ମହିଳା ଏସ୍ଏଚ୍ଜି ପାଇଁ ଟଙ୍କା ବର୍ଷା
ଭୁବନେଶ୍ଵର, (ଓଟି): ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସଏଚଜି ଗ୍ରୁପ୍କୁ ଏଣିକି ବିନା ସୁଧରେ ୩ଲକ୍ଷ ଟଙ୍କାଯାଏ ଋଣ ଦିଆଯିବ । ବ୍ଲକ୍ସ୍ତରରେ ଥିବା ଏସ୍ଏଚ୍ଜି ମହାସଂଘକୁ ସରକାର ୨୫ ଲକ୍ଷ ଟଙ୍କା ଯାଏ ସହାୟତା ରାଶି ପ୍ରଦାନ କରିବେ। ଏହାଦ୍ୱାରା ରାଜ୍ୟର ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହୋଇପାରିବେ। ପୁଣି ଯଦି ଆପଣ ସଦସ୍ୟ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ( ଏସ୍ଏଚ୍ଜି) ଏବେ ନୂଆକରି ଗଢ଼ା ହୋଇଛି ତେବେ ଆପଣଙ୍କୁ ୧୫ ହଜାର ଟଙ୍କା ତୁରନ୍ତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଏହି ଟଙ୍କାକୁ ନେଇ ଆପଣଙ୍କ ସ୍ଵପ୍ନ ସାକାର ସକାଶେ କିଛି ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମକୁ ଆପଣ ଗୋଷ୍ଠୀଗତ ଭାବେ ଗ୍ରହଣ କରିପାରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀଠାରେ ଅରୟୋଜିତ ମିଶନଶକ୍ତି ମହାସମାବେଶ ଅବସରରେ ଏହି ଘୋଷଣା କରିବା ସହ ନୂଆ ଗୋଷ୍ଠୀଙ୍କୁ ପ୍ରାଥମିକ ସିଡ୍ମନି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ପ୍ରତି ଏସ୍ଏଚ୍ଜିକୁ ମୋବାଇଲ୍ ଫୋନ୍ କିଣିବା ଲାଗି ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଅଙ୍ଗନବାଡ଼ି କର୍ମୀଙ୍କୁ ୫୦୦ ଟଙ୍କା ଏବଂ ସହାୟିକା ମାନଙ୍କୁ ୨୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ।