ଭକ୍ତ ତ୍ରିପାଠୀଙ୍କ ସ୍ପଷ୍ଟୀକରଣ: ଚ୍ୟାନେଲ୍‌ ଆସିବ ନୂଆ ରୂପ ଆଉ ରଙ୍ଗରେ

ଭୁବନେଶ୍ଵର, (ଓଟି): ‘ନ୍ୟୁଜ୍‌ ୱଲ୍ଡ ଓଡ଼ିଶା’ ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ପ୍ରସାରଣ ବନ୍ଦ ହେବାର କିଛି ଘଣ୍ଟା ପରେ ଏହାର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଥିବା ଏହି ସ୍ପଷ୍ଟୀକରଣ ବାର୍ତ୍ତାରେ କୁହାଯାଇଛି ଯେ, ‘ବୈଷୟିକ ତ୍ରୁଟି ଯୋଗୁ ‘ନ୍ୟୁଜ୍‌ ୱଲ୍ଡ ଓଡ଼ିଶା’ର ପ୍ରସାରଣ ବନ୍ଦ ହୋଇଛି। ଖୁବ୍‌ ଶୀଘ୍ର ଏହି ଚ୍ୟାନେଲ୍‌ଟି ନୂଆ ରୂପ ଆଉ ନୂଆ ରଙ୍ଗରେ ଆପଣଙ୍କ ପାଖରେ ପହଞ୍ଚିବାକୁ ଯାଉଛି।’

ଏହାସହ ଶ୍ରୀ ତ୍ରିପାଠୀ କହିଛନ୍ତି, ଚ୍ୟାନେଲ୍‌ର ସମସ୍ତ ସାମ୍ବାଦିକ ଓ କର୍ମଚାରୀଙ୍କ ଚାକିରି ଓ ବେତନ ପୂର୍ବପରି ସୁରକ୍ଷିତ ରହିଛି। ତେଣୁ ଚ୍ୟାନେଲ୍‌ ସହ ଯୋଡ଼ି ହୋଇ ରହିଥିବା ଅଗଣିତ ଦର୍ଶକ, ପ୍ରଶଂସକ ଓ ଶୁଭେଚ୍ଛୁ ତଥା ବିଜ୍ଞାପନଦାତାମାନେ ପୂର୍ବଭଳି ସହଯୋଗ ଜାରି ରଖିବାକୁ ସେ ଅନୁରୋଧ କରିଛନ୍ତି। 

ଏଠି ପ୍ରଶ୍ନ ଉଠୁଛି ଯଦି ବୈଷୟିକ ତ୍ରୁଟି ତାହା କେଉଁ ପ୍ରକାରର? ଫୋନି ବାତ୍ୟା ବେଳେ ଯେଉଁ ତ୍ରୁଟି ହୋଇଥିଲା ତାହାକୁ ଯଦି ରାତାରାତି ସୁଧାର ହୋଇପାରିଲା ତେବେ ଏଠାରେ ଅନିଶ୍ଚିତତା କାହା ପାଇଁ। ପୁଣି ଟେଲିପୋର୍ଟ ଜନିତ ତ୍ରୁଟି ହୋଇଥିଲେ ତାହାତ ଚ୍ୟାନେଲ୍‌ କର୍ତ୍ତୃପକ୍ଷ ବେଶ୍‌ ଆଗରୁ ଜାଣିବା କଥା, ଏହା ଜାଣି ଅଜଣା ରହିଲେ କାହିଁକି? ଏହା କ’ଣ ଏକ ଭାବି ଚିନ୍ତି ନିଆଯାଇଥିବା ଦୁର୍ଯୋଗ?

ପୁଣି ଚାକିରି ଓ ବେତନ ସୁରକ୍ଷା ରହିଥିବା ନେଇ ଦାବି କରୁଥିବା ଚ୍ୟାନେଲ୍‌ କର୍ତ୍ତୃପକ୍ଷ ଏକ ନୂଆ ଟିଭି ଚ୍ୟାନେଲ୍‌ ଲାଇସେନ୍ସ ନେଇଥିବା ପ୍ରସଙ୍ଗ ସ୍ପଷ୍ଟ କାହିଁକି କରୁନାହାନ୍ତି।  ଏଥିରେ କ’ଣ ସବୁ ମାନବସମ୍ବଳଙ୍କୁ ନିଯୁକ୍ତି ଦିଆଯାଇପାରିବ? ଏମିତି ଅନେକ ପ୍ରଶ୍ନ ଓ ଅନିଶ୍ଚିତତା ଭିତରେ ଗତି କରୁଛନ୍ତି ସାମ୍ବାଦିକ ଓ କର୍ମଚାରୀ। 

Leave a Reply

Your email address will not be published. Required fields are marked *