଲ୍ଡ ଓଡ଼ିଶା’। 

ଅନ୍ଧାରରେ କର୍ମଚାରୀ

ନ୍ୟୁଜ୍‌ ୱର୍ଲ ଓଡ଼ିଶା ଚ୍ୟାନେଲ୍‌ ଦର୍ଶକଙ୍କ ଟିଭିରେ ଆଉ ଆସୁ ନାହିଁ। କୌଣସି ମୋବାଇଲ୍‌ ଆପ୍‌ରେ ମଧ୍ୟ ଦିଶୁ ନାହିଁ। ମିଳିଥିବା ସୂଚନା ଅନୁସାରେ ସ୍ୟାଟେଲାଇଟ୍‌କୁ ଏହି ଚ୍ୟାନେଲ୍‌ର ସଙ୍କେତ ପ୍ରେରଣ କରୁଥିବା ଟେଲିପୋର୍ଟରୁ ଏହାକୁ ବାଦ୍‌ ଦିଆଯାଇଛି।  ଏ ବାବଦରେ ପରିଚାଳନା ସଂସ୍ଥା କି ଏହାର ସମ୍ପାଦକୀୟ ମଣ୍ଡଳୀ କେହି କିଛି ସୂଚନା ଦେଉ ନାହାନ୍ତି। ଏପରିକି କର୍ମଚାରୀ ମହଲ ବି ଅନ୍ଧାରରେ ରହିଛନ୍ତି। ଏହି ଅନିଶ୍ଚିତତା ଭିତରେ ଜୁଲାଇ ମାସରୁ ଦରମା ପାଇ ନଥିବା କର୍ମଚାରୀମାନେ ଏବେ ଆଶଙ୍କା ଯେ ସେମାନଙ୍କର କ’ଣ ହେବ? ପାଖାପାଖି ୧୫୦ କର୍ମଚାରୀ ଏଥିରେ ପ୍ରଭାବିତ ହେବାକୁ ଯାଉଛନ୍ତି। ହଠାତ୍‌ ତାଙ୍କର ରୋଜଗାରକୁ ବନ୍ଦ କରିଦେବା ଦ୍ଵାରା ସେମାନଙ୍କ ପରିବାର ରାଜରାସ୍ତାକୁ ଠେଲି ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ‘ଓଡ଼ିଶାରେ ସାମ୍ବାଦିକତା କେତେ ଅସୁରକ୍ଷିତ ତାହା ଏଥିରୁ ପ୍ରମାଣିତ’ ବୋଲି ଜଣେ କର୍ମଚାରୀ କହିଛନ୍ତି।

ରାଜନୀତି ଓ ନ୍ୟୁଜ୍‌ୱଲଡ

ନ୍ୟୁଜ୍‌ ୱଲ୍ଡ ଚ୍ୟାନେଲ୍‌ ମୂଳତଃ ନବୀନ ଜିନ୍ଦଲଙ୍କ ଗ୍ରୁପ୍‌ର ଏକ ଲାଇସେନ୍ସ ପ୍ରାପ୍ତ ସଂସ୍ଥା। ଏହି ସଂସ୍ଥାର ଲାଇସେନ୍ସକୁ ଲିଜ୍‌ ଆକାରରେ ନେଇ ତତ୍‌କାଳୀନ ବିଜେଡି ସାଂସଦ ରବୀନ୍ଦ୍ର କୁମାର ଜେନା ପରିଚାଳନା କରୁଥିଲେ। ସେତେବେଳେ ଓଡ଼ିଶା ସରକାରଙ୍କ ଅନେକ ବିଜ୍ଞାପନ ଏହି ଚ୍ୟାନେଲ୍‌ରେ ପ୍ରସାରିତ ହୋଇଛି। ସରକାରଙ୍କ ତୃତୀୟ ମହଲା ( ଶାସନ କେନ୍ଦ୍ର) ସହ ଏହି ଚ୍ୟାନେଲ୍‌ର ଘନିଷ୍ଠତା ବାବଦରେ ପୂର୍ବରୁ ଅନେକ ଆଲୋଚନା ହୋଇଛି। ନିକଟ ନିର୍ବାଚନରେ ରବୀନ୍ଦ୍ର ହାରିଯିବା ପରେ ଏହି ଚ୍ୟାନେଲ୍‌ ଏକ ଅନିଶ୍ଚିତତା ଭିତରକୁ ଗତି କରିଛି। 

ସେବେଠୁ କଳା ବାଦଲ 

ପରାଜୟ ଦିନଠୁ ହିଁ ଚ୍ୟାନେଲ୍‌ ଉପରେ କଳା ବାଦଲ ଘୋଟିଛି। କିଛଇ କର୍ମଚାରୀଙ୍କ ଦରମା କାଟ୍‌କରାଯାଇଛି। ଆଉ କିଛି କର୍ମଚାରୀଙ୍କୁ ଅନ୍ୟ ଦାୟିତ୍ଵ ଦିଆଯାଇଛି । କିନ୍ତୁ ଏବେ କ’ଣ ହେବ ତାହା ସ୍ପଷ୍ଟ କରାଯାଇ ନାହିଁ। ଯେଉଁ ଚ୍ୟାନେଲ୍‌ ଦାୟିତ୍ଵ ନେବା ପରେ ଖୋଦଦ୍‌ ସାଂସଦ ତଥା ଚ୍ୟାନେଲ୍‌ର ପ୍ରମୋଟର ଆସି କର୍ମଚାରୀଙ୍କୁ ଭରସା ଦେଇଥିଲେ ଏବେ ସେ କୁଆଡ଼େ ଗଲେ ବୋଲି ପ୍ରଶ୍ନ ଉଠୁଛି।

ନୂଆ ଚ୍ୟାନେଲ୍‌

ଏ ଭିତରେ ଶ୍ରୀ ଜେନା ନିଜସ୍ଵ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟ ଆଲୋଚନା ହେଉଛି। ଏଥିପାଇଁ ଆବଶ୍ୟକ ଲାଇସେନ୍ସ ମଧ୍ୟ ସେ ପାଇଛନ୍ତି। [ପରପକ୍ଷେ ଏହି ଲାଇସେନ୍ସକୁ ଆଉ ଏକ ଟିଭି ଚ୍ୟାନେଲ୍‌ ପାଇଁ ଆଗ୍ରହୀ ସଂସ୍ଥା ଲିଜ୍‌ ସୁତ୍ରରେ ନେଇପାରେ ବୋଲି ବି ଆଶା ଜନ୍ମିଛି। କିନ୍ତୁ ସେଥିରେ ଏହି କର୍ମଚାରୀମାନଙ୍କୁ ଯାଗା ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। 

 

 

 

Leave a Reply

Your email address will not be published. Required fields are marked *