ଶିରିପୁର ଲକ୍ଷ୍ମୀବଜାର ବସ୍ତିରେ କରୋନା ସଂକ୍ରମଣ: ଅବରୋଧ ଅଞ୍ଚଳ ଘୋଷିତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭୁବନେଶ୍ଵରରେ କରୋନା ସ୍ଥାନୀୟ ସଂକ୍ରମଣ ଭୟ ଦେଖା ଦେଇଛି। ଶିରିପୁସ୍ଥିତ ଲକ୍ଷ୍ମୀବଜାର ବସ୍ତିରୁ ଲଗାତାର ଗୋଟିକ ପରେ ଗୋଟିଏ କରୋନା ସଂକ୍ରମିତଙ୍କୁ ଠାବ କରିବା ପରେ ଏହି ଅଞ୍ଚଳରୁ ଯେମିତି ଅନ୍ୟ ଅଞ୍ଚଳକୁ କରୋନା ଭୁତାଣୁ ସଂକ୍ରମିତ ନହୁଏ ସେଥିଲାଗି ଉଦ୍ୟମ କରିଛି ବିଏମ୍ସି। ଏହିକ୍ରମରେ ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ୍ ପ’ରୁ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହି ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି।
ବିଏମ୍ସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଗତ ୧୭ ତାରିଖରେ ଏଠାରୁ ପ୍ରଥମ କରୋନା ପ୍ରଭାବିତଙ୍କୁ ଠାବ କରାଯାଇଥିଲା। ସେ ଏକ ହଟ୍ସ୍ପଟ ଜିଲ୍ଲାରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଏହାପରେ ଆହୁରି ୮ ଜଣ କରୋନା ରୋଗୀଙ୍କୁ ଲହି ବସ୍ତିରୁ ଠାବ କରାଯାଇଥିଲା। ଏହାପରେ ବିଏମ୍ସି ପକ୍ଷରୁ ଆବଶ୍ୟକ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଶ୍ରୀ ଚୌଧୁରୀ କହିଛନ୍ତି, ବସ୍ତିର ତ୍ରିନାଥ ମନ୍ଦିର ଛକରୁ ବିମାନବନ୍ଦର କାନ୍ଥ ଏବଂ ବିଭାନ ବନ୍ଦରରୁ ତ୍ରିନାଥ ମନ୍ଦିର ଯାଏ ଗଙ୍ଗାଧର ଦାସ ଏବଂ ମନୋରଞ୍ଜନ ପ୍ରଧାନଙ୍କ ଘର ଦେଇ ଯାଇଥିବା ରାସ୍ତାକୁ ସିଲ୍ କରାଯାଇଛି। ଏହି ଅବରୋଧ ଅଞ୍ଚଳର ଲୋକଙ୍କୁ ବାହାରକୁ ବାହାରିବାଉପରେ ସମ୍ପୂଣ୍ଣ ପ୍ରତିବନ୍ଧକ ରହିଛି। ଏହି ଅଞ୍ଚଳ ଭିତରେ ଥିବା ସମସ୍ତ ଦୋକାନ ବଜାର ଓ ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନକୁ ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ମେଡିସିନ୍ ଦେବା ଲାଗି ବିଏମ୍ସି ପଦକ୍ଷେପ ନେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।