ସୂଚନା ଓ ଲୋକସମ୍ପର୍କ ବିଭାଗର ନୂଆ ବୈଷୟିକ ନିର୍ଦେଶକ ହେଲେ ନିରଞ୍ଜନ

ଭୁବନେଶ୍ୱର, (ଓଟି) :  ଓଡ଼ିଶା ସୂଚନା ସେବା କ୍ୟାଡରର ବରିଷ୍ଠ ଅଧିକାରୀ ତଥା ଯୁଗ୍ମ ଶାସନ ସଚିବ ନିରଞ୍ଜନ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ ଏଣିକି ପ୍ରେସ୍‌ ସଂଯୋଜନା, ବିଜ୍ଞାପନ ତଥା ଫିଲ୍ଡ ପବ୍ଳିଶିଟି ଓ ଅନ୍ୟ ବିଷୟରେ ସରକାରଙ୍କୁ ସହାୟତା କରିବେ। ରାଜ୍ୟ ସରକାରଙ୍କ ୫-ଟି ଆଧାରରେ ପଦନ୍ନୋତି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଫଳରେ ଶ୍ରୀ ସେଠୀଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧି କରି ରାଜ୍ୟ ସରକାର ତାଙ୍କୁ ନିର୍ଦ୍ଦେଶକ ( ବୈଷୟିକ) ଭାବେ ପଦନ୍ନୋତି ଦେଇଛନ୍ତି ।  

ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶକ ( ସମ୍ବଲପୁର), ବିଭାଗର ପ୍ରାୟତଃ ସବୁ ବ୍ରାଞ୍ଚରେ ବ୍ରାଞ୍ଚ ଅଫିସର ଭାବେ କାର୍ଯ୍ୟକରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ  ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ଅତି ସଫଳତାର ସହିତ କାର୍ଯ୍ୟକରିଛନ୍ତି । ମିଡିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ସେ ଗଣମାଧ୍ୟମ ଜଗତରେ ବେଶ ପରିଚିତ ହୋଇପାରିଛନ୍ତି । 

ତାଙ୍କର କାର୍ଯ୍ୟ ଦକ୍ଷତା ଓ ସଫଳତାକୁ ନେଇ ମଧ୍ୟ ବିଭାଗର ଅନେକ ଅଧିକାରୀ ପୂର୍ବରୁ ଈର୍ଷା କରିଛନ୍ତି। ତାଙ୍କୁ ବିଭିନ୍ନ ଆରୋପରେ ଫସାଇବାକୁ ଚେଷ୍ଟା କରାଯାଇଛି। ତାଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ମାମଲା ମଧ୍ୟ କରିବାକୁ ପଛାଇନାହାନ୍ତି କିଛି ଅଧିକାରୀ। କିନ୍ତୁ ନିଜ ଉପରେ ଦୃଢ଼ ବିଶ୍ଵାସ ରଖି କାର୍ଯ୍ୟ କରୁଥିବା ଶ୍ରୀ ସେଠୀ ଏସମସ୍ତ ଆରୋପରେ ନିଷ୍କଳଙ୍କ ସାବ୍ୟସ୍ତ ହୋଇଛନ୍ତି। 

ଶ୍ରୀ ସେଠୀ ଜଣେ ଦକ୍ଷ ପ୍ରଶାସକ ସହ ଜଣେ ସୃଜନଶୀଳ କବି ଭାବେ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି। ସିରିଡି ସାଇବାବାଙ୍କ ସାଇ ସତ୍‌ ସରିତ୍ରକୁ ଓଡ଼ିଆରେ କବିତା ମାଧ୍ୟମରେ ସେ ପ୍ରକାଶ କରିବାରେ ପ୍ରଥମ ବ୍ୟକ୍ତି। ଭକ୍ତି ତଥା ପ୍ରେମ ସମ୍ବନ୍ଧୀୟ ଗିତୀ କବିତା ରଚନା କରି ଶ୍ରୀ ସେଠୀ ଅନେକ ସ୍ଥାନରେ ସମ୍ମାନିତ ହୋଇଛନ୍ତି। 

Leave a Reply

Your email address will not be published.