ନୂଆ ନାଗରିକତ୍ତ୍ଵ ଆଇନ: କେନ୍ଦ୍ରାପଡ଼ାରେ ରହିଥିବା ଅନୁପ୍ରବେଶକାରୀ ବାଙ୍ଗଲାଦେଶୀଙ୍କ ମଧ୍ୟରେ ଭାଳେଣି

କେନ୍ଦ୍ରାପଡା଼, ( ପ୍ରଦୀପ କୁମାର ଜେନା):  :କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ନାଗରିକତ୍ୱ ଆଇନ ପ୍ରଣୀତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳରେ ବର୍ଷ ବର୍ଷ ଧରି ରହି ଆସୁଥିବା ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ି ଯାଇଛି । ନୂତନ ନାଗରିକତ୍ୱ ଆଇନ କାର୍ଯ୍ୟକାରୀ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳରେ ବାସ କରୁଥିବା ପାଖାପାଖି ୧ ଲକ୍ଷ ମୁସଲମାନ ଅନୁପ୍ରବେଶକାରୀଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ପଡ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ଏଠାରେ ବେଉସା ଚଳାଇଥିବା ଏହି ଅନୁପ୍ରବେଶକାରୀ ମୁସ୍‍ଲିମ୍‍ ବାଂଲାଦେଶୀ ଏବେ କ’ଣ କରିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଙ୍ଗଲାଦେଶୀ କିପରି ଆସିଲେ ଓ ଦିନକୁ ଦିନ କିପରି ତାଙ୍କର ସଂଖ୍ୟା ବୃଦ୍ଧି ହୋଲା ଏବଂ ବାଙ୍ଗଲାଦେଶୀଙ୍କ ଅନୁପ୍ରବେଶ ଫଳରେ ଜିଲ୍ଲା କିପରି ଭାବେ ପ୍ରଭାବିତ ହେଉଛି ସେ ସମ୍ପର୍କରେ ଚାଲନ୍ତୁ ପଢ଼ିବା ଏଇ ରିପୋର୍ଟ ।

କେମିତି ଆସିଲେ


ବାଙ୍ଗଲାଦେଶ ମୁକ୍ତି ସଂଗ୍ରାମ ସମୟରେ ହଜାର ହଜାର ସଂଖ୍ୟାର ବାଙ୍ଗଲାଦେଶୀ ନିଜ ଦେଶରେ ଅତ୍ୟାଚାରିତ ଓ ନିର୍ଯାତିତ ତଥା ବାସ୍ତୁହରା ହୋଇ ଭାରତ ପଳାଇ ଆସିଥିଲେ । ମାନବିକତା ଦୃଷ୍ଟିକୋଣରୁ ଭାରତ ସରକାର ଏହି ବାଙ୍ଗଲାଦେଶୀଙ୍କୁ ବିଭିନ୍ନ ସ୍ଥାନରେ ଥଇଥାନ କରିଥିଲେ । ସେଥିମଧ୍ୟରୁ ୧୫୫୧ ଜଣ ବାଙ୍ଗଲାଦେଶୀଙ୍କୁ ସରକାର ୧୯୭୧ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଓ ମହାକଳପଡ଼ା ବ୍ଲକର ସମୁଦ୍ର ଉପକୂଳ ଅଂଚଳରେ ଥଇଥାନ କରିଥିଲେ । କିନ୍ତୁ ସ୍ୱାଧୀନ ବାଙ୍ଗଲାଦେଶ ଗଠନ ହେବା ପରେ ବି ଏହି ବାଙ୍ଗଲାଦେଶୀମାନେ ନିଜ ଦେଶକୁ ଆଉ ଫେରି ନଯାଇ କେନ୍ଦ୍ରାପଡ଼ାର ଉପକୂଳ ଅଂଚଳରେ ସ୍ଥାୟୀ ଭାବେ ବସବାସ କରିବାକ୍ୁ ଲାଗିଲେ । ଏହା ପରେ ଧୀରେ ଧୀରେ ଜିଲ୍ଲାକୁ ବାଙ୍ଗଲାଦେଶୀଙ୍କ ଅନୁପ୍ରବେଶ ବଢିବାରେ ଲାଗିଲା । ବିଭିନ୍ନ ସମୟରେ ବାଙ୍ଗଲାଦେଶୀମାଦେ ସମୁଦ୍ର ପଥ ଦେଇ ଜିଲ୍ଲାକୁ ବେଆଇନଭାବେ ଅନୁପ୍ରବେଶ କରି ସମୁଦ୍ର ତଟବର୍ତ୍ତୀ ଅଂଚଳରେ ବସବାସ କରିବା ସହ ଉପକୂଳରେ ଥିବା ସାମୁଦ୍ରିକ ଜଙ୍ଗଲକୁ ସଫା କରି ବସତି ସ୍ଥାପନ କଲେ ଓ ଚାଷ କରିବାକୁ ଲାଗିଲେ । ପରବର୍ତୀ ସମୟରେ ଜିଲ୍ଲାକୁ ଅନୁପ୍ରବେଶ ଏତେ ମାତ୍ରାରେ ବୃଦ୍ଧି ପାଇଲାଯେ ଜିଲ୍ଲାରେ ୭୬ ହଜାର ବାଙ୍ଗଲାଦେଶୀ ଥିବା ୨୦୧୧ ଜନଗଣନାରେ ଜଣାପଡ଼ିଲା । ଏ ଭିତରେ ପାଖାପାଖି ଗୋଟିଏ ଦଶନ୍ଦି ବିତିଲାଣି ଆଉ ସେମାନଙ୍କ ସଂଖ୍ୟା ଏହିସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ବୋଲି ବେସରକାରୀ ଭାବେ କୁହା ଯାଉଛି ।


ଏବେ ଜିଲ୍ଲାରେ ଲକ୍ଷାଧିକ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ବାସ କରୁଥିବା ଜଣା ପଡ଼ୁଛି । ଗତ ୧୯୭୧ ମସିହାରେ ରାଜନଗର ଓ ମହାକଳପଡ଼ା ବ୍ଲକର ଉପକୂଳରେ ଥଇଥାନ କରିଥିବା ମାତ୍ର ୧୨୫୩ ଜଣ ବାଙ୍ଗଲାଦେଶୀଙ୍କ ସଂଖ୍ୟା ଲକ୍ଷାଧିକରେ ପହଂଚିଛି ଓ ଜିଲ୍ଲାର ୫ଟି ବ୍ଲକ ରାଜନଗର, ମହାକଳପଡ଼ା, ଆଳି, ରାଜକନିକା, ପଟାମୁଣ୍ଡାଇ ର ୪୨ଟି ପଂଚାୟତରେ ବାସ କରୁଛନ୍ତି । ଏପରିକି କେନ୍ଦ୍ରାପଡ଼ା ବ୍ଲକର ତନାର ଗ୍ରାମପଂଚାୟତରେ ମଧ୍ୟ ବାଙ୍ଗଲାଦେଶୀମାନେ ବାସ କରୁଛନ୍ତି ।


ଦେଶ ଛାଡ଼ିବାକୁ ନୋଟିସ


କେନ୍ଦ୍ରାପଡ଼ା ଜିଲ୍ଲାରେ ବେଆଇନ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇବା ନେଇ ଅଭିଯୋଗ ହେବା ପରେ ଗତ ୨୦୦୫ ମସିହାରେ ୧୫୫୧ ଜଣ ବେଆଇନ ଅନୁପ୍ରବେଶକାରୀ ଦେଶଛାଡ଼ି ଚାଲି ଯିବାକୁ ସରକାରଙ୍କ ଦ୍ୱାରା ନୋଟିସ ଜାରି କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଅନୁପ୍ରବେଶକାରୀମାନେ ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହୋଇଥିଲେ ଓ ରାଷ୍ଟ୍ରପତିିଙ୍କ ହସ୍ତକ୍ଷେପ ଦ୍ୱାରା ନୋଟିସ କାର୍ଯ୍ୟକାରୀ କରାଯାଇ ପାରି ନଥିଲା । ତେବେ ଏହି ବେଆଇନ ଅନୁପ୍ରବେଶକାରୀଙ୍କ ମଧ୍ୟରେ ବହୁ ସଂଖ୍ୟକ ମୁସଲମାନ ରହିଥିବାରୁ ନୂତନ ନାଗରିକ ଆଇନ କାର୍ଯ୍ୟକାରୀ ହେଲେ ମୁସଲମାନ ଅନୁପ୍ରବେଶକାରୀଙ୍କୁ କେନ୍ଦ୍ରାପଡ଼ା ଛାଡ଼ିବାକୁ ପଡ଼ିବ । ଏ ନେଇ ଏବେ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ିବା ଆରମ୍ଭ ହୋଇଛି ।

Leave a Reply

Your email address will not be published.